ପାଠ୍ୟପୁସ୍ତକ ତ୍ରୁଟି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ଥିବା ତ୍ରୁଟି ଘଟଣାକୁ ଗମ୍ଭୀରତାର ସହ ବିଚାର କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏକ ନିଷ୍ପତ୍ତି ନେଇଛନ୍ତି। ସେ ଏହି ସମଗ୍ର ପ୍ରକ୍ରିୟାର ଅପରାଧିକ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ତ୍ରୁଟି କେବଳ ଭୁଲ ନୁହେଁ, ବରଂ ଏହା ଏକ ଗୁରୁତର ଅପରାଧ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ ଏହାର ସମ୍ପୂର୍ଣ୍ଣ ଅନୁସନ୍ଧାନ ଦାବି କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ, ଏବେ ଏହି ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ ଦ୍ୱାରା କରାଯିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ SCERT (ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ) ନିର୍ଦ୍ଦେଶକଙ୍କୁ କ୍ରାଇମବ୍ରାଞ୍ଚର ଏସ୍.ପି.ଙ୍କ ନିକଟରେ ଏକ ପ୍ରାଥମିକ ସୂଚନା ରିପୋର୍ଟ (FIR) ଦାୟର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି FIR ଆଧାରରେ କ୍ରାଇମବ୍ରାଞ୍ଚ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରକାଶନ ପ୍ରକ୍ରିୟା ସହ ଜଡ଼ିତ ସମସ୍ତ ବ୍ୟକ୍ତି ଓ ସଂସ୍ଥା ବିରୁଦ୍ଧରେ ତଦନ୍ତ ଆରମ୍ଭ କରିବ।
ଉଲ୍ଲେଖଯୋଗ୍ୟ ଯେ, ଏହି ତ୍ରୁଟି ଘଟଣାକୁ ନେଇ ପୂର୍ବରୁ ମୁଖ୍ୟମନ୍ତ୍ରୀ ଏକ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ତଦନ୍ତ କମିଟି ଗଠନ କରିଥିଲେ। ଏହି କମିଟିର ରିପୋର୍ଟ ଆସିବା ପରେ SCERTର ପୂର୍ବତନ ନିର୍ଦ୍ଦେଶକଙ୍କ ସମେତ ୩ ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବନ କରାଯାଇଥିଲା। ସେହିପରି, ୬ ଜଣ ସହକାରୀ ନିର୍ଦ୍ଦେଶକଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏବେ ଏହି ପ୍ରଶାସନିକ କାର୍ଯ୍ୟାନୁଷ୍ଠାନକୁ ଅପରାଧିକ ତଦନ୍ତ ପର୍ଯ୍ୟନ୍ତ ବିସ୍ତାର କରାଯାଇଛି।
