FeaturedLatestNews

ଟ୍ରକକୁ ପଛପଟୁ ଧକ୍କା ଦେଲା ତୀର୍ଥଯାତ୍ରୀ ଗାଡ଼ି, ୧୨ ଗୁରୁତର

ବାଲେଶ୍ବର (ସଂକେତ ଟିଭି): ଜଗନ୍ନାଥ ଦର୍ଶନ ସାରି ଘରକୁ ଫେରୁଥିବା ଏକ ତୀର୍ଥଯାତ୍ରୀ ବାହନ ବାଲେଶ୍ୱର ଜିଲ୍ଲାରେ ବଡ଼ ଧରଣର ଦୁର୍ଘଟଣାଗ୍ରସ୍ତ ହୋଇଛି। ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରକ୍କୁ ପଛ ପଟୁ ଧକ୍କା ଦେଇଛି ଟ୍ରାଭେରା ଗାଡ଼ିଟି। ଏହି ଦୁର୍ଘଟଣାରେ ୧୨ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ବାଲେଶ୍ୱର ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି।

ଆଜି (ବୁଧବାର) ଭୋର ସାଢ଼େ ୪ଟା ସମୟରେ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର କୁଣ୍ଡପୁର ଛକ ନିକଟରେ ଏହି ଅଘଟଣ ଘଟିଛି। ପୁରୀଠାରୁ ଭୋଗରାଇ (ନିମାତପୁର) ଅଭିମୁଖେ ଆସୁଥିବା OD01Z6804 ନମ୍ବର ବିଶିଷ୍ଟ ଟ୍ରାଭେରା ଗାଡ଼ିଟି ରାସ୍ତା କଡ଼ରେ ଅଟକି ରହିଥିବା ଟ୍ରକ୍କୁ ପଛପଟୁ ଜୋରରେ ଧକ୍କା ଦେଇଥିଲା। ଧକ୍କାର ତୀବ୍ରତା ଏତେ ଅଧିକ ଥିଲା ଯେ ଗାଡ଼ିଟିର ସାମନା ପଟ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା।

ଖବର ପାଇ ଘଟଣାସ୍ଥଳରେ ବସ୍ତା ପୋଲିସ, ଅଗ୍ନିଶମ ବାହିନୀ ଏବଂ ରାଜପଥ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଗାଡ଼ିରେ ୧୯ ଜଣ ଯାତ୍ରୀ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ବସ୍ତା ଏବଂ ପରେ ବାଲେଶ୍ୱର ମେଡିକାଲ କଲେଜକୁ ପଠାଯାଇଥିଲା। ଅନ୍ୟ ୭ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିଲେ।

ଦୁର୍ଘଟଣା ପରେ ଟ୍ରକ୍ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ତେବେ ଟ୍ରାଭେରା ଡ୍ରାଇଭରକୁ ଅଟକ ରଖି ପୋଲିସ ତଦନ୍ତ ଜାରି ରଖିଛି। ପୋଲିସ ଦୁର୍ଘଟଣାର କାରଣ ଏବଂ ଟ୍ରକ୍ ଚାଳକର ଖୋଜାଖୋଜି କରୁଥିବା ବେଳେ, ଆହତମାନଙ୍କ ଅବସ୍ଥା ଏବେ ସ୍ଥିର ଥିବା ଜଣାପଡ଼ିଛି।