ଆମସାଥୀ ଚାଟ୍ବଟ୍ର ଶୁଭାରମ୍ଭ, ଘରେ ବସି ମିଳିବ ରାଜସ୍ବ ସେବା
ଭୁବନେଶ୍ୱର (ସଂକେତ ଟିଭି): ଏଣିକି ରାଜସ୍ବ ସେବା ପାଇଁ ଲୋକଙ୍କୁ କାର୍ଯ୍ୟାଳୟ ଦୌଡ଼ିବାର ଆବଶ୍ୟକତା ନାହିଁ। ଘରେ ବସି ସହଜରେ ମିଳିବ ରାଜସ୍ବ ସେବା। ଏନେଇ ରାଜସ୍ବ ବିଭାଗ ପକ୍ଷରୁ ‘ଆମସାଥୀ’ ନାମକ ଏକ ହ୍ବାଟ୍ସଆପ୍ ଚାଟ୍ ବଟ୍ର ଶୁଭାରମ୍ଭ କରାଯାଇଛି। ଲୋକସେବା ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏହି ଚାଟ୍ ବଟ୍ର ଉଦ୍ଘାଟନ କରିଛନ୍ତି।
ଏହି ନୂତନ ଚାଟ୍ ବଟ୍ ଜରିଆରେ ରାଜସ୍ବ ବିଭାଗର ୧୬ଟି ପ୍ରମୁଖ ସେବା ଉପଲବ୍ଧ ହେବ। ଆଗାମୀ ଦିନରେ ଆଉ ଦୁଇଟି ସେବା ଯୋଡ଼ାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ୧୧ଟି ସେବା ଉପଲବ୍ଧ ଥିବା ବେଳେ ଏବେ ଏହି ସଂଖ୍ୟା ବୃଦ୍ଧି ପାଇଛି। ଲୋକଙ୍କ ପାଖରେ ସମୟ ଅଭାବ ଓ କାମର ଚାପକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି। ଉଲ୍ଲେଖଯୋଗ୍ୟ, ଏଯାଏଁ ‘କଲମ ଟୁ କରେକ୍ସନ’ ଜରିଆରେ କୋଟିଏ ଟପିସାରିଲାଣି।
ଏହି ଚାଟ୍ ବଟ୍ ମାଧ୍ୟମରେ ମ୍ୟୁଟେସନ୍, କିସମ ପରିବର୍ତ୍ତନ, ବିବାହ ପଞ୍ଜିକରଣ, ସୋସାଇଟି ରେଜିଷ୍ଟ୍ରେସନ, ଜାତି, ଆୟ ଓ ରେସିଡେନ୍ସ ପ୍ରମାଣପତ୍ର ଭଳି ଗୁରୁତ୍ୱପୂର୍ଣ୍ଣ ସେବା ଉପଲବ୍ଧ ହେବ। ଏହାସହ ଭୂଲେଖରେ ପଟ୍ଟା ସମ୍ବନ୍ଧୀୟ ତଥ୍ୟ ମଧ୍ୟ ଉପଲବ୍ଧ ହେବ। ଲୋକେ ନିଜ ଘରେ ବସି ଏହି ସବୁ ସେବା ପାଇପାରିବେ। ଆବେଦନକାରୀ ନିଜ ଆବେଦନର ସ୍ଥିତି ମଧ୍ୟ ଏହି ଆପ୍ ଜରିଆରେ ଜାଣିପାରିବେ।
ରାଜ୍ୟରେ ପ୍ରାୟ ୧.୬୫ କୋଟି ହ୍ବାଟ୍ସଆପ୍ ବ୍ୟବହାରକାରୀ ଥିବାରୁ ଏହି ଚାଟ୍ ବଟ୍ଟି ଲୋକଙ୍କ ପାଇଁ ଅତ୍ୟନ୍ତ ସହଜ ଓ ଉପଯୋଗୀ ହେବ ବୋଲି ଆଶା କରାଯାଉଛି। ଯଦି କୌଣସି ଅଭିଯୋଗ ଥାଏ, ତେବେ ୯୪୩୭୨୯୨୦୦୦ ନମ୍ବରରେ ମଧ୍ୟ ଅଭିଯୋଗ କରିପାରିବେ। ଏହି ସୁବିଧା ଲୋକଙ୍କ ସମୟ ଓ ଶ୍ରମକୁ ବଞ୍ଚାଇବ ବୋଲି ରାଜସ୍ବ ମନ୍ତ୍ରୀ ଶ୍ରୀ ପୂଜାରୀ ପ୍ରକାଶ କରିଛନ୍ତି।
