FeaturedLatestNewsPolitics

ବିଜେଡି ବିଧାୟିକାଙ୍କ ଘରେ ପୋଲିସ ରେଡ୍, ରାଜନୀତି ସରଗରମ

ଭୁବନେଶ୍ୱର (ସଂକେତ ଟିଭି): ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କ ସରକାରୀ ବାସଭବନରେ କେସିଙ୍ଗା ପୋଲିସର ଚଢ଼ାଉ ଘଟଣାରେ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ନର୍ଲା ବିଧାୟିକାଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ପୋଲିସ ରେଡ୍ ପରେ ଏହି ଘଟଣା ତେଜିଲା। ତହସିଲଦାରଙ୍କୁ ଧମକ ଦେବା ଅଭିଯୋଗରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ବେଳେ ବିଜେଡି ଏହାକୁ ତୀବ୍ର ବିରୋଧ କରିଛି।

ବିଧାୟିକାଙ୍କ ସ୍ୱାମୀ ଦୁର୍ଗାପ୍ରସାଦ ମହାନ୍ତି, ଯିଏକି ନର୍ଲା ବ୍ଲକ୍ ଅଧ୍ୟକ୍ଷ ମଧ୍ୟ, ସ୍ଥାନୀୟ ତହସିଲଦାରଙ୍କୁ ଫୋନରେ ହତ୍ୟା ଧମକ ଦେଇଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଜେଡି ଏହାକୁ ଏକ ‘ରାଜନୈତିକ ପ୍ରତିଶୋଧ’ ବୋଲି କହିବା ସହ ପୋଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛି।

ଗତ ଦୁଇଦିନ ତଳେ, ଭିଜିଲାନ୍ସ ଜାଲରେ ପଡ଼ିଥିଲେ ଜଣେ ଏସଡିଓ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଭଞ୍ଜନଗର ଜଳସେଚନ ସହକାରୀ ଯନ୍ତ୍ରୀ ପଞ୍ଚୁ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ପାଞ୍ଚଟି ସ୍ଥାନରେ ଏକକାଳୀନ ଏହି ଚଢ଼ାଉରେ ଭିଜିଲାନ୍ସର ୩ ଡିଏସପି, ୭ ଇନିସ୍ପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ଥିଲେ। ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅନୁମତି କ୍ରମେ ଚାଲିଥିବା ଏହି ଚଢ଼ାଉରେ ପଞ୍ଚୁ ବେହେରାଙ୍କ ବ୍ରହ୍ମପୁର ବସନ୍ତବିହାରର ତିନି ମହଲା ଆବାସିକ ଘର, ଭଞ୍ଜନଗର ସରକାରୀ କ୍ୱାଟର, ଅଫିସ, ପୋଲସରାରେ ଥିବା ପୈତୃକ ଘର ଏବଂ ବ୍ରହ୍ମପୁର ଭୀମନଗରରେ ଥିବା ସମ୍ପର୍କୀୟଙ୍କ ଘର ଯାଞ୍ଚ କରାଯାଇଥିଲା।

ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ତହସିଲଦାରଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ ନର୍ଲା ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କ ସ୍ୱାମୀ ତଥା ନର୍ଲା ବ୍ଲକ୍ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ଫସିଛନ୍ତି। ନର୍ଲା ତହସିଲଦାର ବିଭୁ ପ୍ରସାଦ ସିଂହଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ ତାଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି। ଆଜି ତାଙ୍କୁ ଗିରଫ କରିବା ପାଇଁ ବିଧାୟିକାଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ନର୍ଲା ପୋଲିସ ଚଢ଼ାଉ କରିଥିଲା, ଯାହା ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ତହସିଲଦାର ବିଭୁ ପ୍ରସାଦ ସିଂହଙ୍କ ଅଭିଯୋଗ ଅନୁସାରେ, ନର୍ଲା ବ୍ଲକ୍ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ବିଭିନ୍ନ ସରକାରୀ କାମରେ ହସ୍ତକ୍ଷେପ କରିବା ସହ ବାଧା ସୃଷ୍ଟି କରି ଆସୁଥିଲେ। ତହସିଲଦାର ଏହାର ବିରୋଧ କରିବା ପରେ ବ୍ଲକ୍ ଅଧ୍ୟକ୍ଷ ତାଙ୍କୁ ଫୋନ୍ ଯୋଗେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଜଣେ ଲୋକ ପ୍ରତିନିଧିଙ୍କ ପକ୍ଷରୁ ଜଣେ ସରକାରୀ କର୍ମଚାରୀଙ୍କ ପ୍ରତି ଏଭଳି ଆଚରଣ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ନିଜ ଅଭିଯୋଗ ପତ୍ରରେ ତହସିଲଦାର ଦର୍ଶାଇଛନ୍ତି।

ଏହି ଘଟଣାକୁ ନେଇ ଗତ ୨୦୨୬ ମାର୍ଚ୍ଚ ୧୫ ତାରିଖରେ ନର୍ଲା ଥାନାରେ ପି.ଏସ୍ କେସ୍ ନମ୍ବର ୭୨/୨୬ରେ ମାମଲା ରୁଜୁ ହୋଇଛି। ପୋଲିସ ଭାରତୀୟ ନ୍ୟାୟ ସଂହିତାର ଧାରା ୨୯୬, ୨୨୧, ୨୨୪, ୩୫୧(୨) ଏବଂ ୩୫୧(୩) ଅନୁସାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଏହି ଘଟଣା ପରେ ନର୍ଲା ଅଞ୍ଚଳରେ ରାଜନୈତିକ ମହଳରେ ଚର୍ଚ୍ଚା ଜୋରଦାର ହୋଇଥିବା ବେଳେ, ପୋଲିସ ଏହାର ତଦନ୍ତ ଜାରି ରଖିଛି। ଏନେଇ ବ୍ଲକ୍ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି କିମ୍ବା ତହସିଲଦାରଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନଥିବା ବେଳେ ଜିଲ୍ଲା ପୋଲିସ ପକ୍ଷରୁ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।