FeaturedLatestNews

ବାଲେଶ୍ୱର, ଅନୁଗୋଳ ଓ ସମ୍ବଲପୁର ଜିଲ୍ଲା କୋର୍ଟକୁ ବୋମା ଧମକ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟର ତିନୋଟି ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା କୋର୍ଟ – ବାଲେଶ୍ୱର, ଅନୁଗୋଳ ଓ ସମ୍ବଲପୁର – କୁ ବୋମାରେ ଉଡ଼ାଇଦେବାକୁ ଧମକପୂର୍ଣ୍ଣ ଇ-ମେଲ୍ ଆସିଛି । ଏହି ଘଟଣା ପରେ ତିନି ଜିଲ୍ଲା କୋର୍ଟ ପରିସରରେ ଆତଙ୍କ ଖେଳିଯାଇଥିବା ବେଳେ କୋର୍ଟ କର୍ମଚାରୀ, ଆଇନଜୀବୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ଭୟ ବ୍ୟାପିଯାଇଛି ।

ବାଲେଶ୍ୱର ଜିଲ୍ଲା ଜଜଙ୍କ ନିକଟକୁ ଆସିଥିବା ବୋମା ଧମକ ଇ-ମେଲ୍ ଖବର ପ୍ରଚାରିତ ହେବା ପରେ କୋର୍ଟ ପରିସରରେ ଭୟଭୀତ ପରିସ୍ଥିତି ସୃଷ୍ଟି ହୋଇଥିଲା । ଉପସ୍ଥିତ ଆଇନଜୀବୀ, କର୍ମଚାରୀ ଓ ସାଧାରଣ ଲୋକେ ଭୟରେ କୋର୍ଟ ପରିସର ଛାଡ଼ି ବାହାରକୁ ବାବାରି ଆସିଥିଲେ । ଫଳରେ କିଛି ମିନିଟ୍ ମଧ୍ୟରେ କୋର୍ଟ ପରିସର ସମ୍ପୂର୍ଣ୍ଣ ଖାଲି ହୋଇଯାଇଥିଲା । ସୂଚନା ପାଇ ପୋଲିସ ଓ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ ଇ-ମେଲ୍ର ସତ୍ୟତା ଯାଞ୍ଚ କରାଯାଉଛି ।

ସୂଚନା ଅନୁସାରେ, ଅନୁଗୋଳ ଜିଲ୍ଲା ଜଜଙ୍କ ଇ-ମେଲ୍‌କୁ ଗତକାଲି ରାତି ୨.୩୦ ବେଳେ ବୋମା ଧମକ ମେଲ୍ ଆସିଥିଲା । ଆଜି ସକାଳ ପ୍ରାୟ ୧୦.୩୦ ରେ ଜିଲା ଜଜ୍ କୋର୍ଟକୁ ଆସି ଏହା ଜାଣିବାକୁ ପାଇବା ପରେ ଅନୁଗୋଳ ଏସପି ଓ ହାଇକୋର୍ଟଙ୍କୁ ଖବର ଦେଇଥିଲେ । ଖବର ପାଇବା ପରେ ପୋଲିସ କୋର୍ଟ ପରିସରରେ ପହଞ୍ଚି କୋର୍ଟକୁ ଖାଲି କରାଇଦେଇଥିଲା । ପୋଲିସ, ବମ ସ୍କ୍ୱାର୍ଡ ଓ ଡଗ ସ୍କ୍ୱାର୍ଡ ଘଟଣାସ୍ଥଳରେ ପହଞ୍ଚି ପୁରା କୋର୍ଟ ପରିସରକୁ ତନତନ କରି ତନଖି କରୁଛନ୍ତି । ସମସ୍ତ ଜଜ୍, କର୍ମଚାରୀ ଓ ଓକିଲ କୋର୍ଟ ବାହାରେ ଦୀର୍ଘ ସମୟ ଧରି ରହିଛନ୍ତି । ଅନୁଗୋଳ ଏସପି ରାହୁଲ୍ ଜୈନ ପ୍ରେସ ବିବୃତ୍ତିରେ ସୂଚନା ଦେଇ କୌଣସି ଭୟଭୀତ ନହେବାକୁ ଅନୁରୋଧ କରିଛନ୍ତି ।

ସମ୍ବଲପୁର ଜିଲ୍ଲା କୋର୍ଟକୁ ପୁଣି ଥରେ ବୋମା ଧମକ ଆସିଛି । କୋର୍ଟ କମ୍ପ୍ଲେକ୍ସକୁ ଉଡ଼ାଇଦେବାକୁ ଧମକ ଦେଇ ଏକ ଇ-ମେଲ୍ ପଠାଯାଇଥିଲା । ଏହା ଗତ ୪ ମାସ ମଧ୍ୟରେ ସମ୍ବଲପୁର କୋର୍ଟକୁ ମିଳିଥିବା ଚତୁର୍ଥ ବୋମା ଧମକ । ଧମକ ପରେ ସୁରକ୍ଷା ବ୍ୟବସ୍ଥାକୁ ଯଥେଷ୍ଟ କଡ଼ାକଡ଼ି କରାଯାଇଛି । କୋର୍ଟ ପରିସର ଓ ଆଖପାଖ ଅଞ୍ଚଳରେ ବ୍ୟାପକ ତଲାସୀ ଅଭିଯାନ ଆରମ୍ଭ ହୋଇଛି । ସମ୍ବଲପୁର ଅତିରିକ୍ତ ଏସପି ଅଜୟ ମିଶ୍ର କହିଛନ୍ତି ଯେ, ଓକିଲ ଓ ମହକିଲମାନଙ୍କୁ କୋର୍ଟ ପରିସର ଛାଡ଼ିବାକୁ କୁହାଯାଇଛି । ବମ୍ ସ୍କ୍ୱାର୍ଡ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମସ୍ତ ପ୍ରକାର ପରିସ୍ଥିତି ପାଇଁ ପୋଲିସ ପ୍ରସ୍ତୁତ ଅଛି ।

ଏହି ଧମକପୂର୍ଣ୍ଣ ଇ-ମେଲ୍ର ଉତ୍ପତ୍ତି ଖୋଜିବା ଓ ପ୍ରେରକଙ୍କୁ ଚିହ୍ନଟ କରିବା ପାଇଁ ସାଇବର ଟିମ୍ ନିୟୋଜିତ କରାଯାଇଛି । ତିନି ଜିଲ୍ଲା କୋର୍ଟରେ ପୋଲିସ, ବମ୍ ସ୍କ୍ୱାର୍ଡ ଓ ଡଗ ସ୍କ୍ୱାର୍ଡ ଦ୍ୱାରା ଛାନଭିନ ଜାରି ରହିଛି । ଘଟଣାକୁ ଗମ୍ଭୀରତାର ସହ ନେଇ ପୋଲିସ ବ୍ୟାପକ ତଦନ୍ତ ଆରମ୍ଭ କରିଥିବା ବେଳେ ସାଧାରଣ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।