ରାଜ୍ୟରେ ଜମି ପଞ୍ଜିକରଣ ହେବ କ୍ୟାସଲେସ୍, ବନ୍ଦ ହେବ ଦଲାଲୀ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟର ଜମି ପଞ୍ଜିକରଣ କାର୍ଯ୍ୟାଳୟଗୁଡ଼ିକୁ ଦଲାଲମୁକ୍ତ କରିବା ପାଇଁ ଓଡ଼ିଶା ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଆଗାମୀ ଦିନରେ ଜମି କିଣାବିକା ପ୍ରକ୍ରିୟାରେ କୌଣସି ପ୍ରକାର କ୍ୟାସ୍ (ନଗଦ) କାରବାର ହେବ ନାହିଁ। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏହି ଘୋଷଣା କରି କହିଛନ୍ତି ଯେ, ସମସ୍ତ ଜମି କିଣାବିକା ସମ୍ପୂର୍ଣ୍ଣ ରୂପେ କ୍ୟାସଲେସ୍ ହେବ। ଗୋଟିଏ ବି ପଇସା ନଗଦରେ ଲେନଦେନ ହେବ ନାହିଁ, ଯାହାଫଳରେ ସ୍ୱଚ୍ଛତା ଆସିବ ଏବଂ ଅନିୟମିତତା ଉପରେ ଅଙ୍କୁଶ ଲାଗିବ।
ପୂର୍ବରୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ନଗଦ କାରବାରର ବ୍ୟବସ୍ଥା ଥିଲା, କିନ୍ତୁ ବର୍ତ୍ତମାନ ସେହି ସୀମାକୁ ମଧ୍ୟ ସମ୍ପୂର୍ଣ୍ଣ ରୂପେ ହଟାଇ ଦିଆଯାଇଛି। ଏହି ପଦକ୍ଷେପ ଦ୍ୱାରା ଜମି ପଞ୍ଜିକରଣ କାର୍ଯ୍ୟାଳୟଗୁଡ଼ିକରେ ଦଲାଲମାନଙ୍କ ପ୍ରଭାବ କମିବ ଏବଂ ସାଧାରଣ ଲୋକମାନେ ନିରାପଦରେ ନିଜର ଜମି ଲେନଦେନ କରିପାରିବେ। ଯେଉଁମାନେ ଏହି ନିୟମ ଉଲ୍ଲଂଘନ କରୁଥିବା ଦେଖାଯିବେ, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ସ୍ପଷ୍ଟ ଚେତାବନୀ ଦେଇଛନ୍ତି।
ଏହି ନୂଆ ବ୍ୟବସ୍ଥାରେ ଲୋକମାନଙ୍କୁ ବାରମ୍ବାର ପଞ୍ଜିକରଣ କାର୍ଯ୍ୟାଳୟକୁ ଆସିବାର ଆବଶ୍ୟକତା ନାହିଁ। କେବଳ ଜମିର ପ୍ରକୃତ ମାଲିକ ଚିହ୍ନଟ ପାଇଁ ଥରେ ଉପସ୍ଥିତ ରହିଲେ ହେବ। ପଞ୍ଜିକରଣ ପ୍ରକ୍ରିୟା ଶେଷ ହେବା ପରେ ସମ୍ପୃକ୍ତ ଦଲିଲ୍ ମଧ୍ୟ ଅନଲାଇନ୍ ମାଧ୍ୟମରେ ଉପଲବ୍ଧ ହେବ, ଯାହା ସମୟ ଏବଂ ଶ୍ରମ ଉଭୟଙ୍କର ସଞ୍ଚୟ କରିବ। ଏହି ପରିବର୍ତ୍ତନକୁ ସୁଗମ କରିବା ପାଇଁ ରାଜସ୍ୱ ବିଭାଗ ପକ୍ଷରୁ ଶୀଘ୍ର ଏକ ବିସ୍ତୃତ ଏସଓପି (SOP) ଜାରି କରାଯିବ।
ନୂଆ ବ୍ୟବସ୍ଥାକୁ ସଫଳ କରାଇବା ନିମନ୍ତେ ରାଜସ୍ୱ ଅଧିକାରୀମାନଙ୍କୁ ବିଶେଷ ପ୍ରକାରର ପ୍ରଶିକ୍ଷଣ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ନ୍ତି। ଏହି ପଦକ୍ଷେପ ଜମି କାରବାରରେ ସ୍ୱଚ୍ଛତା ଆଣିବା ସହ ଭବିଷ୍ୟତରେ ଜମି ବିବାଦ ଓ ଠକେଇ କମାଇବାରେ ସହାୟକ ହେବ ବୋଲି ଆଶା କରାଯାଉଛି।
