ପୁରୀ ବିମାନବନ୍ଦରକୁ ସର୍ତ୍ତମୂଳକ ଅନୁମତି, ମିଳିଲା ପ୍ରଥମ ପର୍ଯ୍ୟାୟ ଜଙ୍ଗଲ ମଞ୍ଜୁରୀ
ପୁରୀ (ସଂକେତ ଟିଭି): ଓଡ଼ିଶାର ପୁରୀଠାରେ ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ପାଇଁ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ନୀତିଗତ ସ୍ଟେଜ୍-୧ ଜଙ୍ଗଲ ମଞ୍ଜୁରୀ ପ୍ରଦାନ କରିଛି। ତେବେ ଏହି ଅନୁମତି କେତେକ ସର୍ତ୍ତ ସହିତ ଦିଆଯାଇଛି।
ଚୂଡ଼ାନ୍ତ ଅନୁମତି ପୂର୍ବରୁ ନିର୍ମାଣକାରୀ ସଂସ୍ଥାକୁ ଅନେକ ନିୟମ ପାଳନ କରିବାକୁ ହେବ। ବିମାନବନ୍ଦର ନିର୍ମାଣରେ ଯେଉଁ ଜଙ୍ଗଲ ଜମି ବ୍ୟବହୃତ ହେବ, ତାହାର କ୍ଷତିପୂରଣ ଭାବରେ ଅନ୍ୟତ୍ର ନୂଆ ଗଛ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଜଙ୍ଗଲ ଜମି ବ୍ୟବହାର ପାଇଁ ସମ୍ପୂର୍ଣ୍ଣ ଖର୍ଚ୍ଚ ଭରଣା କରିବାକୁ ହେବ।
ସ୍ଥାନୀୟ ପ୍ରଶାସନ ଏବଂ ଆବଶ୍ୟକ ସ୍ଥଳେ ଜନଜାତି ସମ୍ପ୍ରଦାୟର ସହମତି ନେବା ବାଧ୍ୟତାମୂଳକ। ଏହାବ୍ୟତୀତ ଜୀବଜନ୍ତୁ ଓ ପରିବେଶ ସୁରକ୍ଷା ପାଇଁ ବ୍ୟବସ୍ଥା କରିବାକୁ ମଧ୍ୟ କୁହାଯାଇଛି। ରାଜ୍ୟ ସରକାର କିମ୍ବା ବିମାନବନ୍ଦର କର୍ତ୍ତୃପକ୍ଷ ଏସବୁ ସର୍ତ୍ତ ପୂରଣ କଲେ ହିଁ ସେମାନେ ଷ୍ଟେଜ୍-୨ ବା ଚୂଡ଼ାନ୍ତ ଅନୁମତି ପାଇଁ ଆବେଦନ କରିପାରିବେ।
ଷ୍ଟେଜ୍-୨ ଅନୁମତି ମିଳିବା ପରେ ସମ୍ପୂର୍ଣ୍ଣ ଆଇନଗତ ଅନୁମତି ପ୍ରଦାନ କରାଯିବ। ତେବେ ଯାଇ ବିମାନବନ୍ଦରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିବ। ଏହି ନିଷ୍ପତ୍ତି ପୁରୀ ବିମାନବନ୍ଦର ପାଇଁ ଏକ ଶୁଭ ସଙ୍କେତ ଭାବରେ ଦେଖାଯାଉଥିଲେ ମଧ୍ୟ ସମ୍ପୂର୍ଣ୍ଣ ଅନୁମତି ପାଇଁ ଆଉ କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ।
