FeaturedLatestNews

ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ନେଲେ ଡକ୍ଟର ବ୍ରଜ ମୋହନ ରାମ

ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶାର ୪୪ତମ ରାଜ୍ୟପାଳ ଭାବେ ଡକ୍ଟର ବ୍ରଜ ମୋହନ ରାମ ଶପଥ ଗ୍ରହଣ କରିଛନ୍ତି। ଭୁବନେଶ୍ୱରସ୍ଥିତ ଲୋକଭବନର ଅଭିଷେକ ହଲରେ ଆୟୋଜିତ ସମାରୋହରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ତାଙ୍କୁ ଶପଥ ପାଠ କରାଇଛନ୍ତି।

ଏହି ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ, ମନ୍ତ୍ରିମଣ୍ଡଳର ସଦସ୍ୟ, ସାଂସଦ, ବିଜେପିର ବରିଷ୍ଠ ନେତା, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ପୋଲିସ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ରଙ୍କ ସମେତ ବରିଷ୍ଠ ଅଧିକାରୀ ଏବଂ ରାଜ୍ୟପାଳଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ସୁରେଶ ପୂଜାରୀ ମଧ୍ୟ ସମାରୋହରେ ଉପସ୍ଥିତ ଥିଲେ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ୧୨ ତାରିଖରେ ବ୍ରଜ ମୋହନ ରାମଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଥିଲେ। ସେ ଝାଡ଼ଖଣ୍ଡର ଜଣେ ବରିଷ୍ଠ ବିଜେପି ନେତା।

୧୯୫୮ ମସିହା ଜାନୁଆରୀ ୧ ତାରିଖରେ ଝାଡ଼ଖଣ୍ଡର ଲାତେହାର ଜିଲ୍ଲା ଅନ୍ତର୍ଗତ ଚାନ୍ଦୱାରେ ତାଙ୍କର ଜନ୍ମ। ସେ ଲୋହରଦଗାର ବି.ଏସ୍. କଲେଜରୁ ସ୍ନାତକ ଶିକ୍ଷା ସମାପ୍ତ କରିଛନ୍ତି। ୧୯୯୧ ମସିହାରେ ଲାତେହାର ବିଧାନସଭା ଆସନରୁ ନିର୍ବାଚିତ ହୋଇ ତାଙ୍କର ବିଧାନସଭା ରାଜନୈତିକ ଯାତ୍ରା ଆରମ୍ଭ ହୋଇଥିଲା, ସେତେବେଳେ ଝାଡ଼ଖଣ୍ଡ ଅବିଭକ୍ତ ବିହାରର ଅଂଶ ଥିଲା।

ଏହାପରେ ୧୯୯୬, ୧୯୯୮ ଏବଂ ୧୯୯୯ ମସିହାରେ ଲଗାତାର ତିନି ଥର ପଲାମୁ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୪ ପର୍ଯ୍ୟନ୍ତ ସେ ଲୋକସଭା ସଦସ୍ୟ ରହିଥିଲେ। ସାଂସଦ ଥିବା ସମୟରେ ସେ ଗୃହ ବ୍ୟାପାର, ଶକ୍ତି, ପରିବହନ ଓ ପର୍ଯ୍ୟଟନ ସମେତ ବିଭିନ୍ନ ସଂସଦୀୟ କମିଟିରେ କାର୍ଯ୍ୟ କରିଛନ୍ତି। ଏହାସହ ବିଜେପିର ଅନୁସୂଚିତ ଜାତି ମୋର୍ଚ୍ଚାରେ ମଧ୍ୟ ସାଂଗଠନିକ ଦାୟିତ୍ୱ ତୁଲାଇଛନ୍ତି।

ଦୀର୍ଘ ରାଜନୈତିକ ଅଭିଜ୍ଞତା ଥିବା ବ୍ରଜ ମୋହନ ରାମ ଏବେ ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଶିକ୍ଷା, ବେକାରୀ ସମସ୍ୟା, କୃଷକଙ୍କ ସମସ୍ୟା ଏବଂ ରାଜ୍ୟର ବିକାଶକୁ ପ୍ରାଥମିକତା ଦେବେ ବୋଲି ସେ ପୂର୍ବରୁ କହିଛନ୍ତି।

Leave a Reply

Your email address will not be published. Required fields are marked *