ଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ: ନଗଦ ୨୧ ଲକ୍ଷ ଟଙ୍କା ଜବତ
ଭୁବନେଶ୍ୱର (ସଂକେତ ଟିଭି): ଭିଜିଲାନ୍ସ ସ୍କାନରରେ ଫସିଲେ ଆଉ ଜଣେ ସରକାରୀ ବାବୁ। ନଗଦ ୭.୨୮ ଲକ୍ଷ ଟଙ୍କା ସହ ଅଧିକାରୀଙ୍କୁ ଧରିଲା ଭିଜିଲାନ୍ସ ବିଭାଗ। ଗତରାତିରେ (ଶୁକ୍ରବାର) ଭୁବନେଶ୍ୱର ଏଜି ଛକ ନିକଟରେ ଅଧୀକ୍ଷଣ ଯନ୍ତ୍ରୀ (SE) ପ୍ରସନଜିତ ଦାସଙ୍କୁ ଭିଜିଲାନ୍ସ ଟିମ୍ କାବୁ କରିଥିଲା। ସେ ବୋଲେରୋ ଗାଡ଼ିରେ ୭ ଲକ୍ଷ ୨୮ ହଜାର ୬୨୦ ଟଙ୍କା ଧରି ଯାଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଅଟକାଇଥିଲା।
ମହାନଦୀ ଉତ୍ତର ବିଭାଜନ ଅଧୀକ୍ଷଣ ଯନ୍ତ୍ରୀ (SE) ପ୍ରସନଜିତ ଦାସଙ୍କୁ ଭିଜିଲାନ୍ସ ଟିମ୍ ଧରିଛି। ଭୁବନେଶ୍ୱର ଏଜି ଛକ ନିକଟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଟଙ୍କା ସହ କାବୁ କରିଥିଲା। ଏହି ଟଙ୍କା ବିଷୟରେ ପଚରାଉଚରା କରାଯିବାରୁ ପ୍ରସନଜିତ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। ଏହାପରେ ଭିଜିଲାନ୍ସ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏନେଇ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ମାମଲା (ନଂ.୨୪/୨୦୨୬) ରୁଜୁ କରାଯାଇଛି।
ଆଜି (ଶନିବାର) ପ୍ରସନଜିତଙ୍କ ଭୁବନେଶ୍ୱର ଘାଟିକିଆ ସ୍ଥିତ ଟ୍ରାଇଡେଣ୍ଟ ଗ୍ୟାଲେକ୍ସି ଫ୍ଲାଟରେ ଭିଜିଲାନ୍ସ ଟିମ୍ ଚଢ଼ାଉ ଆରମ୍ଭ କରିଛି। ସେହିପରି ବରଗଡ଼ସ୍ଥିତ ପୈତୃକ ଘରେ ମଧ୍ୟ ଯାଞ୍ଚ କରୁଛି ଭିଜିଲାନ୍ସ ଟିମ୍। ଘାଟିକିଆସ୍ଥିତ ଫ୍ଲାଟରୁ ୧୪ ଲକ୍ଷ ୬୦ ହଜାର ଟଙ୍କା ଜବତ କରାଯାଇଛି। ଭିଜିଲାନ୍ସ ଟିମ୍, ପ୍ରସନଜିତଙ୍କୁ ଅଟକ ରଖିବା ସହିତ ଜବତ ହୋଇଥିବା ଟଙ୍କା ନେଇ ପଚରାଉଚରା କରୁଛି। ମୋଟ୍ ଜବତ ଟଙ୍କା ୨୧ ଲକ୍ଷ ୮୮ ହଜାର ୬୨୦ ଟଙ୍କାରେ ପହଞ୍ଚିଛି। ପ୍ରସନଜିତ କୌଣସି ବ୍ୟକ୍ତିଙ୍କଠାରୁ ଲାଞ୍ଚ ଆକାରରେ ଏହି ଟଙ୍କା ଗ୍ରହଣ କରିଥିବା ନେଇ ଭିଜିଲାନ୍ସ ସନ୍ଦେହ କରୁଛି। ଭିଜିଲାନ୍ସ ଟିମ୍ ଯାଞ୍ଚ ଜାରି ରଖିଥିବା ବେଳେ, ଆହୁରି ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହେବାର ସମ୍ଭାବନା ରହିଛି।
ସେପଟେ ଗତକିଛି ଦିନ ତଳେ ଜମି କିସମ ବଦଳାଇବାକୁ ନେଇ ତିନି ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ବଲାଙ୍ଗୀର ଜିଲ୍ଲାର ସଂପୃକ୍ତ ଆରଆଇଙ୍କୁ ବାନ୍ଧିଥିଲା। ସଇଁନ୍ତଲା ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କର ଚାଷ ଜମିକୁ ଘରବାରି କିସମର ବଦଳାଇବା ପାଇଁ ଅନଲାଇନରେ ଆବେଦନ କରିଥିଲେ। ଏହି କାମ କରାଇଦେବା ପାଇଁ ଅଧିକାରୀ ଉପୁରି ମାଗି ଭିଜିଲାନ୍ସ ଜାଲରେ ଫସିଥିଲେ।
