CrimeFeaturedLatestNews

୩୦ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଲେ ରାଜସ୍ୱ ନିରୀକ୍ଷକ

ଭୁବନେଶ୍ୱର (ସଂକେତ ଟିଭି): ମ୍ୟୁଟେସନ୍ ମାମଲାରେ ଜମି ପରିବର୍ତ୍ତନ ସଂପର୍କିତ ଏକ ଅନୁକୂଳ ରିପୋର୍ଟ ପ୍ରଦାନ କରିବା ପାଇଁ ୩୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ କଟକ ଜିଲ୍ଲା ଚୌଦ୍ୱାର ତହସିଲ ଅନ୍ତର୍ଗତ ମଙ୍ଗରାଜପୁରର ରାଜସ୍ୱ ନିରୀକ୍ଷକ (ଆରଆଇ) ରାଜାରାମ ବାନ୍ଦ୍ରା ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ସୂଚନା ଅନୁଯାୟୀ, ଜଣେ ଜମି ମାଲିକ ଗତ ୧୦ ତାରିଖରେ ରାଜସ୍ୱ ବିଭାଗର ନିର୍ଦ୍ଦେଶାବଳୀ ଅନୁସାରେ ଅନଲାଇନରେ ଏକ ଆବେଦନ କରିଥିଲେ। ଅଭିଯୁକ୍ତ ଆରଆଇ ଶ୍ରୀ ବାନ୍ଦ୍ରା ତାଙ୍କ ପତିତ ଜମିକୁ ହୋମଷ୍ଟେଡ୍ ଜମିରେ ପରିବର୍ତ୍ତନ କରିବା ପାଇଁ ୩୦,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ଯଦି ତାଙ୍କୁ ଲାଞ୍ଚ ନଦିଆଯାଏ, ତେବେ ସେ ଅନୁକୂଳ ରିପୋର୍ଟ ପ୍ରଦାନ କରିପାରିବେ ନାହିଁ ବୋଲି ଶ୍ରୀ ବାନ୍ଦ୍ରା ଜମି ମାଲିକଙ୍କୁ କହିଥିଲେ।

ଏହି କଥାରେ ବିରକ୍ତ ହୋଇ ଜମି ମାଲିକ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ସବୁ କଥା ଅବଗତ କରିଥିଲେ। ପୂର୍ବ ଯୋଜନା ଅନୁସାରେ ଆଜି ଭିଜିଲାନ୍ସର ଏକ ଟିମ୍ ଶ୍ରୀ ବାନ୍ଦ୍ରାଙ୍କ କାର୍ଯ୍ୟାଳୟରେ ଜମି ମାଲିକଙ୍କଠାରୁ ୩୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଅତର୍କିତ ଚଢ଼ାଉ କରି ତାଙ୍କୁ ଧରିଥିଲା। ଅଭିଯୁକ୍ତଙ୍କ କବଜାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି।

ସେହିପରି, ଅଭିଯୁକ୍ତଙ୍କ ନାଁରେ ସଙ୍ଗୀନ ଅଭିଯୋଗ ରହିଛି। କୁଆଡ଼େ ଲାଞ୍ଚ ବାବଦରେ ଟଙ୍କା ନଦେଲେ ଧମକ ଦେଇଥିଲେ। ଭିଜିଲାନ୍ସ ବିଭାଗ ତାଙ୍କ ବାସଭବନ ସମେତ ଦୁଇଟି ସ୍ଥାନରେ ଏକକାଳୀନ ଯାଞ୍ଚ କରୁଛି।