TET ସମୟସୀମା ବୃଦ୍ଧି, ଶିକ୍ଷକମାନଙ୍କୁ ମିଳିଲା ଆଉ ଏକ ବର୍ଷ
ଭୁବନେଶ୍ୱର (ସଂକେତ ଟିଭି): ଶିକ୍ଷକ ଯୋଗ୍ୟତା ପରୀକ୍ଷା (Teacher Eligibility Test) ବା TET ପାସ୍ କରିନଥିବା ଶିକ୍ଷକମାନଙ୍କ ପାଇଁ ଆସିଛି ବଡ଼ ଖବର। TET ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ନିର୍ଦ୍ଧାରିତ ସମୟସୀମାକୁ ୨ ବର୍ଷରୁ ବୃଦ୍ଧି କରି ୩ ବର୍ଷ କରାଯାଇଛି। ଏହି ନିଷ୍ପତ୍ତି ଫଳରେ, ଯେଉଁ ଶିକ୍ଷକମାନେ ଏପର୍ଯ୍ୟନ୍ତ TET ପାସ୍ କରିପାରି ନାହାନ୍ତି, ସେମାନେ ଏବେ ୨୦୨୮ ଅଗଷ୍ଟ ୩୧ ସୁଦ୍ଧା ପରୀକ୍ଷା କ୍ଲିୟର କରିବାର ସୁଯୋଗ ପାଇବେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ଦେଶର ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରର ଶିକ୍ଷକମାନଙ୍କ ପାଇଁ TET ପାସ୍ କରିବା ବାଧ୍ୟତାମୂଳକ। ଶିକ୍ଷାର ଗୁଣବତ୍ତା ବୃଦ୍ଧି ଏବଂ ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷାଦାନ ସୁନିଶ୍ଚିତ କରିବା ପାଇଁ ଏହି ନିୟମ କାର୍ଯ୍ୟକାରୀ ହୋଇଛି। ତେବେ, ବିଭିନ୍ନ ପ୍ରଶାସନିକ ଓ ବ୍ୟକ୍ତିଗତ କାରଣରୁ ଅନେକ ଶିକ୍ଷକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ TET ପାସ୍ କରିପାରିନଥିଲେ। ସେମାନଙ୍କ କଥା ବିଚାରକୁ ନେଇ, ବିଭାଗ ପକ୍ଷରୁ ଆଉ ଏକ ବର୍ଷର ଅତିରିକ୍ତ ସମୟ ପ୍ରଦାନ କରାଯାଇଛି।
ଏହି ନିଷ୍ପତ୍ତି ରାଜ୍ୟର ହଜାର ହଜାର ଶିକ୍ଷକଙ୍କ ପାଇଁ ଆସ୍ୱସ୍ତି ଆଣିଛି। ସମୟସୀମା ବୃଦ୍ଧି ହେଲେ ମଧ୍ୟ TET ପାସ୍ କରିବା ବାଧ୍ୟତାମୂଳକ ରହିବ ବୋଲି ବିଭାଗ ସ୍ପଷ୍ଟ କରିଛି। ନିର୍ଦ୍ଦିଷ୍ଟ ଅବଧି ମଧ୍ୟରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଶିକ୍ଷକମାନଙ୍କୁ ତାଲିମ ଓ ପ୍ରସ୍ତୁତି ଜୋରଦାର କରିବାକୁ ପରାମର୍ଶ ଦିଆଯାଇଛି। ଶିକ୍ଷା ବିଶେଷଜ୍ଞଙ୍କ ମତରେ, ଏହି ନିଷ୍ପତ୍ତି ଏକପଟେ ଶିକ୍ଷକମାନଙ୍କୁ ଆଶ୍ୱସ୍ତି ଦେଇଥିବାବେଳେ, ଅନ୍ୟପଟେ ଶିକ୍ଷାର ଗୁଣବତ୍ତା ବଜାୟ ରଖିବା ଦିଗରେ ମଧ୍ୟ ସହାୟକ ହେବ।
ଏହି ନୂତନ ସମୟସୀମା ମଧ୍ୟରେ ନିଜ ଯୋଗ୍ୟତା ପ୍ରମାଣ କରିବା ପାଇଁ ଶିକ୍ଷକମାନେ TET ପରୀକ୍ଷାରେ ସଫଳତା ହାସଲ କରିବା ଦିଗରେ ଯତ୍ନବାନ ହେବେ। ଏହା ଦ୍ଵାରା ଛାତ୍ର ଛାତ୍ରୀମାନେ ଗୁଣାତ୍ମକ ଶିକ୍ଷା ପାଇପାରିବେ। ଏପଟେ, ଜୁନ୍ ୨୮ରେ ହେବାକୁ ଥିବା OTET ପରୀକ୍ଷା ତାରିଖ ମଧ୍ୟ ଘୁଞ୍ଚିଛି। ବର୍ତ୍ତମାନ ଜୁଲାଇ ୫ ତାରିଖରେ OTET ପରୀକ୍ଷା ନେଇ ସୂଚନା ଜାରି କରାଯାଇଛି। ସକାଳ ୯ ଟାରୁ ୧୧ ଟା ୩୦ ପର୍ଯ୍ୟନ୍ତ ପେପର-୧ ଏବଂ ଅପରାହ୍ନ ୨ ଟାରୁ ୪ ଟା ୩୦ ପର୍ଯ୍ୟନ୍ତ ପେପର-୨ ପରୀକ୍ଷା ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀମାନେ ପୂର୍ବରୁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିସାରିଥିଲେ, ତେଣୁ ପୁନର୍ବାର ଡାଉନଲୋଡ୍ କରିବାକୁ ମନା କରାଯାଇଛି।
