FeaturedLatestNewsPolitics

ବିଜେପିରେ ସାମିଲ୍ ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ଵାଳ

ଭୁବନେଶ୍ୱର (ସଂକେତ ଟିଭି): ଦୀର୍ଘ ଦିନ ଧରି ଶଙ୍ଖ ଦଳର ପ୍ରମୁଖ ଚେହେରା ସାଜିଥିବା ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳ ଶେଷରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି।

ଶହ ଶହ ସମର୍ଥକଙ୍କ ଗହଣରେ ଆସି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିଲେ ପ୍ରଭାତ ବିଶ୍ଵାଳ। ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ୍ ହୋଇଛନ୍ତି।

ଏହା ପୂର୍ବରୁ ଆଜି ସକାଳେ ତାଙ୍କ ବାସଭବନରେ ଥିବା ବ୍ୟାନରରେ ପ୍ରଭାତଙ୍କ ଫଟୋ ସହ ବିଜେପିର ପ୍ରମୁଖ ନେତାଙ୍କ ଚିତ୍ର ମଧ୍ୟ ସ୍ଥାନ ପାଇଥିବା ଦେଖିବାକୁ ମିଳିଥିଲା।

ଆଜି ସକାଳୁ ନିଜ ବାସଭବନରୁ ବାହାରିବା ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ ସେ ବିଜେପିରେ ମିଶୁଥିବା ଥିବା ନେଇ ସ୍ପଷ୍ଟ କରିଥିଲେ। ସକାଳୁ ନିଜ କଟକ ବାସଭବନରେ ଯଥାରୀତି ନୀତି ପୂଜା ଅର୍ଚ୍ଚନା କରିବା ପରେ ପ୍ରଭାତ ବିଶ୍ୱାଳ ଘରୁ ଗୋଡ଼ କାଢ଼ିଥିଲେ। ଏହି ସମୟରେ ତାଙ୍କ ସହ ତାଙ୍କ ଧର୍ମପତ୍ନୀ, ପୁଅ ତଥା ବିଧାୟକ ସୌଭିକ ବିଶ୍ୱାଳ ଏବଂ ଝିଅ ମଧ୍ୟ ଉପସ୍ଥିତ ଥିଲେ। ସମ୍ପୂର୍ଣ୍ଣ ପରିବାର ସମର୍ଥକମାନଙ୍କ ଗହଣରେ ବିରାଟ ପଟୁଆରରେ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ।

ପ୍ରଭାତ ବିଶ୍ୱାଳଙ୍କ ଏହି ମିଶ୍ରଣ ପର୍ବ ପାଇଁ କଟକରୁ ଏକ ବଡ଼ ପ୍ରସ୍ତୁତି କରାଯାଇଥିଲା। ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ଵ ସମର୍ଥକ ଓ ଦଳୀୟ କର୍ମୀଙ୍କୁ ସାଙ୍ଗରେ ନେଇ ସେ କଟକରୁ ବାହାରିଥିଲେ। ସମସ୍ତ ସମର୍ଥକଙ୍କ ସହିତ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ ଛକଠାରେ ଏକାଠି ହୋଇଥିଲେ। ସେଠାରୁ ଏକ ବିରାଟ ଶୋଭାଯାତ୍ରା ଓ ର୍ୟାଲି ମାଧ୍ୟମରେ ସେମାନେ ଶକ୍ତି ପ୍ରଦର୍ଶନ କରି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିଲେ।

ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ୍ ହୋଇଛନ୍ତି।

ପ୍ରଭାତ ବିଶ୍ୱାଳଙ୍କ ବିଜେପି ଯୋଗ ଦେବ ନେଇ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ପ୍ରଭାତ ବିଶ୍ୱାଳ ବିଜେପିରେ ମିଶିଲେ କ’ଣ ଭାସିଗଲା? ଏଇ ଭଳିଆ କେତେ ଆସିବେ, କେତେ ଯିବେ। ଯିଏ ଏ ଦଳରେ ପୋକା ବାଇଗଣ, କେତେ ଆସୁଛନ୍ତି କେତେ ଯାଉଛନ୍ତି।”

ପ୍ରମିଳା ଆହୁରି କହିଛନ୍ତି ଯେ ନବୀନ ପଟ୍ଟନାୟକଙ୍କର ଆଜି ବି ସେହିଭଳି ଦବଦବା ରହିଛି। ଓଡ଼ିଶାର ଲୋକେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଟାଣିହୋଇ ତାଙ୍କ ପାଖକୁ ଆସିବେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

କଟକ ବିଜେଡି ଆହୁରି ସୁଦୃଢ଼ ହେବ ବୋଲି ପ୍ରମିଳା ମଲ୍ଲିକ ଆଶା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ କଟକରେ ଆହୁରି ଭଲ ଏବଂ ଟାଣୁଆ ନେତା ଅଛନ୍ତି। ସେମାନଙ୍କ ନେତୃତ୍ୱରେ ଦଳ ଆହୁରି ସୁଦୃଢ଼ ହେବ ଏବଂ କଟକର ସଂଗଠନ ଆହୁରି ଆଗକୁ ବଢ଼ିବ ବୋଲି ସେ କହିଛନ୍ତି।