FeaturedLatestNews

ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ଡାକ୍ତରଙ୍କୁ ଉଠାଇ ନେଲା ପୋଲିସ

ଭଦ୍ରକ (ସଂକେତ ଟିଭି): ଭଦ୍ରକ ଜିଲ୍ଲାର ଗ୍ରାମାଞ୍ଚଳ ଥାନା ଆରଡ଼ି ଛକ ନିକଟରେ ଥିବା ଏକ ଘରୋଇ କ୍ଲିନିକରେ ଶନିବାର ଦିନ ତୀବ୍ର ଉତ୍ତେଜନା ଦେଖାଦେଇଛି। ରୋଗୀଙ୍କ ପରିବାର ଲୋକେ ଚିକିତ୍ସା ଅବହେଳା ଅଭିଯୋଗ ଆଣିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣରେ ଆଣିଥିଲା। ଏହି ଘଟଣାରେ ଚିକିତ୍ସା କରୁଥିବା ଡାକ୍ତର ପ୍ରିୟ ରଞ୍ଜନ ବାରିକଙ୍କୁ ପୋଲିସ ଉଠାଇ ନେଇଛି।

ଅଭିଯୋଗ ଅନୁଯାୟୀ, ଧୂଷୁରୀ ଥାନା ଗୋବିନ୍ଦପୁର ପଞ୍ଚାୟତ ଅଜମନ୍ତପୁର ଗାଁର ଅଭୟ ଜେନାଙ୍କୁ ପରିବାର ଲୋକେ ଏହି ଘରୋଇ ନର୍ସିଂହୋମରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ତାଙ୍କର ଠିକ୍ ଭାବେ ସ୍ବାସ୍ଥ୍ୟ ପରୀକ୍ଷା ନକରି ଭୁଲ ଇଞ୍ଜେକ୍ସନ ଦିଆଯାଇଥିବା ଏବଂ ତାହାରି ପରିଣତିରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି।

ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆକ୍ରୋଶିତ ଲୋକଙ୍କୁ ବୁଝାସୁଝା କରିବା ସହ ଡାକ୍ତରଙ୍କୁ ଅଟକାଇ ନେଇଥିଲା। ଅନ୍ୟପକ୍ଷରେ, ଡାକ୍ତର ପ୍ରିୟ ରଞ୍ଜନ ବାରିକ ରୋଗୀଙ୍କୁ ସଠିକ୍ ଚିକିତ୍ସା ଦିଆଯାଇଥିବା ଦାବି କରିଛନ୍ତି। ଏହି ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ବ୍ୟାପିଛି।

Leave a Reply

Your email address will not be published. Required fields are marked *