ଦୁର୍ବଳ ହୋଇ ଘୁର୍ଣ୍ଣିବଳୟରେ ପରିଣତ ହେଲା ଲଘୁଚାପ, ଆସନ୍ତା ୫ ଦିନ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର (ସଂକେତ ଟିଭି): ବଙ୍ଗୋପସାଗରରେ ସକ୍ରିୟ ରହିଥିବା ଲଘୁଚାପଟି ଦୁର୍ବଳ ହୋଇ ଘୁର୍ଣ୍ଣିବଳୟରେ ପରିଣତ ହୋଇଛି। ଏହି ଘୁର୍ଣ୍ଣିବଳୟଟି ବର୍ତ୍ତମାନ ଗାଙ୍ଗେୟ ପଶ୍ଚିମବଙ୍ଗର ପଶ୍ଚିମ ଅଂଶ ଏବଂ ସଂଲଗ୍ନ ଉତ୍ତର ଝାରଖଣ୍ଡ ଉପରେ ସ୍ଥିତ। ଏହା ସମୁଦ୍ର ପତନଠାରୁ ୪.୫ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି। ଏହାର ପ୍ରଭାବରେ ଆସନ୍ତା ୩ ଦିନ ପ୍ରବଳ ବର୍ଷା ହେବା ସହ ୫ ଦିନ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ଏହି ସମୟରେ କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର, ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ସେହିପରି ଆସନ୍ତାକାଲି ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବ ଏବଂ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଏହା ବ୍ୟତୀତ ଉପକୂଳ ଓଡ଼ିଶାର ୧୧ ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ୩୦ରୁ ୪୦ କିଲୋମିଟର ବେଗରେ ଝଟକା ପବନ ବହିବାର ସମ୍ଭାବନା ପାଇଁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି।
ସୂଚନାଯୋଗ୍ୟ, ଜୁନ୍ ୧ ତାରିଖଠାରୁ ଏପର୍ଯ୍ୟନ୍ତ ରାଜ୍ୟରେ ୪୫୮.୫ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଏହା ସ୍ୱାଭାବିକ ବର୍ଷାଠାରୁ ୧୬ ପ୍ରତିଶତ ଅଧିକ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇଥିବା ବେଳେ ୧୬ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ତେବେ ଏବେବି କଳାହାଣ୍ଡି, କନ୍ଧମାଳ ଓ ମୟୂରଭଞ୍ଜ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରହିଛି। ଅନ୍ୟପଟେ, ଗତ ୨୪ ଘଣ୍ଟାରେ ୧୩ ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା ଥିଲା। ଏଥିମଧ୍ୟରେ ପୁରୀ ଜିଲ୍ଲାର ସତ୍ୟବାଦୀରେ ସର୍ବାଧିକ ୧୦୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।
