ଧାନ ସଂଗ୍ରହ ପଞ୍ଜୀକରଣରେ ଜଟିଳତା ନାହିଁ: ଯୋଗାଣ ମନ୍ତ୍ରୀ
ଭୁବନେଶ୍ଵର(ସଂକେତ୍ ଟିଭି): ରାଜ୍ୟରେ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟାରେ କୌଣସି ଜଟିଳତା ନଥିବା ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି ଯେ, ସରକାର ଚାଷୀମାନଙ୍କ ସହିତ ଦୃଢ଼ ଭାବରେ ଛିଡ଼ା ହୋଇଛନ୍ତି ଏବଂ ପଞ୍ଜୀକରଣ ପ୍ରକ୍ରିୟାକୁ ସରଳ କରାଯାଇଛି।
ମନ୍ତ୍ରୀ ଶ୍ରୀ ପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ, ପଞ୍ଜୀକରଣ ପାଇଁ ଆଗ୍ରିଷ୍ଟେକ୍ ଆଇଡି ବାଧ୍ୟତାମୂଳକ ନୁହେଁ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୫,୦୯୩ ଜଣ ଚାଷୀ ପଞ୍ଜୀକରଣ କରିସାରିଛନ୍ତି, ଯେଉଁମାନଙ୍କ ମଧ୍ୟରୁ ୩,୧୦୮ ଜଣଙ୍କର ଆଗ୍ରିଷ୍ଟେକ୍ ଆଇଡି ରହିଛି। ତେବେ ଏହା ବିନା ମଧ୍ୟ ଚାଷୀମାନେ ସହଜରେ ପଞ୍ଜୀକରଣ କରିପାରିବେ। ଧାନ ଟୋକନ ସଂଗ୍ରହ ପୂର୍ବରୁ କୃଷି ବିଭାଗର ଏହି ଆଇଡି ଆବଶ୍ୟକ ହେଉଥିବାରୁ, ଚାଷୀମାନେ କାର୍ଯ୍ୟାଳୟରେ ପଞ୍ଜୀକରଣ ସମୟରେ ନିଜର ଆଗ୍ରିଷ୍ଟେକ୍ ଆଇଡି ରେଜିଷ୍ଟର କରିପାରିବେ। ଜମି ପଟ୍ଟାର ROR ଦାଖଲ କଲେ ମାତ୍ର ଦୁଇ ଦିନ ଭିତରେ ଏହି ଆଇଡି ପ୍ରଦାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।
ଭାଗ ଚାଷୀମାନଙ୍କ ପାଇଁ ମଧ୍ୟ କୌଣସି ଅସୁବିଧା ନଥିବା ନେଇ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଆବଶ୍ୟକୀୟ କାଗଜପତ୍ର ଦାଖଲ କଲେ ସେମାନେ ମଧ୍ୟ ସହଜରେ ପଞ୍ଜୀକରଣ କରିପାରିବେ। ଯଦି ଜମି ମାଲିକ ଉପସ୍ଥିତ ରହିପାରୁନାହାନ୍ତି, ତେବେ ସେମାନଙ୍କ ପାଇଁ ସରକାର ଏକ ବିଶେଷ ଆପ୍ଲିକେସନ୍ (ଆପ୍) ଆଣୁଛନ୍ତି। ଏହି ଆପ୍ ମାଧ୍ୟମରେ ମାଲିକ ନିଜର ଅନୁମତି ପ୍ରଦାନ କରିପାରିବେ, ଯାହାଫଳରେ ଭାଗ ଚାଷୀମାନଙ୍କ ପଞ୍ଜୀକରଣରେ ସୁବିଧା ହେବ।
ପଞ୍ଜୀକରଣ ପ୍ରକ୍ରିୟା ଆସନ୍ତା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଆବଶ୍ୟକ ପଡ଼ିଲେ ଏହି ସମୟସୀମାକୁ ବୃଦ୍ଧି କରାଯିବ ବୋଲି ମନ୍ତ୍ରୀ ପାତ୍ର ଘୋଷଣା କରିଛନ୍ତି। ସେ ବିରୋଧୀଙ୍କ ଅଭିଯୋଗକୁ ଭିତ୍ତିହୀନ ବୋଲି ଖାରଜ କରି କହିଛନ୍ତି ଯେ, ସରକାର ସମସ୍ତ ଚାଷୀଙ୍କଠାରୁ ଧାନ ସଂଗ୍ରହ କରିବେ। ଗତ ଖରିଫ ଋତୁରେ ୭୮ ଲକ୍ଷ ମେଟ୍ରିକ୍ ଟନ୍ ଏବଂ ରବି ଋତୁରେ ୨୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯାଇଥିବା ସେ ଉଲ୍ଲେଖ କରିଛନ୍ତି।
