EducationFeaturedLatestNews

ଏଣିକି ପଛୁଆ ଛାତ୍ରଛାତ୍ରୀ ପାଇବେ ୧୧.୨୫% ସଂରକ୍ଷଣ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଦୀର୍ଘ ଦିନର ଦାବିକୁ ପୂରଣ କରି ମୋହନ ସରକାର ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆବର୍ଗ (SEBC) ଛାତ୍ରଛାତ୍ରୀମାନଙ୍କୁ ୧୧.୨୫ ପ୍ରତିଶତ ସଂରକ୍ଷଣ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ମେଡ଼ିକାଲ, ଇଞ୍ଜିନିଅରିଂ, ଅନ୍ୟାନ୍ୟ ଉଚ୍ଚଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷା ପାଠ୍ୟକ୍ରମରେ ନାମଲେଖା ପାଇଁ ସଂରକ୍ଷଣ ନୀତିରେ ଏହି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି।

ନୂଆ ସଂରକ୍ଷଣ ବ୍ୟବସ୍ଥା ଅନୁଯାୟୀ, ରାଜ୍ୟର ଅନୁସୂଚିତ ଜନଜାତି (ST) ଛାତ୍ରଛାତ୍ରୀମାନେ ୨୨.୫୦%, ଅନୁସୂଚିତ ଜାତି (SC) ଛାତ୍ରଛାତ୍ରୀମାନେ ୧୬.୨୫% ଏବଂ ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆବର୍ଗ (SEBC) ଛାତ୍ରଛାତ୍ରୀମାନେ ୧୧.୨୫% ସଂରକ୍ଷଣ ପାଇବେ। ଏହି ନିଷ୍ପତ୍ତିକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରି କହିଛନ୍ତି ଯେ, ଏହା ସମାଜର ଅନ୍ତିମ ଶ୍ରେଣୀର ପ୍ରତିଭାମାନଙ୍କ ସ୍ୱପ୍ନ ପୂରଣ ଦିଗରେ ଏକ ଐତିହାସିକ ପଦକ୍ଷେପ। ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀମାନଙ୍କୁ ମଧ୍ୟ ସେ ଧନ୍ୟବାଦ ଦେଇଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ ପୂର୍ବରୁ ଡିସେମ୍ବର ୩୧, ୨୦୨୦, ଜାନୁଆରୀ ୧୫, ୨୦୨୦ ଏବଂ ଜୁଲାଇ ୨୫, ୨୦୧୯ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି OBC ଓ SEBC ବର୍ଗଙ୍କ ସଂରକ୍ଷଣ ବୃଦ୍ଧି ପାଇଁ ଦାବି କରିଥିଲେ। ପରେ ଅଗଷ୍ଟ ୬, ୨୦୨୫ ଓ ଏପ୍ରିଲ ୧୭, ୨୦୨୫ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମଧ୍ୟ ପତ୍ର ଲେଖିଥିଲେ। ବର୍ତ୍ତମାନ ଚଳିତ ଶିକ୍ଷା ବର୍ଷରୁ ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବ। ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ, ଶିକ୍ଷା ବର୍ଷ ଆରମ୍ଭ ହୋଇସାରିଥିଲେ ମଧ୍ୟ କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ ସଂରକ୍ଷଣ ଲାଗୁ କରିବାକୁ ସରକାର ପଦକ୍ଷେପ ନେଉଛନ୍ତି। ଛାତ୍ରଛାତ୍ରୀମାନେ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି।

ତେବେ ଏହି ନିଷ୍ପତ୍ତିକୁ ନେଇ ରାଜ୍ୟରେ ସଂରକ୍ଷଣ ରାଜନୀତି ଜୋର ଧରିଛି। ବିରୋଧୀଦଳ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। PCC ଭକ୍ତ ଦାସ କହିଛନ୍ତି ଯେ, ରାଜ୍ୟରେ ୫୩% ପଛୁଆ ବର୍ଗ ଥିବା ବେଳେ କେବଳ ୧୧.୨୫% ସଂରକ୍ଷଣ ଠିକ୍ ନୁହେଁ। BJD ବିଧାୟକ ଅରୁଣ ସାହୁ କହିଛନ୍ତି ଯେ, ତାମିଲନାଡୁ ଓ କର୍ଣ୍ଣାଟକ ଭଳି ରାଜ୍ୟରେ OBC ମାନଙ୍କ ସଂଖ୍ୟା ଅନୁଯାୟୀ ସଂରକ୍ଷଣ ଦିଆଯାଉଛି, ସେହିପରି ଆମେ ଦାବି କରୁଛୁ। ବିଭାଗୀୟ ମନ୍ତ୍ରୀ କହିଛନ୍ତି ଯେ, ଗତ ସରକାର ଏହାକୁ ଲାଗୁ କରିବାରେ ବିଫଳ ହୋଇଥିଲେ।

ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପରେ, ରାଜ୍ୟରେ Under Graduate ଓ Post Graduate କୁ ମିଶାଇ ସମୁଦାୟ ମେଡ଼ିକାଲ ସିଟ୍ରେ SEBC ଛାତ୍ରଛାତ୍ରୀମାନଙ୍କ ପାଇଁ ୨୭୨ ସିଟ ସଂରକ୍ଷିତ ରହିବ, ଯାହା ପୂର୍ବରୁ ଶୂନ ଥିଲା। ସେହିପରି ସମୁଦାୟ ଇଞ୍ଜିନିଅରିଂ ସିଟ୍ରେ SEBC ଛାତ୍ରଛାତ୍ରୀମାନଙ୍କ ପାଇଁ ୫୦୧୫ ସିଟ ସଂରକ୍ଷିତ ରହିବ। ପୂର୍ବରୁ ଏହି ସଂଖ୍ୟା ମଧ୍ୟ ଶୂନ ଥିଲା। ଏହି ପଦକ୍ଷେପ ପଛୁଆ ବର୍ଗର ଉଚ୍ଚଶିକ୍ଷାରେ ପ୍ରବେଶ ପାଇଁ ଏକ ମାଇଲଖୁଣ୍ଟ ଭାବେ ଦେଖାଯାଉଛି।