CrimeFeaturedNews

ଉପମୁଖ୍ୟମନ୍ତ୍ରୀଙ୍କ ପିଏ ପରିଚୟ ଦେଇ ୧ କୋଟି ଠକେଇ, ଜଣେ ଗିରଫ

ଭଦ୍ରକ (ସଂକେତ ଟିଭି): ଉପମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ (ପିଏ) ଭାବରେ ନିଜକୁ ପରିଚୟ ଦେଇ ଚାକିରି ଆଶାୟୀଙ୍କ ଠାରୁ ପ୍ରାୟ ୧ କୋଟି ଟଙ୍କା ଠକିଥିବା ଅଭିଯୁକ୍ତଙ୍କୁ ଭଦ୍ରକ ଟାଉନ ପୋଲିସ ବୁଧବାର ଦିନ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଉଛନ୍ତି ଜଗନ୍ନାଥ ବାହାଳିଆ। ତାଙ୍କୁ ପଶ୍ଚିମବଙ୍ଗର ଦୀଘାରୁ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ କାବୁ କରିବାରେ ସଫଳ ହୋଇଛି।

ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଗନ୍ନାଥ ନିଜକୁ ଉପମୁଖ୍ୟମନ୍ତ୍ରୀଙ୍କ ପିଏ ବୋଲି ଦର୍ଶାଉଥିଲେ। ସାଧାରଣ ଲୋକଙ୍କ ବିଶ୍ୱାସ ଜିଣିବା ପାଇଁ ସେ ଉପମୁଖ୍ୟମନ୍ତ୍ରୀ ଏବଂ ଅନ୍ୟାନ୍ୟ ପ୍ରମୁଖ ରାଜନୈତିକ ନେତାଙ୍କ ସହ ଉଠାଇଥିବା ଫଟୋଗୁଡ଼ିକୁ ବ୍ୟବହାର କରୁଥିଲେ। ଏହି ଫଟୋ ଦେଖାଇ ସେ ନିଜର ରାଜନୈତିକ ପ୍ରଭାବ ଥିବା ଦାବି କରି ଟଙ୍କା ବଦଳରେ ଯୁବକମାନଙ୍କୁ ସରକାରୀ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଉଥିଲେ।

ଏହିଭଳି ଠକେଇର ଶିକାର ହୋଇଥିଲେ ବାଲେଶ୍ୱର ଜିଲ୍ଲା ସିମୁଳିଆ ଅଞ୍ଚଳର ଜଣେ ଯୁବକ। ରେଳବାଇରେ ଚାକିରି କରାଇଦେବା ନାଁରେ ଅଭିଯୁକ୍ତ ତାଙ୍କଠାରୁ ୧୦ ଲକ୍ଷ ଟଙ୍କା ନେଇ ଏକ ନକଲି ନିଯୁକ୍ତି ପତ୍ର ଦେଇଥିଲେ। ପୋଲିସ ଅନୁମାନ କରୁଛି ଯେ ଏଭଳି ଆହୁରି ଅନେକ ଯୁବକ ଅଭିଯୁକ୍ତର ଶିକାର ହୋଇଛନ୍ତି।

ଏହି ଠକେଇ ସମ୍ପର୍କରେ ବାଲେଶ୍ୱର, ଭଦ୍ରକ ଓ କଟକ ଜିଲ୍ଲାରେ ଏକାଧିକ ମାମଲା ରୁଜୁ ହୋଇଥିଲା। ଅଭିଯୋଗ ଭିତ୍ତିରେ ଭଦ୍ରକ ଟାଉନ ପୋଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତର ଲୋକେସନ ଟ୍ରାକ୍ କରି ଶେଷରେ ଦୀଘାରୁ ଗିରଫ କରିଥିଲା।

ଅଭିଯୁକ୍ତ ମୋଟ କେତେ ଟଙ୍କା ଠକିଛି, କେତେ ଜଣ ଶିକାର ହୋଇଛନ୍ତି ଏବଂ ଏହି ଗ୍ୟାଙ୍ଗରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି, ସେନେଇ ପୋଲିସ ଅଧିକ ଖୋଳତାଡ଼ ଜାରି ରଖିଛି। ତାଙ୍କ ଠାରୁ ବହୁ ନକଲି ଦସ୍ତାବିଜ୍ ଓ ଫର୍ମ ଜବତ କରାଯାଇଛି।