GeneralHealthLatest

୩୯ଟି ନୂଆ ଔଷଧର ମୂଲ୍ୟ ସ୍ଥିର କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ (ସଂକେତ ଟିଭି): କେନ୍ଦ୍ର ସରକାର ଦେଶରେ ୩୯ଟି ନୂତନ ଔଷଧର ଖୁଚୁରା ମୂଲ୍ୟ ସ୍ଥିର କରିଛନ୍ତି। ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ (NPPA) ଔଷଧ ମୂଲ୍ୟ ନିୟନ୍ତ୍ରଣ ଅର୍ଡର (DPCO) ୨୦୧୩ ନିୟମ ଅନୁସାରେ ଏହି ନୂଆ ଦର ଜାରି କରିଛି। ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରୋଗୀମାନଙ୍କ ପାଇଁ ଅତ୍ୟାବଶ୍ୟକ ଔଷଧର ଦର ଶସ୍ତା କରିବା ଏବଂ କମ୍ପାନୀଗୁଡ଼ିକୁ ମନଇଚ୍ଛା ଦର ବୃଦ୍ଧିରୁ ରୋକିବା।

ନୂଆ ମୂଲ୍ୟ ତାଲିକାରେ ଉଚ୍ଚ ରକ୍ତଚାପ, ମଧୁମେହ (ଡାୟାବେଟିସ୍), ହୃଦ୍ ରୋଗ, HIV ଏବଂ ଆଖି ସଂକ୍ରମଣ ଭଳି ଗୁରୁତର ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଔଷଧ ସାମିଲ ରହିଛି। ଯଥା – ଆମ୍ଲୋଡିପାଇନ, ବାଇସୋପ୍ରୋଲୋ ଓ ଟେଲମିସାର୍ଟାନ ପ୍ରତି ଟାବଲେଟର ମୂଲ୍ୟ ୧୪ ଟଙ୍କା ୭୪ ପଇସା ଧାର୍ଯ୍ୟ କରାଯାଇଛି। ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଏବେ ଔଷଧ କମ୍ପାନୀଗୁଡ଼ିକ ନିର୍ଦ୍ଧାରିତ ଦରଠାରୁ ଅଧିକ ଦାମ୍ ନେଇପାରିବେ ନାହିଁ।

NPPA ପକ୍ଷରୁ କୁହାଯାଇଛି ଯେ, ବଜାରକୁ ଆସୁଥିବା ପ୍ରତ୍ୟେକ ନୂଆ ବ୍ୟାଚ୍ ଔଷଧର ଷ୍ଟ୍ରିପ୍ ଉପରେ ଏହି ସଂଶୋଧିତ MRP (ସର୍ବୋଚ୍ଚ ଖୁଚୁରା ମୂଲ୍ୟ) ଛାପିବା ବାଧ୍ୟତାମୂଳକ। ସମସ୍ତ ଔଷଧ ପ୍ରସ୍ତୁତକାରୀ ଏବଂ ବିକ୍ରେତାଙ୍କୁ ତୁରନ୍ତ ଏହି ନୂଆ ଦର ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାଦ୍ୱାରା ଗ୍ରାହକମାନେ ସଠିକ୍ ମୂଲ୍ୟରେ ଔଷଧ ପାଇପାରିବେ ଏବଂ ଅତ୍ୟଧିକ ଦାମ୍ ଦେବାକୁ ବାଧ୍ୟ ହେବେ ନାହିଁ।

ଯଦି କୌଣସି ଔଷଧ କମ୍ପାନୀ କିମ୍ବା ଖୁଚୁରା ଦୋକାନଦାର ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ଟଙ୍କା ଗ୍ରାହକଙ୍କଠାରୁ ଆଦାୟ କରନ୍ତି, ତେବେ ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗ୍ରାହକମାନେ ଔଷଧ କିଣିବା ସମୟରେ ପ୍ୟାକେଟ୍ରେ ଥିବା MRP ନିଶ୍ଚୟ ଯାଞ୍ଚ କରନ୍ତୁ। ଯଦି କୌଣସି ବିକ୍ରେତା ଅଧିକ ଦାମ୍ ନେଉଛନ୍ତି, ତେବେ ଗ୍ରାହକ ନିଜ ନିକଟସ୍ଥ NPPA କାର୍ଯ୍ୟାଳୟ କିମ୍ବା ଔଷଧ ନିୟନ୍ତ୍ରଣ ବିଭାଗରେ ଅଭିଯୋଗ ଦାଖଲ କରିପାରିବେ।