BusinessFeaturedLatestNews

୧.୧୦ ଲକ୍ଷ କୋଟି ଟଙ୍କାର ମେଗା ଆଲୁମିନିୟମ ପ୍ରକଳ୍ପ ପାଇଁ ଚୁକ୍ତି

ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶାକୁ ଏକ ଶିଳ୍ପ ସମୃଦ୍ଧ ଅର୍ଥନୀତିରେ ପରିଣତ କରିବା ଓ ବିଶ୍ୱସ୍ତରୀୟ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ଦିଗରେ ଆଜି ରାଜ୍ୟ ଶିଳ୍ପ ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି । ଓଡ଼ିଶା ସରକାର, ଆଦାନୀ ଏଣ୍ଟରପ୍ରାଇଜେସ୍ ଲିମିଟେଡ୍ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ‘ଇଣ୍ଟରନ୍ୟାସନାଲ ହୋଲ୍ଡିଂ କମ୍ପାନୀ’ (IHC) ମଧ୍ୟରେ ଏକ ମେଗା ସମନ୍ୱିତ ଆଲୁମିନିୟମ ପ୍ରକଳ୍ପ ପାଇଁ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହୋଇଛି । ଏହି ପ୍ରସ୍ତାବିତ ପ୍ରକଳ୍ପରେ ୧୧.୫ ବିଲିୟନ ଆମେରିକୀୟ ଡଲାର ଅର୍ଥାତ୍ ପ୍ରାୟ ୧.୧୦ ଲକ୍ଷ କୋଟି ଟଙ୍କାର ବିପୁଳ ପୁଞ୍ଜିନିବେଶ କରାଯିବ ।

ଲୋକସେବା ଭବନ କନଭେନସନ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, “୨୦୩୬ ସୁଦ୍ଧା ଏକ ସମୃଦ୍ଧ, ଆଧୁନିକ ଓ ସମାବେଶୀ ଓଡ଼ିଶା ଗଠନ ପାଇଁ ଆମର ଉଦ୍ୟମ ସଫଳତାର ସହ ଜାରି ରହିଛି । ଓଡ଼ିଶାର ସମ୍ବଳ ଓ ପ୍ରତିଭା ସହ ମଧ୍ୟ-ପ୍ରାଚ୍ୟର ପୁଞ୍ଜି ଓ ପ୍ରଯୁକ୍ତି ବିଦ୍ୟାର ସମନ୍ୱୟରେ ଏକ ସମୃଦ୍ଧ ପାର୍ଟନରସିପ ଗଠନ ହେବ ।” ଏହି ପ୍ରକଳ୍ପ ମାଧ୍ୟମରେ ଓଡ଼ିଶାରେ ବକ୍ସାଇଟ୍ ଖଣି କାର୍ଯ୍ୟ, ଆଲୁମିନା ରିଫାଇନିଂ, ଆଲୁମିନିୟମ ସ୍ମେଲଟିଙ୍ଗ, କ୍ୟାପ୍ଟିଭ ପାୱାର ପ୍ଲାଣ୍ଟ ସମେତ ଡାଉନଷ୍ଟ୍ରିମ ଆଲୁମିନିୟମ ଉତ୍ପାଦନ ଓ ଭିତ୍ତିଭୂମିର ବିକାଶ କରାଯିବ । ଗ୍ରୀନ ମେଟାଲ୍ସ ଓ ପରିବେଶ ଉପଯୋଗୀ ଶିଳ୍ପାୟନର ଧାରାକୁ ସୁଦୃଢ଼ କରିବାରେ ଏହି ପ୍ରକଳ୍ପ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି ।

ଏହି ମେଗା ପ୍ରକଳ୍ପ ଦ୍ୱାରା ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ନିର୍ମାଣ ପର୍ଯ୍ୟାୟରେ ପ୍ରାୟ ୩୫,୦୦୦ ଓ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ ପ୍ରାୟ ୧୮,୫୦୦ ଲୋକଙ୍କୁ ମିଶାଇ ସମୁଦାୟ ୫୩,୫୦୦ରୁ ଉର୍ଦ୍ଧ୍ୱ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, “ରାଜ୍ୟର ଖଣିଜ ସମ୍ବଳରୁ କେବଳ ରପ୍ତାନି ନୁହେଁ, ବରଂ ବ୍ୟାପକ ମୂଲ୍ୟ ସଂଯୋଜନ ମାଧ୍ୟମରେ ଶିଳ୍ପାୟନ ଏବଂ ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବା ଆମ ସରକାରଙ୍କ ମୂଳ ଲକ୍ଷ୍ୟ ।” ଏହି ପ୍ରକଳ୍ପ ‘ସମୃଦ୍ଧ ଓଡ଼ିଶା ୨୦୩୬’ ଓ ‘ବିକଶିତ ଭାରତ ୨୦୪୭’ର ସଂକଳ୍ପ ଦିଗରେ ଐତିହାସିକ ପଦକ୍ଷେପ ବୋଲି ସେ ମତବ୍ୟକ୍ତ କରିଛନ୍ତି । IHC ଗ୍ରୁପ୍ ସହିତ କେବଳ ଆଲୁମିନିୟମ ପ୍ରକଳ୍ପ ନୁହେଁ, ବରଂ ଗବେଷଣା ଓ ବିକାଶ (R&D), ମେଟାଲର୍ଜି, ଡିଜିଟାଲ୍ ସିଷ୍ଟମ ଏବଂ ଗ୍ଲୋବାଲ୍ କ୍ୟାପାବିଲିଟି ସେଣ୍ଟର (GCC) ଭଳି ଉଦୀୟମାନ କ୍ଷେତ୍ରରେ ମଧ୍ୟ ସହଯୋଗ ବୃଦ୍ଧି କରାଯିବ ।

ପ୍ରକଳ୍ପର ସଫଳତା ପାଇଁ ଜମି, ଜଳ, ବିଦ୍ୟୁତ, ଲଜିଷ୍ଟିକ୍ସ ଏବଂ ସରକାରୀ ମଞ୍ଜୁରୀ ଭଳି ସମସ୍ତ ଆନୁଷଙ୍ଗିକ ସୁବିଧା ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ସମନ୍ୱିତ ଏବଂ ସମୟବଦ୍ଧ ଭାବରେ ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ଆଦାନୀ ପୋର୍ଟସ୍ ଆଣ୍ଡ୍ ଏସଇଜେଡ୍ ଲିମିଟେଡର ମ୍ୟାନେଜିଂ ଡାଇରେକ୍ଟର କରନ ଆଦାନୀ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ପ୍ରଚୁର ଖଣିଜ ସମ୍ପଦ ଏବଂ ଶିଳ୍ପ ସମ୍ଭାବନାକୁ ଉଚ୍ଚ ପ୍ରଶଂସା କରିବା ସହ କହିଛନ୍ତି, “ଓଡ଼ିଶାରେ ଥିବା ଦେଶର ସର୍ବବୃହତ ବକ୍ସାଇଟ ଭଣ୍ଡାର ଓ ୫୦ ପ୍ରତିଶତରୁ ଅଧିକ ଲୁହାପଥର ଏହାକୁ ଭାରତର ଶିଳ୍ପ ଜଗତର ମେରୁଦଣ୍ଡ ଭାବେ ଗଢ଼ି ତୋଳିଛି ।”

ଇଣ୍ଟରନ୍ୟାସନାଲ ହୋଲ୍ଡିଂ କମ୍ପାନୀର ଚିଫ ଷ୍ଟ୍ରାଟେଜିକ୍ ଅଫିସର ପିଟର ଆବ୍ରାମ କହିଛନ୍ତି, “ଏହି ଚୁକ୍ତି କେବଳ ଏକ ବ୍ୟବସାୟିକ ନିବେଶ ନୁହେଁ, ବରଂ ଓଡ଼ିଶାର ସ୍ଥାୟୀ ବିକାଶ ପାଇଁ ଏକ ଦୀର୍ଘକାଳୀନ ଭାଗିଦାରୀ ।” ଏହି ଅବସରରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ସଚିବ ଅନୁ ଗର୍ଗ, ୟୁଏଇ IHC ଗ୍ରୁପର ନିର୍ଦ୍ଦେଶକ ଓ ସିଇଓ ସୟଦ୍ ବସର୍ ସୁଏବ୍, ୟୁଏଇ ଇଣ୍ଟରନ୍ୟାସନାଲ୍ ରିସୋର୍ସେସ୍ ହୋଲ୍ଡିଂ (IRH)ର ସିଇଓ ଅଲି ଅଲ୍-ରସ୍‌ଦି, IHC ଗ୍ରୁପର ନେତୃବୃନ୍ଦ ହେସାମ୍ ଓ ଅବ୍‌ଦୁଲା ଅଲ୍-ରସ୍‌ଦିଙ୍କ ସମେତ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ, ଶିଳ୍ପ ଜଗତର ପ୍ରତିଷ୍ଠିତ ନେତୃବୃନ୍ଦ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଇପିକଲର ନିର୍ଦ୍ଦେଶିକା ଅବୋଲି ସୁନୀଲ ନରଭଣେ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।