EducationFeaturedLatestNews

ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ପ୍ରକାଶ

ଭୁବନେଶ୍ୱର (ସଂକେତ ଟିଭି): ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଯୁକ୍ତ ଦୁଇ (+୨) ଇ-ନାମଲେଖାର ପ୍ରଥମ ପର୍ଯ୍ୟାୟ ମନୋନୟନ ପ୍ରକ୍ରିୟା ଶେଷ ହୋଇଛି । ଏହି ପରିପ୍ରେକ୍ଷୀରେ ଆଜି ପ୍ରଥମ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇଛି । ସୂଚନା ଅନୁଯାୟୀ, ମୋଟ ୪,୬୧,୩୨୫ ଜଣ ଆବେଦନକାରୀଙ୍କ ମଧ୍ୟରୁ ପ୍ରାୟ ୯୩.୦୪ ପ୍ରତିଶତ ଅର୍ଥାତ୍ ୪,୨୯,୨୧୯ ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି ।

ମନୋନୀତ ଛାତ୍ରଛାତ୍ରୀଙ୍କ ଷ୍ଟ୍ରିମ୍‌ୱାରୀ ବିବରଣୀ ଦେଖିବାକୁ ଗଲେ, ସର୍ବାଧିକ ୨,୭୬,୯୨୫ ଜଣ କଳା (Arts) ବିଭାଗରେ, ୧,୨୧,୪୯୪ ଜଣ ବିଜ୍ଞାନ (Science) ବିଭାଗରେ, ୧୯,୮୪୪ ଜଣ ବାଣିଜ୍ୟ (Commerce) ବିଭାଗରେ, ୬,୧୩୪ ଜଣ ଉପଶାସ୍ତ୍ରୀ (ସଂସ୍କୃତ) ବିଭାଗରେ ଏବଂ ୪,୮୨୨ ଜଣ ଧନ୍ଦାମୂଳକ (Vocational) ଶିକ୍ଷା ବିଭାଗରେ ସ୍ଥାନ ପାଇଛନ୍ତି ।

ଲିଙ୍ଗଗତ ଭିତ୍ତିରେ ବିଶ୍ଳେଷଣ କଲେ, ମୋଟ ମନୋନୀତଙ୍କ ମଧ୍ୟରେ ୨,୦୦,୪୯୩ ଜଣ ଛାତ୍ର, ୨,୨୮,୬୭୫ ଜଣ ଛାତ୍ରୀ ଏବଂ ୫୧ ଜଣ ତୃତୀୟଲିଙ୍ଗୀ ବିଦ୍ୟାର୍ଥୀ ରହିଛନ୍ତି । ଏହାସହ ପ୍ରଥମ ପର୍ଯ୍ୟାୟରେ ମନୋନୀତ ୨,୭୪,୪୫୪ ଜଣ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ପ୍ରଥମ ପସନ୍ଦର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମିଳିଥିବା ବେଳେ ୩୨,୧୦୬ ଜଣ ଏହି ପର୍ଯ୍ୟାୟରେ ବାଦ୍ ପଡ଼ିଛନ୍ତି । ତେବେ ସେମାନଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ଓ ସ୍ପଟ୍‌ ସିଲେକ୍ସନରେ ନାମଲେଖା ପାଇଁ ସୁଯୋଗ ପ୍ରଦାନ କରାଯିବ ।

ବିଭିନ୍ନ ବିଭାଗର କଟ୍-ଅଫ୍ ମାର୍କ ଉପରେ ନଜର ପକାଇଲେ, କଟକ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରତିଷ୍ଠାଟି ସବୁ ବିଭାଗରେ ଶୀର୍ଷ ସ୍ଥାନରେ ରହିଛି । ବିଜ୍ଞାନ ବିଭାଗରେ ସର୍ବାଧିକ ୯୩.୪୦%, ବାଣିଜ୍ୟରେ ୮୨.୪୦% ଏବଂ କଳାରେ ୮୧.୦୦% କଟ୍-ଅଫ୍ ରହିଛି । ସେହିଭଳି ଧନ୍ଦାମୂଳକ ଶିକ୍ଷାରେ କଳାହାଣ୍ଡି ଧର୍ମଗଡ଼ର ସରକାରୀ ଭୋକେସନାଲ୍ ବିଦ୍ୟାଳୟ ୭୪.୬୭% ଏବଂ ଉପଶାସ୍ତ୍ରୀ (ସଂସ୍କୃତ) ରେ କନ୍ଧମାଳ ଚକାପାଦର ଗୁରୁକୁଳ ସଂସ୍କୃତ ବିଦ୍ୟାଳୟ ୫୭% କଟ୍-ଅଫ୍ ସହ ଶୀର୍ଷରେ ରହିଛି ।

ଆସନ୍ତା ଜୁଲାଇ ୨୩ ତାରିଖଠାରୁ ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ ହେବାକୁ ଯାଉଛି । ଏହାସହ ବିଏସଇ ଓଡ଼ିଶାରୁ ଆବେଦନ କରିଥିବା ୪,୨୬,୪୦୬ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩,୯୫,୬୮୧ ଜଣ ଏହି ରାଉଣ୍ଡରେ ସ୍ଥାନ ପାଇଛନ୍ତି ବୋଲି ଜଣାପଡ଼ିଛି ।

କଟ୍-ଅଫ୍ ମାର୍କ (ସ୍କୁଲ୍ ୱାରୀ):

  • ବିଜ୍ଞାନ:
  • ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କଟକ: ୯୩.୪୦%
  • ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଭୁବନେଶ୍ୱର: ୯୦.୦୦%
  • ଜାତୀୟ କବି ବୀର କିଶୋର ସରକାରୀ କଲେଜ, କଟକ: ୮୭.୧୭%
  • ବାଣିଜ୍ୟ:
  • ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କଟକ: ୮୨.୪୦%
  • ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାଉରକେଲା: ୮୧.୨୦%
  • ଜାତୀୟ କବି ବୀର କିଶୋର କଲେଜ, କଟକ: ୭୨.୬୭%
  • କଳା:
  • ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କଟକ: ୮୧.୦୦%
  • ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାଉରକେଲା: ୮୦.୬୭%
  • ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଭବାନୀପାଟଣା: ୮୦.୦୦%

Leave a Reply

Your email address will not be published. Required fields are marked *