FeaturedLatestNews

ଡିଜିପି-ଆଇଜିପି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ୧୦ଟି ଦିଶାନିର୍ଦ୍ଦେଶ, ନିଶାମୁକ୍ତ ଓଡ଼ିଶା ପାଇଁ ଲକ୍ଷ୍ୟ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟ ପୋଲିସ ଭବନଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ଡିଜିପି ଓ ଆଇଜିପି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟର ଆଇନ ଶୃଙ୍ଖଳା, ଆଭ୍ୟନ୍ତରୀଣ ସୁରକ୍ଷା, ସାଇବର ସୁରକ୍ଷା ଓ ଭବିଷ୍ୟତର ପୋଲିସିଂ ବ୍ୟବସ୍ଥାର ବ୍ୟାପକ ସମୀକ୍ଷା କରିଛନ୍ତି। ପୋଲିସ ସଂସ୍କାର ପାଇଁ ପ୍ରତ୍ୟେକ ପ୍ରସ୍ତାବକୁ ଗୁରୁତ୍ୱ ସହ ନେବା ସହ ଏହାର ସଫଳ କାର୍ଯ୍ୟକାରିତା ପାଇଁ ସରକାର ସମସ୍ତ ସାଧନ, ଅନୁଦାନ ଓ ପ୍ରଶାସନିକ ସହଯୋଗ ଯୋଗାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ବିଭାଗ ପକ୍ଷରୁ ଉପସ୍ଥାପିତ ପ୍ରତ୍ୟେକ ପ୍ରସ୍ତାବକୁ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଓ ସମ୍ମିଳନୀ ମାଧ୍ୟମରେ ଆରକ୍ଷୀ ଅଧୀକ୍ଷକ ଏବଂ ବରିଷ୍ଠ ପୋଲିସ ଅଧିକାରୀମାନଙ୍କୁ ୧୦ଟି ମୁଖ୍ୟ ପରାମର୍ଶ ଓ ନିର୍ଦ୍ଦେଶ ଦେଇଛନ୍ତି। ଏଗୁଡ଼ିକ ହେଲା:

  • ଜିରୋ ଟଲରେନ୍ସ ନୀତି (ମହିଳା ହିଂସା ଓ ସଂଗଠିତ ଅପରାଧ ବିରୋଧରେ)
  • ଦଣ୍ଡବିଧାନ ହାର ବୃଦ୍ଧି (୪୦%ରୁ ୭୫% ଲକ୍ଷ୍ୟ)
  • ନିଶାମୁକ୍ତ ଓଡ଼ିଶା (୨୦୨୯ ସୁଦ୍ଧା)
  • ତଟରେଖା ଓ ସାମୁଦ୍ରିକ ସୁରକ୍ଷା
  • ସାଇବର ସୁରକ୍ଷା ଓ ଡାର୍କ ୱେବ୍ ନିରୀକ୍ଷଣ
  • ଗୁଇନ୍ଦା ବ୍ୟବସ୍ଥାର ସୁଦୃଢ଼ୀକରଣ
  • ଥାନା ଆଧୁନିକୀକରଣ
  • ପୋଲିସର ନମ୍ର, ସମ୍ବେଦନଶୀଳ ଓ ଭରସାଯୋଗ୍ୟ ବ୍ୟବହାର
  • ‘ଦାଦା ବଟି’ ଓ ଚାନ୍ଦା ଆଦାୟ ଉପରେ ରୋକ୍
  • ଦୁର୍ନୀତିମୁକ୍ତ ଓ ସମର୍ପିତ ପୋଲିସିଂ

ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ ସାଧାରଣ ନାଗରିକଙ୍କ ପ୍ରତି ପୋଲିସର ନମ୍ର ଓ ସମ୍ବେଦନଶୀଳ ବ୍ୟବହାର ଉପରେ ସବୁଠାରୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ଥାନାକୁ ଆସୁଥିବା ପ୍ରତ୍ୟେକ ଅଭିଯୋଗକାରୀ ଜଣେ ପୀଡ଼ିତ, ତେଣୁ ସେମାନଙ୍କ ସହ ସହାନୁଭୂତିପୂର୍ଣ୍ଣ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ “ପୋଲିସକୁ ଦେଖି ଅପରାଧୀ ଛାନିଆଁ ହେବେ, ନିର୍ଦୋଷ ନାଗରିକ ନୁହଁନ୍ତି” ବୋଲି ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି।

ମହିଳାଙ୍କ ପ୍ରତି ହିଂସା ଓ ସଂଗଠିତ ଅପରାଧ ବିରୋଧରେ ସରକାର ‘ଜିରୋ ଟଲରେନ୍ସ’ ନୀତି ଆପଣାଇଛନ୍ତି। NCRB ତଥ୍ୟ ଅନୁଯାୟୀ, ଦଣ୍ଡବିଧାନ ହାର ୪୦%ରୁ ଅଧିକ ହୋଇଥିବା ବେଳେ ଏହାକୁ ୭୫%କୁ ନେବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ତଦନ୍ତ ପ୍ରକ୍ରିୟାକୁ ଅଧିକ ବୃତ୍ତିଗତ ଓ ପ୍ରଯୁକ୍ତିବିଦ୍ୟା-ଭିତ୍ତିକ କରିବାକୁ ପରାମର୍ଶ ଦିଆଯାଇଛି।

ପାର୍ବଣ ଋତୁ ଆଗତ ହେଉଥିବାରୁ ‘ଦାଦା ବଟି’ ଓ ବେଆଇନ ଜୋର-ଜବରଦସ୍ତି ଚାନ୍ଦା ଆଦାୟକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟକୁ ୨୦୨୯ ସୁଦ୍ଧା ସମ୍ପୂର୍ଣ୍ଣ ‘ନିଶାମୁକ୍ତ ଓଡ଼ିଶା’ କରିବା ପାଇଁ ସରକାର ସଂକଳ୍ପବଦ୍ଧ। କେବଳ ଜବତ ଓ ଗିରଫଦାରୀରେ ସୀମିତ ନରହି, ନିଶା କାରବାରର ମୂଳ ଯୋଗାଣ ଶୃଙ୍ଖଳା ଓ ଆର୍ଥିକ ସିଣ୍ଡିକେଟକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି। ନିଶା କାରବାର ବନ୍ଦ ହେଲେ ଅପରାଧ ହାର ଯଥେଷ୍ଟ ହ୍ରାସ ପାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

ରାଜ୍ୟର ୫୭୫ କିଲୋମିଟର ତଟରେଖାର ସୁରକ୍ଷା ଓ ସାମୁଦ୍ରିକ ଅନୁପ୍ରବେଶ ରୋକିବା ପାଇଁ ଭୁବନେଶ୍ୱରରେ ‘କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର’, ୧୦ଟି ଡ୍ରୋନ୍, ୫ଟି ଟ୍ରଲର୍, ୧୦ଟି ଆଧୁନିକ ଇଣ୍ଟରସେପ୍ଟର ବୋଟ୍ ଓ ଅଲ ଟେରେନ୍ ଭେଇକିଲ୍ (ATV) ମାଧ୍ୟମରେ ବେଳାଭୂମି ପାଟ୍ରୋଲିଂକୁ କ୍ରିୟାଶୀଳ କରାଯାଇଛି। ସାମୁଦ୍ରିକ ସୁରକ୍ଷା ପାଇଁ SPO ଓ ପୂର୍ବତନ ସେନାକର୍ମୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି।

ସାଇବର ଅପରାଧ ଓ ଆର୍ଥିକ ଠକେଇ ରୋକିବା ପାଇଁ ବ୍ୟାପକ ସଚେତନତା ସହ ‘ଡାର୍କ ୱେବ୍’ ଉପରେ ନଜର ରଖିବାକୁ ପୋଲିସକୁ ପରାମର୍ଶ ଦିଆଯାଇଛି। ଏହାସହ NATGRID ଓ CCTNS ମାଧ୍ୟମରେ ଗୁଇନ୍ଦା ବ୍ୟବସ୍ଥାକୁ ସୁଦୃଢ଼ କରିବା, ଥାନା ଆଧୁନିକୀକରଣ ପାଇଁ ୫୦ କୋଟି ଟଙ୍କାର ସ୍ୱତନ୍ତ୍ର ତଦନ୍ତ ଫଣ୍ଡ ଯୋଗାଇ ଦିଆଯାଇଛି।

ରାଜ୍ୟରେ ମାଓ ହିଂସା ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିଥିବାରୁ ଏବଂ OSSF ବାଟାଲିୟନ ଓ ଆକର୍ଷଣୀୟ ଆତ୍ମସମର୍ପଣ ନୀତି ଯୋଗୁଁ ଓଡ଼ିଶାକୁ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ସମ୍ମାନିତ କରାଯାଇଛି। ଗତ ଦୁଇ ବର୍ଷ ମଧ୍ୟରେ ପୋଲିସ ବିଭାଗରେ ୧୭,୭୯୪ ନୂତନ ପଦବୀ ସୃଷ୍ଟି ଓ ୫,୮୧୭ ପଦବୀ ପୂରଣ କରାଯାଇଥିବା ସେ ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ପୋଲିସ ଅଧିକାରୀଙ୍କ ସହ ସିଧାସଳଖ ଭାବ ବିନିମୟ କରି ସେମାନଙ୍କ କାର୍ଯ୍ୟକ୍ଷେତ୍ରର ସମସ୍ୟା ଓ ଅଭିଜ୍ଞତା ବିଷୟରେ ପଚାରି ବୁଝିଥିଲେ। ‘ସୁରକ୍ଷିତ ଓଡ଼ିଶା—ସଶକ୍ତ ଓଡ଼ିଶା—ସମୃଦ୍ଧ ଓଡ଼ିଶା’ ଗଠନରେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ସମସ୍ତଙ୍କୁ ଆହ୍ଵାନ ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପୋଲିସର ସେବା ବ୍ୟବସ୍ଥାକୁ ଆହୁରି ଗୁଣାତ୍ମକ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଓଡ଼ିଶା ପୋଲିସକୁ ‘ପ୍ରେସିଡେଣ୍ଟ’ସ୍ କଲର ଆୱାର୍ଡ’ ମିଳିଥିବାରୁ ସେ ବାହିନୀକୁ ଅଭିନନ୍ଦନ ଜଣାଇଥିଲେ। ପୋଲିସର ନିଷ୍ଠା ଯୋଗୁଁ ଓଡ଼ିଶା ନକ୍ସଲମୁକ୍ତ ହୋଇପାରିଛି ଓ ରଥଯାତ୍ରା ସଫଳ ପରିଚାଳନା ସମ୍ଭବ ହୋଇଛି ବୋଲି ସେ କହିଥିଲେ।

ପୋଲିସ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ଗଠନମୂଳକ ପରାମର୍ଶ ପାଇଁ କୃତଜ୍ଞତା ପ୍ରକାଶ କରିବା ସହ ସାଇବର ସୁରକ୍ଷା, ଅସାମାଜିକ କାର୍ଯ୍ୟକଳାପ ରୋକିବା ଓ ନିଶା ବିରୋଧୀ ଅଭିଯାନକୁ ଶକ୍ତିଶାଳୀ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଏହି ସମ୍ମିଳନୀରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ଗୁଇନ୍ଦା ନିର୍ଦ୍ଦେଶକ ତଥା ପୋଲିସ ମହାନିର୍ଦ୍ଦେଶକ ଆର.ପି. କୋଚେ, ପୋଲିସ ମହାନିର୍ଦ୍ଦେଶକ (ନକ୍ସଲ ବିରୋଧୀ) ସଂଜୀବ ପଣ୍ଡା ସମେତ ରାଜ୍ୟର ସମସ୍ତ ଡିଜିପି ଓ ଆଇଜିପି ଉପସ୍ଥିତ ଥିଲେ।