CulturalFeaturedLatestNews

ଶରଧାବାଲିରେ ତିନି ରଥ, ଭକ୍ତିମୟ ହୋଇଉଠିଲା ବଡ଼ଦାଣ୍ଡ

ପୁରୀ(ସଂକେତ ଟିଭି): ଶ୍ରୀକ୍ଷେତ୍ର ପୁରୀର ଶରଧାବାଲିରେ ପହଞ୍ଚିଛି ତିନି ରଥ। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ପହଞ୍ଚିଥିଲା। ଏହାପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମଧ୍ୟ ଶରଧାବାଲିରେ ପହଞ୍ଚିଛି। ତିନି ରଥ ପହଞ୍ଚିବା ପରେ ଶ୍ରୀକ୍ଷେତ୍ରର ବାତାବରଣ ଏକ ଦିବ୍ୟ ଭକ୍ତିମୟ ରୂପ ଧାରଣ କରିଛି।

ଘଣ୍ଟ, ଶଙ୍ଖଧ୍ୱନି, ହରିବୋଲ ଓ ହୁଳହୁଳିରେ ସାରା ବଡ଼ଦାଣ୍ଡ ପ୍ରକମ୍ପିତ ହୋଇଉଠିଥିଲା। ଲକ୍ଷ ଲକ୍ଷ ଭକ୍ତଙ୍କ ‘ଜୟ ଜଗନ୍ନାଥ’ ଧ୍ୱନିରେ ଶ୍ରୀକ୍ଷେତ୍ର ପୁରୀ ଗଜଗଜ ହୋଇଉଠିଥିଲା। ଏହି ଦିବ୍ୟ ଦୃଶ୍ୟର ସାକ୍ଷୀ ହୋଇ ଭକ୍ତମାନେ ଭାବବିହ୍ୱଳ ହୋଇପଡ଼ିଥିଲେ ଏବଂ ନିଜକୁ ଧନ୍ୟ ମନେକରିଥିଲେ। ଶ୍ରୀଜଗନ୍ନାଥଙ୍କ ପ୍ରତି ଥିବା ଅତୁଟ ଭକ୍ତି ଏବଂ ଶ୍ରଦ୍ଧା ଏହି ପବିତ୍ର କ୍ଷଣରେ ସ୍ପଷ୍ଟ ଦେଖିବାକୁ ମିଳିଥିଲା।

ବୁଧବାର ଦିନ ଅପରାହ୍ନ ସମୟରେ ଆରମ୍ଭ ହୋଇଥିବା ରଥ ଟଣା ଦିନ ଗଡ଼ିବା ପରେ ମଧ୍ୟ ସମ୍ପନ୍ନ ହୋଇପାରିନଥିଲା। ଫଳରେ ଗୁରୁବାର ଦିନ ପୁଣିଥରେ ରଥ ଟଣା ଆରମ୍ଭ ହୋଇଥିଲା। ଦୀର୍ଘ ସମୟ ଧରି ଭକ୍ତମାନେ ଶ୍ରଦ୍ଧା ଓ ଉତ୍ସାହର ସହିତ ରଥ ଟାଣିଥିଲେ। ଏହି ନିରନ୍ତର ପ୍ରୟାସ ଫଳରେ ପ୍ରଥମେ ତାଳଧ୍ୱଜ, ପରେ ଦର୍ପଦଳନ ଏବଂ ଶେଷରେ କାଳିଆ ସାଆନ୍ତେଙ୍କ ନନ୍ଦିଘୋଷ ରଥ ଶରଧାବାଲିରେ ପହଞ୍ଚି ଏହି ବାର୍ଷିକ ରଥଯାତ୍ରାର ମୁଖ୍ୟ ପର୍ଯ୍ୟାୟ ସମ୍ପୂର୍ଣ୍ଣ କରିଥିଲା।