FeaturedLatestNews

ରାସ୍ତା କଡ଼କୁ ଓଲଟି ପଡ଼ିଲା ଯଶୋଦା ବସ୍ , ୨୦ ଆହତ

କଟକ (ସଂକେତ ଟିଭି): ଚଣ୍ଡିଖୋଲ ନିକଟସ୍ଥ ଜାତୀୟ ରାଜପଥ ୧୬ (ଏନ୍ଏଚ୍-୧୬) ରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। କଡ଼େଇ ଛକ ନିକଟରେ ଏହି ଅଘଟଣ ଘଟିଛି। ‘ଯଶୋଦା’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ଭୁବନେଶ୍ୱରରୁ ବାଲେଶ୍ଵର ଅଭିମୁଖେ ଯାଉଥିଲା। ଏହି ସମୟରେ ବସ୍ଟି ହଠାତ୍ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଓଲଟି ପଡ଼ିଥିଲା। ବସ୍‌ରେ ୫୦ରୁ ଅଧିକ ଯାତ୍ରୀ ଥିବା ସୂଚନା ମିଳିଛି।

ଦୁର୍ଘଟଣା ପରେ ବସ୍‌ରେ ଥିବା ଯାତ୍ରୀମାନେ ଚାପି ହୋଇ ରହିଥିଲେ। ଖବର ପାଇ ଘଟଣାସ୍ଥଳରେ ବଡ଼ଚଣା ପୋଲିସ ଏବଂ ଚଣ୍ଡିଖୋଲ ଅଗ୍ନିଶମ ବାହିନୀର ଟିମ୍ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଉଦ୍ଧାର ହୋଇଥିବା ଯାତ୍ରୀଙ୍କ ମଧ୍ୟରୁ ଅନେକ ଆହତ ହୋଇଥିଲେ। ସେମାନଙ୍କୁ ତୁରନ୍ତ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ମୋଟ୍ ୨୦ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଆହତମାନେ ବର୍ତ୍ତମାନ ସ୍ଥାନୀୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।

ଏହି ଦୁର୍ଘଟଣା କେଉଁ କାରଣରୁ ଘଟିଲା, ତାହା ଜାଣିବା ପାଇଁ ବଡ଼ଚଣା ପୋଲିସ ତଦନ୍ତ ଚଳାଇଛି। ଚାଳକର ଅସାବଧାନତା ନା ଯାନର କୌଣସି ଯାନ୍ତ୍ରିକ ତ୍ରୁଟି, ଏହା ଉପରେ ସ୍ପଷ୍ଟୀକରଣ ଆସିବାକୁ ବାକି ରହିଛି।