CulturalFeaturedLatestNews

ପୁରୀରେ ଦୀପାବଳି ଅବସରରେ ପୟାଶ୍ରାଦ୍ଧ: ହଜାର ହଜାର ଭକ୍ତଙ୍କ ସମାଗମ

ପୁରୀ(ସଂକେତ ଟିଭି): ଆଜି ହେଉଛି ଖୁସି ଓ ଆନନ୍ଦର ପର୍ବ ଦୀପାବଳି। ଦୀପାବଳି ଅବସରରେ ଶ୍ରୀକ୍ଷେତ୍ରରେ ପବିତ୍ର ପୟାଶ୍ରାଦ୍ଧ ପାଳନ କରାଯାଇଥାଏ। ପିତୃପୁରୁଷଙ୍କ ମୋକ୍ଷ ପ୍ରାପ୍ତି ନେଇ ଶ୍ରୀକ୍ଷେତ୍ରରେ ଶ୍ରାଦ୍ଧ ଓ ବଡ଼ବଡୁଆ ଡାକିବାର ପରମ୍ପରା ରହିଛି। ଏଥିପାଇଁ ଆଜି ଶ୍ରୀମନ୍ଦିର ସମ୍ମୁଖରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି।

ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ, ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ଓ ସୁବିଧା ନେଇ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭକ୍ତମାନେ ନିଜ ପିତୃପୁରୁଷଙ୍କ ସ୍ବର୍ଗାରୋହଣ ପାଇଁ କାଉଁରିଆ କାଠିରେ ଅଗ୍ନି ସଂଯୋଗ କରି ବଡବଡୁଆ ଡାକିବା ସହ ଦୀପଦାନ କରୁଛନ୍ତି।

ମାନ୍ୟତା ଅନୁଯାୟୀ ପିତୃପକ୍ଷରେ ଧରାପୃଷ୍ଠକୁ ଆସିଥିବା ପୂର୍ବଜ ମାନଙ୍କୁ ଆଜିର ଏହି ପବିତ୍ର ତିଥିରେ କାଉଁରିଆ କାଠି ଜାଳି ବିଦାୟ ଦିଆଯାଇଥାଏ। ଏଥିପାଇଁ ଶ୍ରୀକ୍ଷେତ୍ରରେ ହଜାର ହଜାର ଭକ୍ତ ଓ ଦର୍ଶନାର୍ଥିଙ୍କ ଗହଳି ଜମିଛି। ପୟାଶ୍ରାଦ୍ଧ ସହିତ ଦୀପଦାନ କରି ପିତୃପୁରୁଷଙ୍କୁ ବିଦାୟ ଦେଉଛନ୍ତି ଭକ୍ତ। ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ହୋଇଥିବା ସ୍ଥାନରେ କାଉଁରିଆ କାଠି ଜାଳି ଶ୍ରାଦ୍ଧ ଅର୍ପଣ କରୁଛନ୍ତି ଭକ୍ତ।

ପରମ୍ପରା ଅନୁସାରେ ମହାଳୟା ପରେ ପିତୃପୁରୁଷଙ୍କୁ ପୟାଶ୍ରାଦ୍ଧ ଦିଆଯାଏ। ବଡଦାଣ୍ଡରେ ପୟାଶ୍ରାଦ୍ଧ ଦେଲେ ପିତୃପୁରୁଷଙ୍କ ମୋକ୍ଷ ପ୍ରାପ୍ତି ହୋଇଥାଏ। ଶ୍ରୀକ୍ଷେତ୍ରରେ ପୟାଶ୍ରାଦ୍ଧ କଲେ ପିତୃପୁରୁଷଙ୍କ ଠାରୁ ଆଶୀର୍ବାଦ ମିଳିଥାଏ ବୋଲି ବିଶ୍ବାସ ରହିଛି। ଏଥିପାଇଁ ବଡଦାଣ୍ଡରେ କାଉଁରିଆ କାଠି ଜାଳି ଶ୍ରାଦ୍ଧ ଅର୍ପଣ କରିବା ସହ ମହାପ୍ରଭୁଙ୍କୁ ଦର୍ଶନ ଓ ମହାପ୍ରସାଦ ସେବନ କରି ଭକ୍ତମାନେ ନିଜକୁ ଭାଗ୍ୟବାନ ମନେ କରିଛନ୍ତି।

ପୟାଶ୍ରାଦ୍ଧ ପାଇଁ ସାରା ରାଜ୍ୟରୁ ଭକ୍ତମାନେ ଶ୍ରୀକ୍ଷେତ୍ରରେ ଆସି ପହଞ୍ଚିଛନ୍ତି। ଶୃଙ୍ଖଳିତ ଦର୍ଶନ ଓ ପୟାଶ୍ରାଦ୍ଧ ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। କାଉଁରିଆ କାଠି ଜାଳିବା ଓ ଶ୍ରାଦ୍ଧ କରିବା ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। କୌଣସି ଅଘଟଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏଥିସହ ୨ ଜଣ ଅତିରିକ୍ତ ଏସପି, ୩ ଡିଏସପି, ୧୦ ଇନ୍ସପେକ୍ଟରଙ୍କ ସହ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ନିୟୋଜିତ ହୋଇଛନ୍ତି। ଅଗ୍ନି ଜନିତ ଦୁର୍ଘଟଣା ଏଡାଇବା ପାଇଁ ୱାଟର କଣ୍ଟେନର ଓ ଦମକଳ ବାହିନୀ ମଧ୍ୟ ନିୟୋଜିତ ହୋଇଛି।

ଦୀପାବଳି ଅମାବାସ୍ୟା କେଉଁ ଦିନ ପାଳନ କରାଯିବ ତାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦ୍ବନ୍ଦ ଉପୁଜିଥିଲା। ପଞ୍ଜିକା ଅନୁସାରେ ଆଜି ୮ ତାରିଖରେ ଦୀପାବଳି ପାଳନ ନେଇ ସୂଚନା ଦିଆଯାଇଥିଲା। ସେପଟେ ଆସନ୍ତାକାଲି ଶ୍ରୀମନ୍ଦିରରେ ଅମାବାସ୍ୟା ନୀତି ସହ ସାଗର ବିଜେ ନୀତି ଅନୁଷ୍ଠିତ ହେବ।

Leave a Reply

Your email address will not be published. Required fields are marked *