FeaturedHealthLatestNews

କଫ୍ ସିରପ୍ କିଣିବା ପାଇଁ ଏବେ ଡାକ୍ତରୀ ପ୍ରେସକ୍ରିପସନ୍ ବାଧ୍ୟତାମୂଳକ

ଭୁବନେଶ୍ୱର (ସଂକେତ ଟିଭି): କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କଫ୍ ସିରପ୍ ବିକ୍ରି ଏବଂ ବିତରଣକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏଣିକି ଡାକ୍ତରଙ୍କ ପ୍ରେସକ୍ରିପସନ୍ ବିନା କୌଣସି ଫାର୍ମାସି କିମ୍ବା ମେଡିକାଲ ଦୋକାନରୁ କଫ୍ ସିରପ୍ କିଣି ହେବ ନାହିଁ। ମନ୍ତ୍ରଣାଳୟ କଫ୍ ସିରପ୍କୁ ‘ସିଡ୍ୟୁଲ୍ K’ ତାଲିକାରୁ ବାହାର କରିଦେଇଛି, ଯାହାର ଅର୍ଥ ହେଉଛି ଏହାକୁ ଏବେ ‘ପ୍ରେସକ୍ରିପସନ୍ ଔଷଧ’ ଭାବରେ ବିବେଚନା କରାଯିବ।

ଏପର୍ଯ୍ୟନ୍ତ ଲୋକମାନେ ବିନା କୌଣସି ଡାକ୍ତରୀ ପରାମର୍ଶରେ କଫ୍ ସିରପ୍ କିଣି ପାରୁଥିଲେ। ମାତ୍ର ଜୁନ୍ ୯, ୨୦୨୬ରୁ କେନ୍ଦ୍ର ସରକାର ଏହି ନୂଆ ନିୟମ ଲାଗୁ କରିଛନ୍ତି। ଏବେ କୋଡିନ୍ ଭଳି ଅଫିମ-ଆଧାରିତ ଔଷଧ ସମେତ ସମସ୍ତ ପ୍ରକାର କଫ୍ ସିରପ୍ ପାଇଁ ଡାକ୍ତରୀ ପ୍ରେସକ୍ରିପସନ୍ ଅନିବାର୍ଯ୍ୟ। ତେବେ କାଶ ପାଇଁ ବ୍ୟବହୃତ ଲଜେଞ୍ଜ୍, ବଟିକା କିମ୍ବା ଟାବଲେଟ୍ ଏହି ନିୟମରୁ ବାଦ୍ ପଡ଼ିଛନ୍ତି।

ନୂଆ ନିୟମ ଅନୁଯାୟୀ, କଫ୍ ସିରପ୍ ବିକ୍ରି ଏବଂ ବିତରଣ କେବଳ ଲାଇସେନ୍ସ ପ୍ରାପ୍ତ ମେଡିକାଲ ଷ୍ଟୋର କିମ୍ବା ଫାର୍ମାସୀ ଜରିଆରେ ହୋଇପାରିବ। ଏହି ନିୟମ ଔଷଧ ଏବଂ ପ୍ରସାଧନ ସାମଗ୍ରୀ ଅଧିନିୟମ ୧୯୪୦ ଅଧୀନରେ ଲାଗୁ କରାଯାଇଛି। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ବିନା ଡାକ୍ତରୀ ତଦାରଖରେ ଔଷଧ ସେବନ ଯୋଗୁଁ ହେଉଥିବା ବିପଦକୁ ହ୍ରାସ କରିବା।

ମଧ୍ୟପ୍ରଦେଶର ଛିନ୍ଦୱାଡ଼ା ଜିଲ୍ଲାରେ ବିଷାକ୍ତ କଫ୍ ସିରପ୍ ସେବନ ଯୋଗୁଁ ୨୨ ଜଣ ଶିଶୁଙ୍କ ମୃତ୍ୟୁ ଘଟଣା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି। ପୂର୍ବରୁ ମଧ୍ୟ ଦେଶର ବିଭିନ୍ନ ସ୍ଥାନ ଏବଂ ବିଦେଶରେ ବିଷାକ୍ତ ସିରପ୍ ଯୋଗୁଁ ଶିଶୁ ମୃତ୍ୟୁର ଅନେକ ଘଟଣା ସାମ୍ନାକୁ ଆସିଛି। ଅନେକ କଫ୍ ସିରପ୍ରେ ‘ଡେକ୍ସଟ୍ରୋମେଥୋର୍ଫାନ୍’ ଭଳି ଉପାଦାନ ଥାଏ, ଯାହା ଛୋଟ ଶିଶୁଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ ଏବଂ ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି କରିପାରେ।

ପ୍ରେସକ୍ରିପସନ୍ ବାଧ୍ୟତାମୂଳକ ହେବା ଦ୍ୱାରା ଡାକ୍ତରଙ୍କ ପରାମର୍ଶ ବିନା ଛୋଟ ପିଲାମାନଙ୍କୁ ଏଭଳି ଔଷଧ ଦିଆଯିବ ନାହିଁ। ଏହାଦ୍ୱାରା ଭୁଲ୍ ଔଷଧ ସେବନ ଜନିତ ଜଟିଳତା ଏବଂ ମୃତ୍ୟୁ ହ୍ରାସ ପାଇବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି। ସାଧାରଣ ଲୋକଙ୍କୁ ଏବେ କାଶ ହେଲେ ସିଧାସଳଖ ଫାର୍ମାସିରେ ଯାଇ ସିରପ୍ ନକିଣି ପ୍ରଥମେ ଡାକ୍ତରଙ୍କ ପରାମର୍ଶ ନେବାକୁ ପଡ଼ିବ।