ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ: କଂଗ୍ରେସରୁ ୩ ବିଧାୟକ ନିଲମ୍ବିତ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟସଭା ନିର୍ବାଚନରେ ଦଳୀୟ ହ୍ୱିପ୍ ଅମାନ୍ୟ କରି କ୍ରସ୍ ଭୋଟିଂ କରିଥିବା କଂଗ୍ରେସର ତିନି ବିଧାୟକଙ୍କୁ ନିଲମ୍ବିତ କରାଯାଇଛି। କଂଗ୍ରେସ ପକ୍ଷରୁ ଆଜି ସୂଚନା ଦେଇ କୁହାଯାଇଛି ଯେ, ରମେଶ ଜେନା (ସାନଖେମୁଣ୍ଡି), ସୋଫିଆ ଫିର୍ଦୋସ (କଟକ-ବାରବାଟୀ) ଓ ଦାଶରଥୀ ଗମାଙ୍ଗ (ମୋହନା)ଙ୍କ ବିରୋଧରେ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ତିନି ବିଧାୟକ ଭାଜପା ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ପକ୍ଷରେ ଭୋଟ୍ ଦେଇଥିଲେ ।
ସୂଚନାଯୋଗ୍ୟ, ୧୪୭ ସଦସ୍ୟ ବିଶିଷ୍ଟ ଓଡ଼ିଶା ବିଧାନସଭାରେ ଚାରିଟି ରାଜ୍ୟସଭା ଆସନ ପାଇଁ ମାର୍ଚ୍ଚ ୧୬ରେ ଭୋଟ୍ ଗ୍ରହଣ କରାଯାଇଥିଲା । ଏହି ନିର୍ବାଚନରେ ମୋଟ୍ ୧୧ ଜଣ ବିଧାୟକ କ୍ରସ୍ ଭୋଟିଂ କରିଥିଲେ, ଯେଉଁଥିରେ କଂଗ୍ରେସର ୩ ଓ ବିଜେଡିର ୮ ବିଧାୟକ ସାମିଲ ଥିଲେ । ବିଜେଡି ଓ କଂଗ୍ରେସ ମେଣ୍ଟରେ ଡ. ଦତ୍ତେଶ୍ୱର ହୋତାଙ୍କୁ ସମର୍ଥନ କରିଥିଲା, କିନ୍ତୁ ବ୍ୟାପକ କ୍ରସ୍ ଭୋଟିଂ ଫଳରେ ଭାଜପା ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ବିଜୟୀ ହୋଇଥିଲେ ।
ଭକ୍ତ ଦାସ କହିଛନ୍ତି ଯେ ସେ ରମେଶ ଜେନାଙ୍କ କ୍ରସ୍ ଭୋଟିଂ କରିବା ଆଶା କରି ନଥିଲେ। ଦଳ ବିରୋଧୀ କାର୍ଯ୍ୟ କରି ଏହି ତିନି ବିଧାୟକ ନିଜର ସମ୍ମାନ କ୍ଷୁଣ୍ଣ କରିଛନ୍ତି ବୋଲି ସେ ମତ ପ୍ରକାଶ କରିଛନ୍ତି । ପିସିସି ସଭାପତି ଆହୁରି ମଧ୍ୟ କହିଛନ୍ତି ଯେ, ସମ୍ବିଧାନର ଦଶମ ଅନୁସୂଚୀ ଅନୁଯାୟୀ ଏହି ତିନି ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ବାଚସ୍ପତିଙ୍କ ନିକଟରେ ଦାବି କରାଯିବ। କାରଣ ଦଶମ ଅନୁସୂଚୀ ଅନୁଯାୟୀ, ଯଦି କୌଣସି ନିର୍ବାଚିତ ସଦସ୍ୟ “ସ୍ୱେଚ୍ଛାକୃତ ଭାବରେ” ଦଳୀୟ ସଦସ୍ୟତା ତ୍ୟାଗ କରନ୍ତି, ତେବେ ରାଜନୈତିକ ଦଳ ତାଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଆବେଦନ କରିପାରିବ ।
ଏହି ଘଟଣାରେ ଦଳୀୟ ହାଇକମାଣ୍ଡଙ୍କୁ ଅବଗତ କରାଯାଇଥିବା ବେଳେ ତିନି ବିଧାୟକଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭକ୍ତ ଦାସ ସ୍ପଷ୍ଟ କରିଛନ୍ତି ।
