୨ ଏପ୍ରିଲରୁ ହେବ କଡ଼ାକଡ଼ି ପିୟୁସି ଯାଞ୍ଚ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ (PUC) ଯାଞ୍ଚ ଆସନ୍ତା ୨ ଏପ୍ରିଲରୁ ପୁଣି କଡ଼ାକଡ଼ି ହେବ। ରାଜ୍ୟ ପରିବହନ ପ୍ରାଧିକରଣ (STA) ସୂତ୍ରରୁ ପ୍ରକାଶ ଯେ, ଯେଉଁମାନେ ନିଜ ଗାଡ଼ିର PUC କରିନାହାନ୍ତି, ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଅନ୍ୟପକ୍ଷରେ, ଟ୍ରାଫିକ୍ ଉଲ୍ଲଂଘନ ଅଭିଯୋଗରେ ଯେଉଁମାନଙ୍କ ଉପରେ ଜରିମାନା ଧାର୍ଯ୍ୟ କରାଯାଇଥିଲା, ସେମାନଙ୍କ ପାଇଁ ପରିବହନ ବିଭାଗ ଏକ ଓ୍ଵାନ୍ ଟାଇମ୍ ସେଟଲମେଣ୍ଟ (OTS) ସ୍କିମ୍ ଲାଗୁ କରିଥିଲା। ଏହି ସ୍କିମ୍ ଅନୁଯାୟୀ, ନିର୍ଦ୍ଧାରିତ ସମୟ ମଧ୍ୟରେ ମୋଟ ଜରିମାନାର ୫୦ ପ୍ରତିଶତ ଅର୍ଥ ଦେଲେ ସମସ୍ତ ଜରିମାନା ମାଫ୍ ହୋଇଯିବ ବୋଲି କୁହାଯାଇଥିଲା। ମଙ୍ଗଳବାର ଦିନ ଏହି ଅବଧି ଶେଷ ହୋଇଛି।
ପ୍ରାୟ ୫ ମାସ ତଳେ ଏହି OTS ସ୍କିମ୍ ଲାଗୁ ହୋଇଥିଲା। ଏତେ ବଡ଼ ସୁଯୋଗ ସତ୍ତ୍ୱେ, ଏହି ସମୟ ମଧ୍ୟରେ ମାତ୍ର ୨୫ ପ୍ରତିଶତ ଜରିମାନା ଅର୍ଥ ଆଦାୟ ହୋଇପାରିଛି। ପ୍ରାୟ ୧୩୦୦ କୋଟି ଟଙ୍କାର ଜରିମାନା ମଧ୍ୟରୁ ମାତ୍ର ଦେଢ଼ ଶହ କୋଟି ଟଙ୍କା ଆଦାୟ ହୋଇଛି। ଅଧିକରୁ ଅଧିକ ଜରିମାନା ଆଦାୟ ପାଇଁ STA ପକ୍ଷରୁ ପରିବହନ ବିଭାଗକୁ ପ୍ରସ୍ତାବ ଦିଆଯାଇଛି। ଫଳରେ, ପ୍ରାୟ ଗୋଟିଏ ମାସ ପାଇଁ OTS ର ଅବଧି ବୃଦ୍ଧି କରାଯିବ ବୋଲି ଜଣାପଡ଼ିଛି।
ଏହି ପ୍ରସଙ୍ଗରେ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଜରିମାନା ପଇଠ କରିବାକୁ ଲୋକେ ଆଗ୍ରହ ଦେଖାଉଛନ୍ତି, କିନ୍ତୁ କେଉଁଠି, କାହାକୁ ଏବଂ କେଉଁ ପ୍ରକ୍ରିୟାରେ ଏହି ଅର୍ଥ ଦେବେ ସେନେଇ ସେମାନେ ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି। ପରିବହନ ବିଭାଗ ଓ ପୁଲିସ ଦ୍ୱାରା ଚାଲାଣ କଟାଯାଉଥିବା ବେଳେ ଏହାର ପଇଠ ମାଧ୍ୟମ ଅଲଗା ହୋଇଥିବାରୁ ଏହି ସମସ୍ୟା ଦେଖାଦେଇଛି।
ସେହିପରି, ଟ୍ରାଫିକ୍ ଉଲ୍ଲଂଘନକାରୀଙ୍କ ବିରୋଧରେ ରାଜ୍ୟରେ ଗତ ୨୧ ତାରିଖରୁ ଚାଲିଥିବା ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ ଆଜି ଶେଷ ହେବାର ଥିଲା। କିନ୍ତୁ ଏହି ଅଭିଯାନକୁ ଆସନ୍ତା ୧୦ ଏପ୍ରିଲ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ଅଭିଯାନରେ ମୋଟର ଭେଇକିଲ୍ ନିୟମ ଉଲ୍ଲଂଘନ କରୁଥିବା ଗାଡ଼ି ଚାଳକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। କେବଳ ଦୁଇଚକିଆ ଗାଡ଼ି ନୁହେଁ, ବସ୍ ଓ ଟ୍ରକ୍ ଭଳି ଭାରୀ ଯାନଗୁଡ଼ିକୁ ମଧ୍ୟ ଯାଞ୍ଚ କରାଯାଉଛି।
