୬୦୦ କୋଟି ବ୍ୟୟରେ ନିର୍ମାଣ ହେବ ନୂଆ ବିପର୍ଯ୍ୟୟ ପରିଚାଳନା ଓ ରାଜସ୍ୱ ଭବନ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଓଡ଼ିଶା ସରକାର ଏକ ବୃହତ୍ ପ୍ରକଳ୍ପର ଶୁଭାରମ୍ଭ କରିବାକୁ ଯୋଜନା କରିଛନ୍ତି। ଏହି କ୍ରମରେ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ୩୦୦ କୋଟି ଟଙ୍କା ବ୍ୟୟରେ ଏକ ନୂତନ ୧୦ ମହଲା ବିଶିଷ୍ଟ କୋଠା ନିର୍ମାଣ କରାଯିବ। ରାଜୀବ ଭବନ ପଛପଟେ ନୂଆ ଡିଜାଇନ୍ରେ ନିର୍ମାଣ ହେବାକୁ ଥିବା ଏହି କୋଠାରେ ଏସଆରସି (SRC), ଓଏସଡିଏମଏ (OSDMA) ଏବଂ ଓଡ୍ରାଫ (ODRAF)ର କାର୍ଯ୍ୟାଳୟ ରହିବ।
ଏହାସହିତ, ରାଜସ୍ୱ ବିଭାଗର କାର୍ଯ୍ୟପରିଧି ଓ କର୍ମଚାରୀଙ୍କ ସୁବିଧା ପାଇଁ ୧୮୦ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହେବ ରାଜସ୍ୱ ଭବନ। ଏହି ଭବନରେ ବେସମେଣ୍ଟ ସହିତ ୩ଟି ମହଲା ପାର୍କିଂ, ଉପର ଦୁଇଟି ମହଲାରେ ଅପରେସନ୍ ଓ ମିଡ଼ିଆ ଲାଉଞ୍ଜ, ଆଉ ଦୁଇଟି ମହଲାରେ ୧୨ଟି ଅପରେସନ୍ ମିଡ଼ିଆ ଲାଉଞ୍ଜ, ଦୁଇଟି ମହଲା ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ଏବଂ ଆଉ ଦୁଇଟି ମହଲାରେ ଓଡ୍ରାଫ ଏବଂ ଏସଡିଏମଏ (SDMA) କାର୍ଯ୍ୟାଳୟ ରହିବ।
ରାଜସ୍ୱ ଭବନରେ ରାଜସ୍ୱ ବିଭାଗ, ବୋର୍ଡ ଅଫ୍ ରେଭେନ୍ୟୁ ଏବଂ ଜିଲ୍ଲାପାଳଙ୍କ କ୍ୟାମ୍ପ କୋର୍ଟ ମଧ୍ୟ ରହିବ। ଲୋକ ସେବା ଭବନରେ ରାଜସ୍ୱ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ସ୍ଥାନ ଅଭାବ ଥିବାରୁ ଏହି ନୂତନ ରାଜସ୍ୱ ଭବନର ପରିକଳ୍ପନା କରାଯାଇଛି।
ସେହିପରି, ଭୁବନେଶ୍ୱର ଓ ପୁରୀରେ ଅତ୍ୟାଧୁନିକ ସର୍କିଟ ହାଉସ୍ ନିର୍ମାଣ କରାଯିବ ଏବଂ ରାଜସ୍ୱ ଅଧିକାରୀ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ରେ ୯୦ କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ ପ୍ରେକ୍ଷାଳୟ ନିର୍ମାଣ ହେବ। ମୋଟ ୬୦୦ କୋଟି ଟଙ୍କାର ଏହି ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ ଆସନ୍ତା ଅଗଷ୍ଟ ମାସରେ ହେବାକୁ ଥିବା ବେଳେ ଦେଢ଼ ବର୍ଷ ମଧ୍ୟରେ ସମସ୍ତ କାର୍ଯ୍ୟ ସମାପ୍ତ କରିବାକୁ ରାଜସ୍ୱ ବିଭାଗ ଲକ୍ଷ୍ୟ ରଖିଛି।
