FeaturedLatestNews

ଏସ୍‌ଆଇଆର୍‌କୁ ନେଇ କଂଗ୍ରେସର ଅଭିଯୋଗକୁ ଖଣ୍ଡନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ସଂକେତ ଟିଭି): SIR ଭୋଟର ତାଲିକାର ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ ବା ଏସ୍‌ଆଇଆର୍‌କୁ ନେଇ କଂଗ୍ରେସର ଅଭିଯୋଗ ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡ଼ା ପ୍ରତିକ୍ରିୟା ଦେଇଛନ୍ତି।

ଦୀର୍ଘ ବ୍ୟବଧାନ ପରେ ନିର୍ବାଚନ କମିଶନଙ୍କ ପକ୍ଷରୁ ଭୋଟର ତାଲିକାର ସ୍ୱତନ୍ତ୍ର ପୁନଃସଂଶୋଧନ କରାଯାଉଥିବା କହି, ଏହା ଡିଜିଟାଲ୍ ଓ ଘରକୁ ଘର ସତ୍ୟାପନ ପ୍ରକ୍ରିୟାରେ ହେଉଥିବା ସେ କହିଛନ୍ତି। ECI ଅନୁସାରେ SIRର ଉଦ୍ଦେଶ୍ୟ ହେଉଛି ଯୋଗ୍ୟ ନାଗରିକଙ୍କ ନାଁ ଭୋଟର ତାଲିକାରୁ ବାଦ୍ ନ ପଡ଼ିବା ଏବଂ ଅଯୋଗ୍ୟ ନାମ ସାମିଲ ନହେବା।

ମୁଖ୍ୟମନ୍ତ୍ରୀ କହିଛନ୍ତି, କଂଗ୍ରେସ ନିଜ ସ୍ୱାର୍ଥ ପାଇଁ ନିର୍ବାଚନ କମିଶନଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛି। ଏସ୍‌ଆଇଆର୍‌ରେ ବହୁ ସଂଖ୍ୟକ ଭୋଟରଙ୍କ ନାଁ ବାଦ୍ ପଡ଼ିଥିବାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଉଥିବା ବେଳେ, ଏହା ପ୍ରକ୍ରିୟାର ଅଂଶ ବୋଲି ସେ କହିଛନ୍ତି।

ଫର୍ମ-୬କୁ ନେଇ ମଧ୍ୟ ସ୍ପଷ୍ଟୀକରଣ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଫର୍ମ-୬ରେ ପରିବର୍ତ୍ତନ ହୋଇଥିବା କଂଗ୍ରେସର ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। ନିର୍ବାଚନ କମିଶନ ମଧ୍ୟ ସେପ୍ଟେମ୍ବର ୨୪ରେ କହିଛନ୍ତି ଯେ ମୂଳ Form-6ରେ କୌଣସି ପରିବର୍ତ୍ତନ କରାଯାଇନାହିଁ; SIR ସମ୍ପର୍କିତ ଅତିରିକ୍ତ ଘୋଷଣା ପତ୍ରକୁ ଅଲଗା ଭାବେ ଯୋଡ଼ାଯାଇଛି। ନୂଆ ଭୋଟରଙ୍କ ପାଇଁ ଏସ୍‌ଆଇଆର୍‌ରେ କୌଣସି ଅସୁବିଧା ନଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ନୂଆ ଭୋଟରଙ୍କ ପଞ୍ଜୀକରଣ ପାଇଁ Form-6 ବ୍ୟବସ୍ଥା ଜାରି ରହିଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଖ୍ୟ ନିର୍ବାଚନ କମିଶନର କୌଣସି ରାଜ୍ୟର CEOଙ୍କ ବିରୋଧରେ ଯାଇ ଏକପାଖିଆ ଭାବେ ନିଷ୍ପତ୍ତି ନେଇନାହାନ୍ତି। ସମସ୍ତଙ୍କ ସହଯୋଗରେ ଏହି ପ୍ରକ୍ରିୟା ଚାଲିଛି।

ଓଡ଼ିଶାରେ SIRର ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨୦.୧୩ ଲକ୍ଷ ଭୋଟରଙ୍କ ନାଁ ଡ୍ରାଫ୍ଟ ଭୋଟର ତାଲିକାରୁ ବାଦ୍ ପଡ଼ିଥିଲା। ଏଥିରେ ମୃତ, ସ୍ଥାନାନ୍ତରିତ, ଅନୁପସ୍ଥିତ ଓ ଏକାଧିକ ସ୍ଥାନରେ ପଞ୍ଜୀକୃତ ଭୋଟର ଥିବା ନିର୍ବାଚନ ଅଧିକାରୀମାନେ କହିଥିଲେ।

କଂଗ୍ରେସକୁ ଟାର୍ଗେଟ୍ କରି ମୁଖ୍ୟମନ୍ତ୍ରୀ “ଚାଲୁଣି କହୁଛି ଛୁଞ୍ଚିକୁ” ଓ “ଗୋଳିଆ ପାଣିରୁ ମାଛ ଧରିବାକୁ କଂଗ୍ରେସ ଚେଷ୍ଟା କରୁଛି” ବୋଲି କହିଛନ୍ତି। ଏସ୍‌ଆଇଆର୍‌କୁ ନେଇ ଅଯଥା ଇସ୍ୟୁ କରାଯାଉଥିବା ଅଭିଯୋଗ କରି, ଦେଶରେ ଅରାଜକତା ସୃଷ୍ଟି ପାଇଁ କଂଗ୍ରେସ ଚକ୍ରାନ୍ତ କରୁଥିବା ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି। କଂଗ୍ରେସ ଆଉ ଶାସନକୁ ଫେରିପାରିବ ନାହିଁ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ କହିବା ସହ ବିରୋଧୀଙ୍କ ପକ୍ଷରୁ ଏସ୍‌ଆଇଆର୍‌କୁ ନେଇ ଆସୁଥିବା ଅଭିଯୋଗକୁ ସେ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି।

Leave a Reply

Your email address will not be published. Required fields are marked *