ଜରୁରୀକାଳୀନ ଗ୍ୟାସ ନିୟମରେ ପରିବର୍ତ୍ତନ କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ(ସଂକେତ ଟିଭି): ମଧ୍ୟ ପ୍ରାଚ୍ୟରେ ଯୁଦ୍ଧବିରତି ଘୋଷଣା ପରେ ହୋର୍ମୁଜ୍ ଷ୍ଟ୍ରେଟ୍ (Strait of Hormuz) ଦେଇ ସାମୁଦ୍ରିକ ଜାହାଜ ଚଳାଚଳ ପୁନରାରମ୍ଭ ହୋଇଛି। ଏହି ପରିସ୍ଥିତିରେ କେନ୍ଦ୍ର ସରକାର ଜରୁରୀକାଳୀନ ଯୋଗାଣ (Emergency Supply) ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ଗ୍ୟାସ ଯୋଗାଣକୁ ନେଇ ଜାରି ହୋଇଥିବା ନୂଆ ସରକାରୀ ନିର୍ଦ୍ଦେଶନାମା ସହ ପୂର୍ବରୁ ଲାଗୁ କରାଯାଇଥିବା ଅନେକ ସ୍ୱତନ୍ତ୍ର କଟକଣାକୁ ହଟାଇ ଦିଆଯାଇଛି।
ସୂଚନାଯୋଗ୍ୟ, ଗତ ୨୮ ଫେବୃଆରୀରେ ଆମେରିକା-ଇସ୍ରାଏଲ-ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ଯୋଗୁଁ ହୋର୍ମୁଜ୍ ଷ୍ଟ୍ରେଟ୍ ବନ୍ଦ ହୋଇଯାଇଥିଲା। ଏହାର ସିଧାସଳଖ ପ୍ରଭାବ ଭାରତର ତୈଳ ଓ ଗ୍ୟାସ ଯୋଗାଣ ଉପରେ ପଡ଼ିଥିଲା। ଅଶୋଧିତ ତୈଳ (Crude Oil) ଯୋଗାଣ ବାଧାପ୍ରାପ୍ତ ହୋଇଥିଲା ଏବଂ ଦେଶରେ ଗ୍ୟାସ ଯୋଗାଣ ଉପରେ ଗମ୍ଭୀର ସଙ୍କଟ ଦେଖାଦେଇଥିଲା। ଏଥିସହ ବିଦେଶୀ କମ୍ପାନୀଗୁଡ଼ିକ ମଧ୍ୟ ଗ୍ୟାସ ଯୋଗାଇବାକୁ ମନା କରି ହାତ ଟେକି ଦେଇଥିଲେ, ଯାହା ପରିସ୍ଥିତିକୁ ଆହୁରି ଜଟିଳ କରିଥିଲା।
ଦେଶରେ ଘରୋଇ ରନ୍ଧନ ଗ୍ୟାସର ସଙ୍କଟ ଦେଖାଦେବାରୁ କେନ୍ଦ୍ର ସରକାର ୯ ମାର୍ଚ୍ଚ ୨୦୨୬ରେ ‘ନ୍ୟାଚୁରାଲ ଗ୍ୟାସ (ସପ୍ଲାଇ ରେଗୁଲେସନ) ଅର୍ଡର’ ଲାଗୁ କରିଥିଲେ। ଏହି ନିୟମ ଅଧୀନରେ LPG ଗ୍ୟାସ, LNG ଏବଂ ରୀ-ଗ୍ୟାସିଫାଇଡ୍ LNGର ଯୋଗାଣ, ବଣ୍ଟନ ଏବଂ ବ୍ୟବହାରକୁ ସରକାର ସିଧାସଳଖ ନିଜ ନିୟନ୍ତ୍ରଣକୁ ନେଇଥିଲେ। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବିଦ୍ୟୁତ, ସାର ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକୁ ପର୍ଯ୍ୟାପ୍ତ ଗ୍ୟାସ ଯୋଗାଇଦେବା, ଯଦ୍ୱାରା ଅତ୍ୟାବଶ୍ୟକ ଓ ଜରୁରୀକାଳୀନ ସେବା ପ୍ରଭାବିତ ନହୁଏ।
ତେବେ ବର୍ତ୍ତମାନ ମିଡିଲ୍ ଇଷ୍ଟରେ ଯୁଦ୍ଧବିରତି ଏବଂ ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ୍ରେ ଜାହାଜ ଚଳାଚଳ ସ୍ୱାଭାବିକ ହେବା ପରେ କେନ୍ଦ୍ର ସରକାର ଏହି କଟକଣାକୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ୪ ଜୁଲାଇ ୨୦୨୬ରେ ଏକ ନୂଆ ନିର୍ଦ୍ଦେଶନାମା ଜାରି କରି ଗ୍ୟାସ ଉତ୍ପାଦନ ଓ ବଣ୍ଟନ ଉପରୁ ସମସ୍ତ ସରକାରୀ ନିୟନ୍ତ୍ରଣକୁ ହଟାଇ ଦେଇଛନ୍ତି। ପୂର୍ବ ନିୟମ ଅନୁଯାୟୀ, ଦେଶରେ କେତେ ପରିମାଣର ପ୍ରାକୃତିକ ଗ୍ୟାସ ଉତ୍ପାଦନ ହେବ ଏବଂ କେଉଁ ସେକ୍ଟରକୁ କେତେ ଦିଆଯିବ, ତାହା ସରକାର ହିଁ ସ୍ଥିର କରୁଥିଲେ।
ନୂଆ ସରକାରୀ ଆଦେଶ ଅନୁଯାୟୀ, ଏବେ ସମସ୍ତ କ୍ଷେତ୍ରକୁ ଗ୍ୟାସ ମିଳିପାରିବ। ମାର୍ଚ୍ଚ ୨୦୨୬ରେ ଗ୍ୟାସର ଅଭାବକୁ ଦୃଷ୍ଟିରେ ରଖି ଜରୁରୀକାଳୀନ କ୍ଷେତ୍ରଗୁଡ଼ିକୁ ପ୍ରାଥମିକତା ଦିଆଯାଇଥିଲା ଏବଂ ସବୁଠାରୁ ପୂର୍ବରୁ ଘରୋଇ ବ୍ୟବହାର ପାଇଁ ଗ୍ୟାସ ସୁନିଶ୍ଚିତ କରିବାକୁ ଘୋଷଣା କରାଯାଇଥିଲା। ସେହିପରି ଗ୍ୟାସର ଅପବ୍ୟବହାର ରୋକିବା ପାଇଁ କଠୋର ନିୟମ ଲାଗୁ ହୋଇଥିଲା। ଏବେ ଏହାର ଯୋଗାଣ ଏବଂ ବ୍ୟବହାର ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ, ଫଳରେ ଗ୍ୟାସ ଯୋଗାଣ ପୂର୍ବଭଳି ମୁକ୍ତ ଭାବେ ହୋଇପାରିବ।
ତେବେ କେନ୍ଦ୍ର ସରକାର ନୂଆ ଆଦେଶରେ ସ୍ପଷ୍ଟ କରିଛନ୍ତି ଯେ, ସରକାର ଯୋଗାଣ ଉପରେ ତୀକ୍ଷ୍ଣ ନଜର ରଖିବେ। ଭବିଷ୍ୟତରେ ଯଦି ପୁଣି କୌଣସି ସଙ୍କଟ ଦେଖାଦିଏ, ତେବେ ଏହାଠାରୁ ଅଧିକ କଠୋର କଟକଣା ଲାଗୁ କରାଯିବ ବୋଲି ସରକାର ଚେତାବନୀ ଦେଇଛନ୍ତି। ଏଥିସହ ଦେଶବାସୀଙ୍କୁ ଗ୍ୟାସର ବ୍ୟବହାର ଚିନ୍ତାକରି ଓ ସଂଯମତାର ସହ କରିବାକୁ ଅପିଲ୍ କରାଯାଇଛି।
