ମଲ୍ଟି-ଏଜେନ୍ସି ମାରିଟାଇମ ସିକ୍ୟୁରିଟି ଗ୍ରୁପ୍ ପଲିସି ବୈଠକରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି ମଲ୍ଟି-ଏଜେନ୍ସି ମାରିଟାଇମ ସିକ୍ୟୁରିଟି ଗ୍ରୁପ୍ ପଲିସି ବୈଠକ। ଭୁବନେଶ୍ୱରଠାରେ ଅନୁଷ୍ଠିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଉଦଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ଜାତୀୟ ମାରିଟାଇମ ସିକ୍ୟୁରିଟି କୋ-ଅର୍ଡିନେଟର ଏବଂ ବିଭିନ୍ନ ଉପକୂଳବର୍ତ୍ତୀ ରାଜ୍ୟର ସାମୁଦ୍ରିକ ସୁରକ୍ଷା ସମନ୍ୱୟକାରୀମାନେ ଉପସ୍ଥିତ ରହିଛନ୍ତି।
ଏହି ବୈଠକରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସଂସ୍ଥା ଯଥା ନୌସେନା, ଭାରତୀୟ ତଟରକ୍ଷୀ ବାହିନୀ, ଭାରତୀୟ ସୀମା ଶୁଳ୍କ, ରାଜସ୍ୱ ଗୁପ୍ତଚର ନିର୍ଦ୍ଦେଶାଳୟ ଏବଂ ସୀମା ସୁରକ୍ଷା ବଳର ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଛନ୍ତି। ଏହା ସହିତ ଗୃହ ମନ୍ତ୍ରଣାଳୟ, ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ମତ୍ସ୍ୟ ସମ୍ପଦ ମନ୍ତ୍ରଣାଳୟର ଅଧିକାରୀମାନେ ମଧ୍ୟ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେଇଛନ୍ତି।
ଆଜିର ଏହି ବୈଠକରେ ଉପକୂଳ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା, ଉପକୂଳ ସର୍ଭେଲାନ୍ସ ନେଟୱାର୍କର ବିସ୍ତାର ଏବଂ ଏହାର କାର୍ୟ୍ୟକ୍ଷମତା ବୃଦ୍ଧି, ସାମୁଦ୍ରିକ ପଥରେ ଚୋରା ଚାଲାଣ ରୋକିବା, ଏବଂ ନୂତନ ଭାବେ ଉପୁଜିଥିବା ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା ପାଇଁ ବିସ୍ତୃତ ଆଲୋଚନା କରାଯିବ। ଏହି ବୈଠକ ଓଡ଼ିଶାର ସାମୁଦ୍ରିକ ସୀମାକୁ ଅଧିକ ସୁରକ୍ଷିତ କରିବା ଦିଗରେ ଏକ ଐତିହାସିକ ପଦକ୍ଷେପ ବୋଲି ବିବେଚନା କରାଯାଉଛି।
