FeaturedLatestNews

ବିଧାୟକଙ୍କ ଉପରେ ବଢିଛି ଆର୍ଥିକ ଚାପ : ସମବାୟ ମନ୍ତ୍ରୀ

ଭୁବନେଶ୍ୱର (ସଂକେତ ଟିଭି): ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଏକ ଚିନ୍ତାଜନକ ପରିବର୍ତ୍ତନକୁ ସୂଚାଇ ଦେଇ କହିଛନ୍ତି ଯେ ବିଧାୟକ ହୋଇଗଲା ପରେ ସାଧାରଣ ଜନତା ଏବଂ ଦଳୀୟ କର୍ମୀମାନେ ଉଭୟ ତାଙ୍କ ଉପରେ ଦାୟିତ୍ୱର ଭାର ବଢ଼ାଇ ଦେଉଛନ୍ତି। ମନ୍ତ୍ରୀଙ୍କ ମତରେ, ବର୍ତ୍ତମାନର ସାମାଜିକ ମାନସିକତା ଏପରି ହୋଇଗଲାଣି ଯେ ଯେ କୌଣସି ଘଟଣା-ଦୁର୍ଘଟଣା କିମ୍ବା ଉତ୍ସବରେ ବିଧାୟକଙ୍କୁ ପହଞ୍ଚି ଆର୍ଥିକ ସାହାଯ୍ୟ ଦେବାକୁ ହେବ। ଆର୍ଥିକ ସାହାଯ୍ୟ ନଦେଲେ ସେ ଜଣେ ଭଲ ନେତା ବୋଲି ଧାରା ହୁଏନାହିଁ।

ମନ୍ତ୍ରୀ ସାମନ୍ତ ଆହୁରି ବ୍ୟାଖ୍ୟା କରି କହିଛନ୍ତି ଯେ ଏକୋଇଶିଆ ଠାରୁ ଆରମ୍ଭ କରି ଶୁଦ୍ଧିଘର, କ୍ରିକେଟ୍ ଖେଳ ପର୍ଯ୍ୟନ୍ତ ପ୍ରତ୍ୟେକ କାର୍ଯ୍ୟକ୍ରମରେ ବିଧାୟକଙ୍କୁ ଯାଇ ପହଞ୍ଚିବାର ଆବଶ୍ୟକତା ରହିଛି। ଆଗେ ବିଧାୟକ ଯେତେବେଳେ ଯାଉଥିଲେ, ସେଠାରେ ଅନ୍ୟ ଜଣେ ବକ୍ତା ବା ସ୍ଥାନୀୟ ବ୍ୟବସାୟୀ/ଅଧିକାରୀଙ୍କୁ ସାହାଯ୍ୟ ପାଇଁ ଡକାଯାଉଥିଲା। କିନ୍ତୁ ବର୍ତ୍ତମାନ ପରିସ୍ଥିତି ବଦଳି ଯାଇଛି। ବିଧାୟକଙ୍କୁ ବକ୍ତା ଭାବରେ ନୁହେଁ, ବରଂ ମୁଖ୍ୟତଃ ଏକ ଦାତା ରୂପେ ନିମନ୍ତ୍ରଣ କରାଯାଉଛି।

ମନ୍ତ୍ରୀଙ୍କ ମତରେ, ବିଧାୟକଙ୍କ ଦରମା ବୃଦ୍ଧି ସ୍ବାଗତଯୋଗ୍ୟ ହେଲେ ମଧ୍ୟ, ସାମାଜିକ ଚାପ ମଧ୍ୟ ବେଶୀ ହେଉଛି। ପ୍ରତିଟି ଗାଁରେ ଗଣେଶ ପୂଜା, ଲକ୍ଷ୍ମୀ ପୂଜା (୩୦ରୁ ୩୫ଟି କାର୍ଯ୍ୟକ୍ରମ), ପ୍ରତ୍ୟେକ ସାହିରେ କ୍ରିକେଟ୍ ମ୍ୟାଚ୍ ଆୟୋଜିତ ହେଉଛି। ଏସବୁ କାର୍ଯ୍ୟକ୍ରମର ଟେଣ୍ଟ ଖର୍ଚ୍ଚ, କ୍ୟାସ୍ ପ୍ରାଇଜ୍, ଖାସି ଖର୍ଚ୍ଚ ଇତ୍ୟାଦିର ଚିଠା ଦେଖାଇ ଆୟୋଜକମାନେ ସିଧାସଳଖ ବିଧାୟକଙ୍କ ଉପରେ ଆର୍ଥିକ ଦାୟିତ୍ୱ ଲଦୁଛନ୍ତି।

ଏହି ପ୍ରସଙ୍ଗରେ ମନ୍ତ୍ରୀ ସାମନ୍ତ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇ କହିଛନ୍ତି ଯେ ଯଦି ଏହି ସମସ୍ତ ଖର୍ଚ୍ଚର ରିପୋର୍ଟ କାର୍ଡ୍ ତିଆରି କରି ଦିଆଯାଏ, ତେବେ ସରକାର ଆହୁରି ଅଧିକ ଅର୍ଥ ସାହାଯ୍ୟ ଦେବାର ବ୍ୟବସ୍ଥା କରିପାରନ୍ତି। ତାଙ୍କ ମତାବଳମ୍ବୀ ମତେ, ଏହି ପଦ୍ଧତି ଗ୍ରାମୀଣ ଉନ୍ନୟନ ପାଇଁ ଏକ ବ୍ୟବସ୍ଥିତ ମାର୍ଗ ହୋଇପାରେ।