FeaturedLatestNews

ବାତ୍ୟା ଅର୍ଣ୍ଣବ ମୁକାବିଲା: ୮ ଜିଲ୍ଲାରେ ୪୬୬ ଆଶ୍ରୟସ୍ଥଳୀ ପ୍ରସ୍ତୁତ

ଭୁବନେଶ୍ୱର (ସଂକେତ ଟିଭି): ବାତ୍ୟା ଅର୍ଣ୍ଣବର ମୁକାବିଲା ନିମନ୍ତେ ଭୁବନେଶ୍ୱରସ୍ଥିତ ରାଜୀବ ଭବନର ରାଜ୍ୟ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷରେ ଏସ୍ଆରସି ଏବଂ ଉଚ୍ଚସ୍ତରୀୟ ଅଧିକାରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ ଅଧ୍ୟକ୍ଷତା କରିଛନ୍ତି।

ବୈଠକରୁ ମିଳିଥିବା ତଥ୍ୟାନୁସାରେ, ରାଜ୍ୟର ମୋଟ ୮ଟି ଜିଲ୍ଲାର ସମସ୍ତ ସମ୍ବେଦନଶୀଳ ଅଞ୍ଚଳରୁ ମୋଟ ୪୮,୦୧୦ ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ସେମାନଙ୍କ ରହଣି ପାଇଁ ମୋଟ ୪୬୬ଟି ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି।

ଜିଲ୍ଲାଭିତ୍ତିକ ତଥ୍ୟ ଅନୁସାରେ, ନବରଙ୍ଗପୁରରେ ୧୧,୨୭୦ ଜଣ ଲୋକ ଚିହ୍ନଟ ହୋଇଛନ୍ତି ଏବଂ ୧୩୪ଟି ଆଶ୍ରୟସ୍ଥଳୀ ପ୍ରସ୍ତୁତ ହୋଇଛି। ଗଜପତିରେ ୧୧,୦୦୦ ଜଣ ଲୋକ ଚିହ୍ନଟ ଓ ୧୭୫ଟି ଆଶ୍ରୟସ୍ଥଳୀ, ମାଲକାନଗିରିରେ ୯,୮୫୦ ଜଣ ଲୋକ ଚିହ୍ନଟ ଓ ୩୫ଟି ଆଶ୍ରୟସ୍ଥଳୀ ରହିଛି। ସେହିପରି ଗଞ୍ଜାମରେ ୬,୫୦୦ ଜଣ ଲୋକ ଚିହ୍ନଟ ଓ ୩୭ଟି ଆଶ୍ରୟସ୍ଥଳୀ, କୋରାପୁଟରେ ୫,୦୦୦ ଜଣ ଲୋକ ଚିହ୍ନଟ ଓ ୪୭ଟି ଆଶ୍ରୟସ୍ଥଳୀ, କଳାହାଣ୍ଡିରେ ୨,୪୧୫ ଜଣ ଲୋକ ଚିହ୍ନଟ ଓ ୧୪ଟି ଆଶ୍ରୟସ୍ଥଳୀ, ନୂଆପଡ଼ାରେ ୧,୬୭୫ ଜଣ ଲୋକ ଚିହ୍ନଟ ଓ ୧୭ଟି ଆଶ୍ରୟସ୍ଥଳୀ ଏବଂ ରାୟଗଡ଼ାରେ ୩୦୦ ଜଣ ଲୋକ ଚିହ୍ନଟ ଓ ୭ଟି ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି।

ଏହାସହ ଉଦ୍ଧାର ଓ ରିଲିଫ କାର୍ଯ୍ୟ ପାଇଁ ବିଭିନ୍ନ ଜିଲ୍ଲାରେ ଟିମ୍ ମୁତୟନ କରାଯାଇଛି। ଗଞ୍ଜାମରେ ୯ଟି ଓଡ୍ରାଫ୍, ୨ଟି ଏନ୍ଡିଆରଏଫ୍ ଏବଂ ୨୪ଟି ଅଗ୍ନିଶମ ଟିମ୍, ଗଜପତିରେ ୬ଟି ଓଡ୍ରାଫ୍, ୧ଟି ଏନ୍ଡିଆରଏଫ୍ ଏବଂ ୮ଟି ଅଗ୍ନିଶମ ଟିମ୍, ରାୟଗଡ଼ାରେ ୩ଟି ଓଡ୍ରାଫ୍, ୧ଟି ଏନ୍ଡିଆରଏଫ୍ ଏବଂ ୧୧ଟି ଅଗ୍ନିଶମ ଟିମ୍ କାର୍ଯ୍ୟରତ ଅଛନ୍ତି। ସେହିପରି କୋରାପୁଟରେ ୩ଟି ଓଡ୍ରାଫ୍, ୧ଟି ଏନ୍ଡିଆରଏଫ୍ ଏବଂ ୧୪ଟି ଅଗ୍ନିଶମ ଟିମ୍, ମାଲକାନଗିରିରେ ୩ଟି ଓଡ୍ରାଫ୍, ୧ଟି ଏନ୍ଡିଆରଏଫ୍ ଏବଂ ୯ଟି ଅଗ୍ନିଶମ ଟିମ୍, ନବରଙ୍ଗପୁରରେ ୩ଟି ଓଡ୍ରାଫ୍ ଏବଂ ୧୨ଟି ଅଗ୍ନିଶମ ଟିମ୍ ମୁତୟନ କରାଯାଇଛି। ନୂଆପଡ଼ା ଓ କଳାହାଣ୍ଡିରେ ମଧ୍ୟ ଅଗ୍ନିଶମ ଟିମ୍ ମୁତୟନ କରାଯାଇଛି।

ରାଜସ୍ୱ ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ ବିଶେଷ ଭାବେ ପ୍ରଭାବିତ ହେବାକୁ ଥିବା ୮ଟି ଜିଲ୍ଲାକୁ ୧୯ କୋଟି ଟଙ୍କାର ସହାୟତା ପାଣ୍ଠି ପ୍ରଦାନ କରାଯାଇଥିଲା। ସମସ୍ତ ଆଶ୍ରୟସ୍ଥଳୀକୁ ତୁରନ୍ତ ସୁବ୍ୟବସ୍ଥିତ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯିବା ସହ କୌଣସି ପ୍ରତିକୂଳ ପରିସ୍ଥିତିକୁ ପ୍ରତିହତ କରିବା ନିମନ୍ତେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି। ଜନସାଧାରଣ କେବଳ ସରକାରୀ ସୂଚନାକୁ ବିଶ୍ୱାସ କରିବା ସହ ପ୍ରଶାସନକୁ ସହଯୋଗ କରି ସମ୍ପୂର୍ଣ୍ଣ ସୁରକ୍ଷିତ ରହିବା ନିମନ୍ତେ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *