FeaturedLatestNews

ଖରିଫ ଧାନ ପଞ୍ଜୀକରଣ ଅବଧି ୭ ଦିନ ବୃଦ୍ଧି

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟ ସରକାର ଖରିଫ ଧାନ ବିକ୍ରି ପାଇଁ ପଞ୍ଜୀକରଣ ଅବଧି ଆଉ ୭ ଦିନ ବୃଦ୍ଧି କରିଛନ୍ତି। ପୂର୍ବରୁ ଆସନ୍ତାକାଲି (ଅଗଷ୍ଟ ୩୧) ଶେଷ ହେବାକୁ ଥିବା ସମୟସୀମାକୁ ସେପ୍ଟେମ୍ବର ୭ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଏହି ସୂଚନା ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଶନିବାର ଦିନ ଦେଇଛନ୍ତି।

ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ, ବହୁ ଚାଷୀ ଏପର୍ଯ୍ୟନ୍ତ ପଞ୍ଜୀକରଣ କରିପାରି ନାହାନ୍ତି। ବିଶେଷକରି କେତେକ ଜିଲ୍ଲାରେ ଚାଷୀମାନେ ବୈଷୟିକ ଅସୁବିଧା ଓ ନେଟୱାର୍କ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଚାଷୀଙ୍କ ସୁବିଧା ପାଇଁ ସରକାର ଏହି ଅବଧି ବୃଦ୍ଧି କରିବାକୁ ସ୍ଥିର କରିଛନ୍ତି। ସେ ଆହୁରି କହିଛନ୍ତି ଯେ, ସରକାର ସବୁବେଳେ ଚାଷୀଙ୍କ ପାଇଁ ସହାୟକ ହୋଇ ଛିଡ଼ାହୋଇଛନ୍ତି।

ଏବେ ସୁଦ୍ଧା ୧୭ ଲକ୍ଷରୁ ଅଧିକ ଚାଷୀ ପଞ୍ଜୀକରଣ କରିସାରିଛନ୍ତି। ଗତ ବର୍ଷ ଏହି ସଂଖ୍ୟା ଥିଲା ୧୯ ଲକ୍ଷ ୬୭ ହଜାର। ଏଥର ଅଗଷ୍ଟ ୬ ତାରିଖରୁ ପଞ୍ଜୀକରଣ ଆରମ୍ଭ ହୋଇଥିଲା। ନେଟୱାର୍କ ସମସ୍ୟା ଥିବା ସ୍ଥାନଗୁଡ଼ିକରେ ବୈଷୟିକ ଟିମ୍ କାର୍ଯ୍ୟ କରୁଛି ଏବଂ ଶୀଘ୍ର ସମସ୍ୟା ସମାଧାନ କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।

ମନ୍ତ୍ରୀ କହିଛନ୍ତି, “ପଞ୍ଜୀକରଣ ପ୍ରକ୍ରିୟାକୁ ସରଳ କରାଯାଇଛି ଏବଂ ଏଥିରେ କୌଣସି ପ୍ରକାରର ବାଧା ନାହିଁ। ଚାଷୀମାନେ ସେପ୍ଟେମ୍ବର ୭ ତାରିଖ ସୁଦ୍ଧା ନିଜ ନିକଟସ୍ଥ ପ୍ୟାକ୍ସ (ପ୍ରାଥମିକ କୃଷି ସମବାୟ ସମିତି) କିମ୍ବା ଲ୍ୟାମ୍ପ୍ସରେ ଆବଶ୍ୟକୀୟ ଦସ୍ତାବିଜ ସହ ପଞ୍ଜୀକରଣ କରିନିଅନ୍ତୁ।”

ପଞ୍ଜୀକରଣ ପାଇଁ ଚାଷୀମାନେ ନିଜ ପ୍ୟାକ୍ସ କାର୍ଯ୍ୟାଳୟରୁ ନୂଆ ଫର୍ମ ସଂଗ୍ରହ କରି ନିର୍ଦ୍ଧାରିତ ସମୟ ମଧ୍ୟରେ ଦାଖଲ କରିବେ। ଭାଗଚାଷୀଙ୍କ କ୍ଷେତ୍ରରେ ଜମି ମାଲିକଙ୍କ ସମ୍ମତିପତ୍ର ସହ ଉଭୟ ଚାଷୀ ଓ ଜମି ମାଲିକଙ୍କ ଆଧାର ଆଧାରିତ ଇ-କେୱାଇସି ବାଧ୍ୟତାମୂଳକ। ଏହାସହ କେଉଁ ମାସ ଓ କେଉଁ ପକ୍ଷରେ ସରକାରଙ୍କୁ ଧାନ ବିକ୍ରି କରାଯିବ, ତାହା ଫର୍ମରେ ଉଲ୍ଲେଖ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ସରକାରଙ୍କ କହିବା ଅନୁଯାୟୀ, ଏହି ସରଳ ଓ ସ୍ୱଚ୍ଛ ପଞ୍ଜୀକରଣ ବ୍ୟବସ୍ଥା ଖରିଫ ଧାନ ସଂଗ୍ରହକୁ ଅଧିକ ସ୍ୱଚ୍ଛ, ଦ୍ରୁତ ଓ ଦୁର୍ନୀତିମୁକ୍ତ କରିବ। ତେଣୁ ଚଳିତ ଋତୁରେ ସରକାରଙ୍କୁ ଧାନ ବିକ୍ରି କରିବାକୁ ଇଚ୍ଛୁକ ସମସ୍ତ ଚାଷୀ ନିର୍ଦ୍ଧାରିତ ଶେଷ ତାରିଖ ପୂର୍ବରୁ ଅବଶ୍ୟ ପଞ୍ଜୀକରଣ କରିନେବାକୁ ବାରମ୍ବାର ଅନୁରୋଧ କରାଯାଇଛି।