FeaturedLatestNews

ବଂଶଧାରା ନଦୀ ଜଳ ବଣ୍ଟନ ମାମଲାରେ ଓଡ଼ିଶାକୁ ବଡ଼ ଝଟକା

ଭୁବନେଶ୍ୱର (ସଂକେତ ଟିଭି): ବଂଶଧାରା ନଦୀ ଜଳ ବଣ୍ଟନ ମାମଲାରେ ଓଡ଼ିଶାକୁ ବଡ଼ ଝଟକା ଲାଗିଛି। ଆନ୍ଧ୍ରପ୍ରଦେଶର ଦାବିକୁ ସ୍ୱୀକାର କରି କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ଗେଜେଟ୍ ନୋଟିଫିକେସନ୍ ଜାରି କରିଛି। ଏହି ନୋଟିଫିକେସନ୍ ବଳରେ ଆନ୍ଧ୍ରପ୍ରଦେଶକୁ ନେରେଡ଼ି ବ୍ୟାରେଜ୍ ପ୍ରକଳ୍ପ ପାଇଁ ଅନୁମତି ମିଳିଯାଇଛି। ଫଳରେ ବହୁବର୍ଷ ଧରି ଚାଲିଥିବା ଜଳ ବିବାଦ ନୂଆ ମୋଡ଼ ନେଇଛି।

ଟ୍ରିବ୍ୟୁନାଲଙ୍କ ରାୟ ଅନୁଯାୟୀ, ଗୋଟ୍ଟା ବ୍ୟାରେଜରେ ଉପଲବ୍ଧ ମୋଟ ୧୧୫ ଟିଏମ୍ସି ଜଳ ମଧ୍ୟରୁ ଅଧା (୫୭.୫ ଟିଏମ୍ସି) ଆନ୍ଧ୍ରପ୍ରଦେଶକୁ ଯିବ। ଟ୍ରିବ୍ୟୁନାଲ୍ ୧୯୬୨ ମସିହା ସେପ୍ଟେମ୍ବର ୩୦ ତାରିଖରେ ଓଡ଼ିଶା-ଆନ୍ଧ୍ର ମଧ୍ୟରେ ହୋଇଥିବା ବୈଠକକୁ ଭିତ୍ତି କରି ଏହି ରାୟ ଦେଇଛନ୍ତି। ଓଡ଼ିଶା ସରକାରଙ୍କ ପାଇଁ ଏହା ଏକ ବଡ଼ ଧରଣର ଝଟକା ହୋଇଥିବା ବେଳେ ରାୟଗଡ଼ା ଜିଲ୍ଲାର ଚାଷୀମାନଙ୍କ ପାଇଁ ନୂଆ ସମସ୍ୟା ସୃଷ୍ଟି କରିଛି।

ଉଲ୍ଲେଖଯୋଗ୍ୟ, ବଂଶଧାରା ନଦୀ ଜଳ ପରିଚାଳନାକୁ ନେଇ ୨୦୦୬ ମସିହାରେ ଏହି ବିବାଦ ଆରମ୍ଭ ହୋଇଥିଲା। ଆନ୍ଧ୍ରପ୍ରଦେଶ ନେରେଡ଼ି ବ୍ୟାରେଜ୍ ନିର୍ମାଣ କରିବାକୁ ଚେଷ୍ଟା କରିବାରୁ ଓଡ଼ିଶା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ପରେ ୨୦୧୦ରେ ବଂଶଧାରା ଜଳ ଟ୍ରିବ୍ୟୁନାଲ୍ ଗଠନ କରାଯାଇଥିଲା। ଏବେ ଟ୍ରିବ୍ୟୁନାଲଙ୍କ ରାୟ ଆଧାରରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ଏହି ଗେଜେଟ୍ ବିଜ୍ଞପ୍ତି ଜାରି କରିଛି, ଯାହା ଓଡ଼ିଶାର ଜଳ ସ୍ୱାର୍ଥକୁ ଗୁରୁତର ଭାବେ ପ୍ରଭାବିତ କରିବ।