CrimeLatestNews

୪ଟି ମନ୍ଦିରରୁ ୫ ଲକ୍ଷ ଟଙ୍କାର ସୁନା-ରୁପା ଲୁଟ୍

ବାଲେଶ୍ବର (ସଂକେତ ଟିଭି): ବାଲେଶ୍ଵର ଜିଲ୍ଲା ପଣପଣା ପଞ୍ଚାୟତ ଅନ୍ତର୍ଗତ ବେଗୁନିଆ ଗ୍ରାମର ୫ ନମ୍ବର ୱାର୍ଡରେ ଥିବା ଏକାଧିକ ମନ୍ଦିର ଓ ପୂଜାସ୍ଥଳୀରୁ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ସୁନା ଗହଣା, ରୁପା ଓ ଆସବାବପତ୍ର ଲୁଟି ନେଇଥିବା ନେଇ ଆଜି ଖନ୍ତାପଡ଼ା ଥାନାରେ ଲିଖିତ ଅଭିଯୋଗ ହୋଇଛି।

ଲୁଟ୍ ହୋଇଥିବା ସ୍ଥାନଗୁଡ଼ିକ ମଧ୍ୟରେ ବାବା ମଦନ ଜୀଉ ମନ୍ଦିର, ମା ମଙ୍ଗଳା ମନ୍ଦିର, ବରୁଣେଇ ମନ୍ଦିର ଏବଂ ହରିହାଟ ଘରେ ଥିବା ଠାକୁରଙ୍କ ଆସ୍ଥାନା ରହିଛି। ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଲୁଟ୍ ହୋଇଥିବା ସମସ୍ତ ଅଳଙ୍କାର ଓ ଆସବାପତ୍ରର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ।

ଖବର ପାଇ ଖନ୍ତାପଡ଼ା ଥାନାର ଏଏସ୍ଆଇ ଅମିତା ଦାସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସେ ଗ୍ରାମବାସୀଙ୍କ ସହ କଥା ହୋଇ ସବିଶେଷ ତଥ୍ୟ ପଚାରି ବୁଝିବା ସହିତ ଘଟଣାର ପ୍ରାରମ୍ଭିକ ଯାଞ୍ଚ କରିଛନ୍ତି।

ଦିନକୁ ଦିନ ଦୁର୍ବୃତ୍ତମାନେ ଲୁଟ୍ ପାଇଁ ମନ୍ଦିରଗୁଡ଼ିକୁ ଟାର୍ଗେଟ କରୁଥିବା ବେଳେ, ଏହି ଘଟଣାର ଅଧିକ ଯାଞ୍ଚ ପାଇଁ ସାଇଣ୍ଟିଫିକ ଟିମ୍ ମୁତୟନ କରାଯିବ ବୋଲି ଖନ୍ତାପଡ଼ା ଥାନା ପକ୍ଷରୁ ସୂଚନା ଦିଆଯାଇଛି। ଥାନା ପକ୍ଷରୁ ଚୋରମାନଙ୍କୁ ଶୀଘ୍ର ଗିରଫ କରିବା ପାଇଁ ତଦନ୍ତ ଜୋରଦାର କରାଯାଉଛି।