ଏମଏମଡିଆର ଆଇନ ବିରୋଧରେ ବିଜେଡିର ବିଶାଳ ଗଣବିକ୍ଷୋଭ
ଭୁବନେଶ୍ୱର (ସଂକେତ ଟିଭି): ଏମଏମଡିଆର (MMDR) ଆଇନ ବିରୋଧରେ ବିଜେଡି ରଣହୁଙ୍କାର ଦେଇଛି। ଲୋୟର ପିଏମଜିରେ ବିଜେଡିର ବିଶାଳ ଗଣବିକ୍ଷୋଭ ଅନୁଷ୍ଠିତ ହୋଇଛି। MMDR ବିଲ୍ ପ୍ରତ୍ୟାହାର ଦାବିରେ ଆୟୋଜିତ ଏହି ବିକ୍ଷୋଭରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସାମିଲ ହୋଇଛନ୍ତି।
ବିଶାଳ ଗଣଧାରଣାକୁ ସମ୍ବୋଧିତ କରି ନବୀନ କହିଛନ୍ତି ଯେ, “୪.୪ କୋଟି ଓଡ଼ିଆଙ୍କ ହକ୍ ପାଇଁ ଆମେ ଏକାଠି ହୋଇଛୁ। MMDR ବିଲ୍ ସାଧାରଣ ବିଲ୍ ନୁହେଁ, ଏହା ଓଡ଼ିଶାର ଅଧିକାର ଛଡ଼ାଇ ନେବାର ଏକ ପ୍ରୟାସ। ଓଡ଼ିଶାର ଖଣି ଓ ଜମି ଉପରେ ଓଡ଼ିଶାବାସୀଙ୍କ ଅଧିକାର ପାଇଁ ମୁଁ ଶେଷ ନିଶ୍ୱାସ ଯାଏଁ ଲଢ଼ିବି।”
ନବୀନ ପୁଣି କହିଛନ୍ତି ଯେ, ଏ ସରକାରଙ୍କୁ ଜେନ-ଜି ଓ ଓଡ଼ିଶାବାସୀ କେବେ କ୍ଷମା ଦେବେ ନାହିଁ। ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ସ୍ୱାର୍ଥର କଥା। ତେଣୁ ଏ ଲଢ଼େଇ ଜାରି ରହିବ। ଦୁଃଖର କଥା, ବିନା ଆଲୋଚନାରେ ଏ ଭଳି ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ୍ ହୋଇଗଲା। କାହା ସ୍ୱାର୍ଥରେ ଆମର ୨୦ ଜଣ ବିଜେପି ଏମପି ଚୁପ ବସିଲେ? ଓଡ଼ିଶା ସରକାର ବି ଚୁପ ରହିଲେ।
ବିଧାନସଭାରେ ସ୍ୱତନ୍ତ୍ର ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲି, କିନ୍ତୁ ଉତ୍ତର ନାହିଁ। ମୁଖ୍ୟମନ୍ତ୍ରୀଙ୍କୁ MMDRକୁ ବିରୋଧ କରି ରିଜୋଲ୍ୟୁସନ ପାଇଁ ପୁଣି ଚିଠି ଲେଖିଲି, କିନ୍ତୁ ଉତ୍ତର ନାହିଁ। ଏହି ବିଲ୍ ପାଇଁ ଓଡ଼ିଶା ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କା କ୍ଷତି ସହିବ। ଓଡ଼ିଶାର ସ୍ୱାର୍ଥ ପାଇଁ ସରକାର ନୀରବ କାହିଁକି? ମାଟି ଠାରୁ ପାର୍ଟି କେବେ ବି ବଡ଼ ହୋଇପାରିବ ନାହିଁ। ଏ ମାଟିକୁ ଧୋକା ଦେଲେ ସବୁ ଦିନ ପାଇଁ ନିନ୍ଦା ମିଳିବ।
ଜେନ-ଜି ଆପଣଙ୍କୁ କ୍ଷମା ଦେବେ ନାହିଁ। ଓଡ଼ିଶାବାସୀ କ୍ଷମା ଦେବେ ନାହିଁ। ଓଡ଼ିଶାର ଅଧିକାର ପାଇଁ ମୋର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ମୁଁ ଲଢ଼ିବି। ସବୁ ଦଳଙ୍କୁ ମୋର ଅନୁରୋଧ, ଏ ଲଢ଼େଇରେ ସାମିଲ ହୁଅନ୍ତୁ। ଆମେ ଲଢ଼ିବା, ଆମ ହକ ଫେରାଇ ଆଣିବା।
ଓଡ଼ିଶାର ଖଣି ଓ ଓଡ଼ିଶାର ଜମି ଉପରେ ଓଡ଼ିଶାବାସୀଙ୍କ ହକ୍ ରହିଛି। ଓଡ଼ିଶାର ୨୦ ବିଜେପି ସାଂସଦ କାହିଁକି ଚୁପ୍? ରାଜ୍ୟ ସରକାର କାହିଁକି ନୀରବ? ବୋଲି ପ୍ରଶ୍ନ କରିଛନ୍ତି ନବୀନ। ଏହି ସଂଶୋଧନ ଯୋଗୁଁ ଓଡ଼ିଶା ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କାର ରାଜସ୍ୱ ହରାଇବ। MMDR ପ୍ରସଙ୍ଗରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକି ସର୍ବସମ୍ମତ ପ୍ରସ୍ତାବ ଗୃହୀତ କରିବାକୁ ନବୀନ ଦାବି କରିଛନ୍ତି।
ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଦୁଇଥର ଏବଂ ରାଜ୍ୟର ବିଜେପି ସାଂସଦମାନଙ୍କୁ ଚିଠି ଲେଖିଥିବା କହିଛନ୍ତି ନବୀନ। ରାଜ୍ୟର ସମ୍ପଦ ଓ ଅଧିକାରର ସୁରକ୍ଷା ଜେନ-ଜି ଓ ଆଗାମୀ ପିଢ଼ିର ଭବିଷ୍ୟତ ସହ ଜଡ଼ିତ ବୋଲି ସେ କହିଛନ୍ତି। ମାଟିଠାରୁ ପାର୍ଟି କେବେ ବଡ଼ ହୋଇପାରିବ ନାହିଁ। ଚୌକି ଆଜି ଅଛି, କାଲି ନଥିବ, କିନ୍ତୁ ମାଟିକୁ ଧୋକା ଦେଲେ ଲୋକେ କ୍ଷମା କରିବେ ନାହିଁ। MMDR ସଂଶୋଧନ ବିରୋଧରେ ଲଢ଼େଇ ଜାରି ରଖିବାକୁ ନବୀନ ଆହ୍ୱାନ ଦେଇଛନ୍ତି।
