ବିନା ଟାହିଆରେ ପହଣ୍ଡି ଘଟଣାରେ ରାଜ୍ୟ ସରକାରଙ୍କୁ ବର୍ଷିଲା କଂଗ୍ରେସ
ଭୁବନେଶ୍ୱର (ସଂକେତ ଟିଭି): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାରମ୍ପରିକ ପହଣ୍ଡି ବେଳେ ବିନା ଟାହିଆରେ ରଥାରୂଢ଼ ହେବା ଘଟଣା ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ପରମ୍ପରା ଭଙ୍ଗକୁ ନେଇ ଭକ୍ତ ଓ ରାଜନେତାମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପହଣ୍ଡି ସମୟରେ ଟାହିଆ ମହାପ୍ରଭୁଙ୍କ ଶୋଭା ବୃଦ୍ଧି କରିଥାଏ, କିନ୍ତୁ ଏଥର ତାହା ବିନା ହିଁ ମହାପ୍ରଭୁଙ୍କୁ ରଥରେ ବିଜେ କରାଯାଇଥିବାରୁ ବ୍ୟାପକ ଅସନ୍ତୋଷ ଦେଖାଦେଇଛି।
ବିରୋଧୀ ଦଳ ବିଜୁ ଜନତା ଦଳ (ବିଜେଡି) ଏହି ଘଟଣାକୁ ସରକାରୀ ଅବ୍ୟବସ୍ଥା ଓ ଓଡ଼ିଆ ଅସ୍ମିତା ଉପରେ ଆକ୍ରମଣ ବୋଲି ଆଖ୍ୟା ଦେଇ ଶାସକ ଦଳକୁ ଟାର୍ଗେଟ୍ କରିଛି। ଏହି କ୍ରମରେ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ ତୀବ୍ର କ୍ଷୋଭ ପ୍ରକାଶ କରି ବର୍ଷିଛନ୍ତି। ସେ ପ୍ରଶ୍ନ ଉଠାଇଛନ୍ତି ଯେ, ଟାହିଆ ହଟାଇବାକୁ କିଏ ପରାମର୍ଶ ଦେଲା? ଭକ୍ତ ଚରଣ କହିଛନ୍ତି, “ଜଗନ୍ନାଥଙ୍କ ଆଖିରେ କାଲି ଲୁହ ଥିଲା। ମନ୍ଦିର ଭିତରୁ ବାହାରିବାକୁ ଘଣ୍ଟା ଘଣ୍ଟା ସମୟ ଲାଗିଛି। ବିନା ଟାହିଆରେ ରହି ରହି ଆସିଛନ୍ତି ମହାପ୍ରଭୁ।”
ଶ୍ରୀଦାସ ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି ଯେ, ଶ୍ରୀଜଗନ୍ନାଥଙ୍କୁ ଶ୍ରୀହୀନ କରି ଭକ୍ତଙ୍କ ପାଖକୁ ଆଣିବାର ଆବଶ୍ୟକତା କ’ଣ ଥିଲା? ସେ କହିଛନ୍ତି ଯେ, କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଆସ୍ଥା ଓ ବିଶ୍ୱାସ ଉପରେ ଏହା ପ୍ରହାର ସମାନ। ଅପାରଗତା କାରଣରୁ ଜାଣିଶୁଣି ଟାହିଆ ହଟାଯାଇଥିବା ନେଇ ସେ ଅଭିଯୋଗ କରିଛନ୍ତି।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ନିଜ ବୟାନ ପାଇଁ ଅନୁତପ୍ତ ହେବାକୁ କହି ଭକ୍ତ ଚରଣ ଦାସ କହିଛନ୍ତି ଯେ, ସରକାରଙ୍କ ଆୟୋଜନରେ ଥିବା ଭୁଲ ଯୋଗୁଁ ଏପରି ଘଟିଛି। ଦଳାଚକଟା ଏଡ଼ାଇବା ପାଇଁ ପଦ୍ଧତି ବଦଳାଇବାକୁ ପଡ଼ିବ। ବୟସ୍କ କିମ୍ବା ରୁଗ୍ଣ ଭକ୍ତଙ୍କ ପାଇଁ ଅଲଗା ଏନକ୍ଲୋଜର ରହିବା ଉଚିତ ଏବଂ ଭିଡ଼ ନିୟନ୍ତ୍ରଣ ପାଇଁ ଏକ ସ୍ୱତନ୍ତ୍ର ପ୍ରଣାଳୀ ଆଣିବାକୁ ସେ ପରାମର୍ଶ ଦେଇଛନ୍ତି। ଏହି ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚା ଓ ସମାଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି।
