CulturalFeaturedLatestNews

ଶ୍ରୀମନ୍ଦିରରେ ଏଏସଆଇ ଟିମ୍: ଆରମ୍ଭ ହେଲା ସଂରକ୍ଷଣ କାର୍ଯ୍ୟ

ପୁରୀ(ସଂକେତ ଟିଭି): ଶ୍ରୀମନ୍ଦିରରେ ଏଏସଆଇ (ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ) ଟିମ୍ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ସଂରକ୍ଷଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ନବଦିନାତ୍ମକ ରଥଯାତ୍ରା ପାଇଁ ରତ୍ନସିଂହାସନ ଛାଡ଼ି ଗୁଣ୍ଡିଚା ମନ୍ଦିରକୁ ବିଜେ କରିଥିବାରୁ ଏହି ସମୟରେ ଶ୍ରୀମନ୍ଦିରର ଗର୍ଭଗୃହ, ନାଟମଣ୍ଡପ ଏବଂ ଭୋଗମଣ୍ଡପର ମରାମତି ଓ ସଂରକ୍ଷଣ କାର୍ଯ୍ୟ କରାଯାଉଛି।

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହାପରେ ଏଏସଆଇ ଏବଂ ଶ୍ରୀମନ୍ଦିର ପ୍ରଶାସନର ବୈଷୟିକ ଟିମ୍ ଶ୍ରୀମନ୍ଦିର ଭିତରକୁ ଯାଇ ସ୍ଥାନୀୟ ଅନୁଧ୍ୟାନ କରିଛନ୍ତି। ସେଣ୍ଟ୍ରାଲ ବିଲ୍ଡିଙ୍ଗ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (ସିବିଆର୍ଆଇ) ଏବଂ ମାଡ୍ରାସ ଆଇଆଇଟି ପକ୍ଷରୁ ଏହି ସଂରକ୍ଷଣ କାର୍ଯ୍ୟ ପରିଚାଳନା କରାଯାଉଛି। ଏହି ପ୍ରକଳ୍ପ ଅଧୀନରେ ନାଟମଣ୍ଡପକୁ ଶୀତତାପ ନିୟନ୍ତ୍ରିତ (ଏୟାର କଣ୍ଡିସନିଂ) କରାଯିବା ପାଇଁ ମଧ୍ୟ କାର୍ଯ୍ୟ ଆରମ୍ଭ ହୋଇସାରିଛି।

ଆସନ୍ତା ରବିବାର (୨୦ ଜୁଲାଇ) ଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ରତ୍ନ ଓ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଅନୁଷ୍ଠିତ ହେବ। ଏହି ଅବସରରେ ମହାପ୍ରଭୁଙ୍କ ରାହୁ ରେଖା, ଝୋବା, ସୁନା ଚିତା, ରୂପା ରସିକ ସୁରା ଥଣ୍ଟିଆ ଆଦିର ଗଣତି ସହିତ ସେମାନଙ୍କର ଥ୍ରୀଡି ସ୍କାନିଂ ମଧ୍ୟ କରାଯିବ। ଏହା ରତ୍ନଭଣ୍ଡାରର ସମ୍ପତ୍ତିର ଏକ ବ୍ୟାପକ ତାଲିକା ପ୍ରସ୍ତୁତ କରିବାରେ ସହାୟକ ହେବ।

ଅନ୍ୟପଟେ, ଗୁଣ୍ଡିଚା ମନ୍ଦିରରେ ଆଜି ମହାପ୍ରଭୁଙ୍କ ‘ଆଡ଼ପ ବିଜେ’ ନୀତି ଅନୁଷ୍ଠିତ ହେବାକୁ ଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସନ୍ଧ୍ୟାରେ ଠାକୁରଙ୍କ ଆଡ଼ପ ପହଣ୍ଡି ହେବ। ଏଥିପାଇଁ ଗୁଣ୍ଡିଚା ମନ୍ଦିର ପରିସରରେ ଗତକାଲି ରାତିରୁ ଆଜି ସକାଳୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ମୁଖ୍ୟ ପ୍ରଶାସକ ଡଃ ପାଢୀ ସମସ୍ତ ଭକ୍ତଙ୍କୁ ପ୍ରଶାସନିକ ନିୟମ ମାନି ମହାପ୍ରଭୁଙ୍କ ଦର୍ଶନ ଓ କୃପା ଲାଭ କରିବାକୁ ନିବେଦନ କରିଛନ୍ତି।

ରବିବାର ଦିନ ଆଡ଼ପ ଅବଢ଼ା (ଖାଲି ପହଣ୍ଡି) ବାହାରିବ। ଏହି ସମସ୍ତ ପ୍ରକ୍ରିୟା ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ସୁଆର ମହାସୁଆର ନିଯୋଗ ଓ ଅନ୍ୟାନ୍ୟ ସେବାୟତ ନିଯୋଗଙ୍କ ସହ ଉତ୍ତମ ସମନ୍ବୟ ରଖାଯାଇଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ଏହି ସମୟରେ, ଶ୍ରୀମନ୍ଦିରରେ ‘ଚୁଲି ଭଙ୍ଗା’ ଘଟଣାକୁ ନେଇ ମୁଖ୍ୟ ପ୍ରଶାସକ ଡଃ ପାଢୀ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଏଭଳି କୌଣସି ଅଭିଯୋଗ ଆସିନାହିଁ। ଯଦି କୌଣସି ଅଭିଯୋଗ ଆସେ, ତେବେ ପ୍ରଶାସନ ତାହାର ଉପଯୁକ୍ତ ସମାଧାନ କରିବ ବୋଲି ସେ ସ୍ପଷ୍ଟ କରିଛନ୍ତି।