FeaturedGeneralLatestPolitics

ଇଣ୍ଡିଆ ବ୍ଲକର ମହାରାଲି: ଜ୍ଞାନେଶଙ୍କ ଇସ୍ତଫା ଦାବି ସହ ମୋଦୀ-ଶାହାଙ୍କୁ ଟାର୍ଗେଟ୍ କଲେ ରାହୁଲ

ନୂଆଦିଲ୍ଲୀ(ସଂକେତ ଟିଭି): ରାଜଧାନୀ ଦିଲ୍ଲୀର ରାମଲୀଲା ମଇଦାନରେ ଆଜି ଏକଜୁଟ ହୋଇଛନ୍ତି ଦେଶର ତମାମ ବିରୋଧୀ ଦଳ। ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ ଗୋଟିଏ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ନିର୍ବାଚନ ପ୍ରକ୍ରିୟାରେ ସୁଧାର। ଆୟୋଜିତ ମହାରାଲିରେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟଶୈଳୀ ଏବଂ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ସହ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଇଣ୍ଡିଆ ବ୍ଲକର ସବୁ ବିରୋଧୀ ନେତା।

ଏହି ସମୟରେ ବିଜେପି ସରକାରକୁ କଡ଼ା ଶବ୍ଦରେ ସମାଲୋଚନା କରିଛନ୍ତି ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଭୋଟ୍ ଚୋରି କରି ବିଜେପି ସରକାର ଗଢିଥିବା ଅଭିଯୋଗ କରିଛନ୍ତି ସେ। ରାହୁଲ କହିଛନ୍ତି, ଦେଶରେ ଅନେକ ବର୍ଷ ଧରି ଭୋଟ୍ ଚୋରି ହେଉଛି। ମଧ୍ୟପ୍ରଦେଶ, ହରିୟାଣା, ଛତିଶଗଡ଼, ମହାରାଷ୍ଟ୍ର ଓ କର୍ଣ୍ଣାଟକର ନିର୍ବାଚନ ସହିତ ୨୦୨୪ ଲୋକସଭା ନିର୍ବାଚନରେ ମଧ୍ୟ ଭୋଟ୍ ଚୋରି ହୋଇଛି। ଇଭିଏମ ଜରିଆରେ ସବୁ ଜାଲିଆତି କରାଯାଇଛି। ଏପରିକି ଭୋଟର ତାଲିକାରୁ ଲୋକଙ୍କ ନାଁ ହଟାଯାଇ ନୂଆ ନାଁ ଯୋଡ଼ି ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରାଯାଇଛି।

ଏହି ସମୟରେ ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ଅମିତ ଶାହ କହିଥିଲେ ନରେନ୍ଦ୍ର ମୋଦୀ କେଉଁଆଡ଼େ ଯାଉ ନାହାନ୍ତି। ମାତ୍ର ସେ ଏହାର ଓଲଟା କହୁଛନ୍ତି ଯେ, ନରେନ୍ଦ୍ର ମୋଦୀ କେଉଁଆଡ଼େ ଯାଇ ପାରିବେ ନାହିଁ। ଯଦି ସେ ଯିବାକୁ ଚାହିଁବେ, ତଥାପି ତାଙ୍କୁ ଯିବାକୁ ଦେବୁ ନାହିଁ। ଜ୍ଞାନେଶ କୁମାରଙ୍କ ପରେ ସେ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଏହାର ସରକାର ସାମ୍ନାରେ ଛିଡ଼ା ହେବେ। ଏହି ସବୁ ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପିଏମ ମୋଦୀ ଓ ଅମିତ ଶାହ ମନେ ରଖନ୍ତୁ, ଆପଣ କେଉଁଆଡ଼େ ଏବେ ଆଉ ଯାଇ ପାରିବେ ନାହିଁ। ଜ୍ଞାନେଶ କୁମାର ସିଇସି ପଦରୁ ହଟିବେ ଏବଂ ମୋଦୀ-ଶାହଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ରାହୁଲ ଗାନ୍ଧୀ କହିଛନ୍ତି, ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହ କିମ୍ବା ସିଇସି ଜ୍ଞାନେଶ କୁମାରଙ୍କ ପ୍ରତି କୌଣସି ଘୃଣା ନାହିଁ। ତାଙ୍କର ନା ମୋଦୀ ଶତ୍ରୁ, ନା ଶାହ, ନା ଜ୍ଞାନେଶ କୁମାର। ମାତ୍ର ଦେଶର ପ୍ରତ୍ୟେକ ନାଗରିକଙ୍କ ତାଙ୍କ ପାଇଁ ସବୁଠୁ ଅଧିକ ମହତ୍ଵପୂର୍ଣ୍ଣ। ଏପରିକି ସେମାନଙ୍କ ସ୍ଵର ଧର୍ମଠୁ ବି ଉପରେ। ତେଣୁ କୌଣସି ମୂଲ୍ୟରେ ସମ୍ବିଧାନକୁ ବରବାଦ ହେବାକୁ ଦିଆଯିବ ନାହିଁ। ଏମିତି କରିବାକୁ କାହାରିକୁ ଅନୁମତି ମଧ୍ୟ ଦେବୁ ନାହିଁ।

ରାହୁଲ ଗାନ୍ଧୀ ମଞ୍ଚରୁ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ଜୋରଦାର ହମଲା ଜାରି ରଖିଥିଲେ। ସେ କହିଛନ୍ତି, ଦେଶର ପ୍ରତି ନାଗରିକ ଏବଂ ଯୁବ ପିଢିଙ୍କୁ ଏହି ଆହ୍ଵାନ ଯେ, ଜ୍ଞାନେଶ କୁମାରଙ୍କୁ ମୁଖ୍ୟ ନିର୍ବାଚନ ଆୟୁକ୍ତ ପଦରୁ ହଟିବାକୁ ପଡ଼ିବ। ତାଙ୍କୁ ଜେଲ୍ ଯିବାକୁ ପଡ଼ିବ। ରାହୁଲ ଆରୋପ ଲଗାଇଛନ୍ତି ଯେ, ଜ୍ଞାନେଶ କୁମାରଙ୍କ ବିନା ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହୋଇ ପାରି ନ ଥାନ୍ତେ। ଦେଶର କୃଷକଙ୍କୁ ତାର ହକ ମିଳୁନି ଏବଂ ଯୁବ ପିଢିଙ୍କୁ ରୋଜଗାର ମିଳୁନି। ଶ୍ରମିକ ମଧ୍ୟ ନିଜ ଅଧିକାରରୁ ବଞ୍ଚିତ। ହେଲେ ଦେଶର ପୂରା ସଂପତ୍ତି ଦୁଇ ତିନି ଜଣ ଲୋକଙ୍କ ହାତରେ ରହିଛି। ଆମେ ଏମିତି ଭାରତକୁ ସ୍ଵୀକାର କରିବୁ ନାହିଁ କି ଏମିତି ବ୍ୟବସ୍ଥାକୁ ଗ୍ରହଣ କରିବୁ ନାହିଁ ବୋଲି ରାହୁଲ କହିଛନ୍ତି।

Leave a Reply

Your email address will not be published. Required fields are marked *