ରାୟଗଡ଼ାରେ ରାସ୍ତା କାମକୁ ନେଇ ହିଂସା, ୫୬ ପୋଲିସ ଆହତ
ରାୟଗଡ଼ା (ସଂକେତ ଟିଭି): ରାୟଗଡ଼ା ଜିଲ୍ଲାର କାଶୀପୁର ଅଞ୍ଚଳରେ ଏକ କମ୍ପାନୀର ରାସ୍ତା ନିର୍ମାଣ କାର୍ଯ୍ୟକୁ ନେଇ ଅଶାନ୍ତି ପ୍ରକୋପ ପରିବେଶ ସୃଷ୍ଟି ହୋଇଛି। ଆଜି (ମଙ୍ଗଳବାର) କାଶୀପୁର ବ୍ଲକର ଶାଗବାରୀ ଗାଁରେ ଖଣି ଖନନ ବିରୋଧୀ ଆନ୍ଦୋଳନକାରୀମାନେ ପୋଲିସ ଉପରେ ଆକ୍ରମଣ କରିଛନ୍ତି।
ରାସ୍ତା କାମକୁ ବିରୋଧ କରି ଆନ୍ଦୋଳନକାରୀମାନେ ଉତ୍ତେଜନା ସୃଷ୍ଟି କରିଥିଲେ। ପୋଲିସ ସେମାନଙ୍କୁ ବୁଝାସୁଝା କରୁଥିବା ବେଳେ ଉତ୍ତ୍ୟକ୍ତ ଜନତା ପଥର ମାଡ଼ କରିଥିଲେ। ଏହି ଘଟଣାରେ ପାଖାପାଖି ୫୬ (ଛାବନ) ଜଣ ପୋଲିସ ଅଧିକାରୀ ଆହତ ହୋଇଥିବା ନେଇ ସୂଚନା ମିଳିଛି।
ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣରେ ରାୟଗଡ଼ା SDPO ଗୌରୀଶଙ୍କର ସାହୁ, କାଶୀପୁର ଆଇଆଇସି ଦେବ ମଲ୍ଲିକ, ଅଣ୍ଡ୍ରାକଞ୍ଚ ଆଇଆଇସିଙ୍କ ସମେତ ୫୦ (ପଚାଶ) ରୁ ଊର୍ଦ୍ଧ୍ବ ପୋଲିସ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ (ସାତ) ଜଣଙ୍କ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ସେମାନଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟ ଆହତ ପୋଲିସ କର୍ମଚାରୀମାନେ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।
ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, ଏସ୍ପି ସ୍ୱାତୀ ଏସ୍ କୁମାରଙ୍କ ସମେତ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଅଛନ୍ତି। ଅଶାନ୍ତି କାରଣରୁ ଶାଗୁବାରୀ ଅଞ୍ଚଳରେ ପ୍ରଶାସନ ପକ୍ଷରୁ BNS ୧୬୩ (ଏକସଠ) ଧାରା ଜାରି କରାଯାଇଛି।
କାଶୀପୁର ବ୍ଲକ ଅନ୍ତର୍ଗତ ସିଜିମାଳିଠାରେ ବକ୍ସାଇଟ୍ ଖଣି ଖନନ ପାଇଁ ସରକାର ଏକ ଘରୋଇ କମ୍ପାନୀକୁ ଅନୁମତି ଦେଇଛନ୍ତି। ଏଥିପାଇଁ କମ୍ପାନୀ ପକ୍ଷରୁ ଶାଗୁବାରୀରୁ ସିଜିମାଳି ଅଞ୍ଚଳ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାମ ଆରମ୍ଭ ହୋଇଥିଲା। ସ୍ଥାନୀୟ ବାସିନ୍ଦା ଆରମ୍ଭରୁ ଏହାକୁ ବିରୋଧ କରି ଆସୁଥିଲେ, ଯାହା ଆଜି ହିଂସାତ୍ମକ ରୂପ ନେଇଛି।
ଘଟଣାସ୍ଥଳରେ କୋରାପୁଟ ସ୍ଥିତ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଡ. କନ୍ୱର ବିଶାଳ ସିଂ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ସେପଟେ ଜଣେ ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ‘ପୋଲିସ ଆମ ଘରେ ପଶି ମୋତେ ମାଡ଼ ମାରିଛି।’
ରାୟଗଡ଼ା ଜିଲ୍ଲାର କାଶୀପୁର ଅଞ୍ଚଳରେ ଥିବା ସିଜିମାଳିରେ ବକ୍ସାଇଟ ଖଣି ରହିଛି। ଏଠାରେ ଖଣି ଖନନ ପାଇଁ ସରକାର ଘରୋଇ କମ୍ପାନୀକୁ ଅନୁମତି ଦେଇଥିଲେ ହେଁ ସ୍ଥାନୀୟ ଆଦିବାସୀ ଏହାକୁ ବିରୋଧ ଜାରି ରଖିଛନ୍ତି।
