ଡିଏମଏଫ ପାଣ୍ଠିରେ ୭୩ କୋଟି ୭୧ ଲକ୍ଷ ଟଙ୍କାର ବଡ଼ ଧରଣର କ୍ଷତି: ଏଜି ରିପୋର୍ଟ
ଭୁବନେଶ୍ୱର (ସଂକେତ ଟିଭି): ୨୦୧୫ରୁ ୨୦୨୪ ମସିହା ମଧ୍ୟରେ ଡିଏମଏଫ (ଜିଲ୍ଲା ଖଣିଜ ପ୍ରତିଷ୍ଠା ପାଣ୍ଠି)ରେ ବଡ଼ ଧରଣର କ୍ଷତି ଧରିଲେ ଏଜି (ମହାଲେଖା ନିରୀକ୍ଷକ)। ୨୦୨୪ ମାର୍ଚ୍ଚ ସୁଦ୍ଧା ନିର୍ଧାରିତ ଡିଏମଏଫ ଅଂଶଧନ ହାରର ଭୁଲ ପ୍ରୟୋଗ, ଚୂଡାନ୍ତ ରାୟଲିଟି ଆକଳନ ପରେ ଅଂଶଧନର ପୁନଃ ଆକଳନ ନକରିବା ଏବଂ ବିଳମ୍ବିତ ଦେୟ ଉପରେ ସୁଧ ଆଦାୟ ନ କରିବାରୁ ଡିଏମଏଫ ସଂଗ୍ରହରେ ୭୩ କୋଟି ୭୧ ଲକ୍ଷ ଟଙ୍କାର ବଡ଼ ଧରଣର କ୍ଷତିଥିବା ଏଜି ଦର୍ଶାଇଛନ୍ତି।
୨୦୧୫-୧୬ ରୁ ୨୦୨୩-୨୪ ଅବଧି ମଧ୍ୟରେ ଡିଏମଏଫ ଅଂଶଧନ ବାବଦରେ ୨୦,୭୯୫.୫୧ କୋଟି ଟଙ୍କା ଓ ସୁଧ ବାବଦରେ ୧,୭୭୨.୬୬ କୋଟି ଟଙ୍କା ପାଇଥିବା ସତ୍ତ୍ୱେ ଡିଏମଏଫ ପ୍ରଭାବିତ ଲୋକଙ୍କୁ ସ୍ଥାୟୀ ଜୀବିକା ଯୋଗାଇବାରେ ବିଫଳ ହୋଇଥିବା କୁହାଯାଇଛି।
ଏହି ସମୟରେ ଡିଏମଏଫ ଅଂଶଧନରେ ଯାଜପୁର ଓ କେନ୍ଦୁଝର ଜିଲ୍ଲାରେ ‘ପରିବେଶ ସଂରକ୍ଷଣ’ ଓ ‘ଜୀବିକା’ କାର୍ଯ୍ୟକ୍ରମ ଅନ୍ତର୍ଗତ ‘ଆଦର୍ଶ ଗ୍ରାମୀଣ ଉଦ୍ୟାନ, ଗ୍ରାମ ଉଦ୍ୟାନ, ବନ ବାଟିକା, ଇକୋ-ରିଟ୍ରିଟ୍ କେନ୍ଦ୍ର’ ନିର୍ମାଣ ଭଳି ୧୨୬ଟି ପ୍ରକଳ୍ପ ପାଇଁ ୫୧ କୋଟି ୭୧ ଲକ୍ଷ ଟଙ୍କାର ଅଗ୍ରାହ୍ୟ ବ୍ୟୟ ହୋଇଥିଲା। ତେବେ ପ୍ରକଳ୍ପଗୁଡିକ ଅସମ୍ପୂର୍ଣ୍ଣ ତ ଥା ଅଚଳ ହୋଇ ପଡ଼ି ରହିଥିବା ଏଜି ଦର୍ଶାଇଛନ୍ତି।
ତିନୋଟି ଅନୁଷ୍ଠାନକୁ ଡିଏମଏଫ ପାଣ୍ଠିରୁ ୪.୩୦ କୋଟି ଟଙ୍କା ପ୍ରଦାନ କରାଯାଇ ମେଡିକାଲ କୋଚିଂ ପାଇଁ ମନୋନୀତ ୪୩୭ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଥିବା ସତ୍ତ୍ୱେ, ମାତ୍ର ୬ ଜଣ ଛାତ୍ରଛାତ୍ରୀ ମେଡିକାଲ କଲେଜରେ ନାମଲେଖା ପାଇଁ ଯୋଗ୍ୟତା ହାସଲ କରିପାରିଥିଲେ।
ସେହିପରି ୨୦୧୯ରୁ ୨୦୨୪ ମସିହା ମଧ୍ୟରେ ରାଜ୍ୟରେ ୨୦୭ଟି ବୃହତ ଜଳ ଯୋଗାଣ ପ୍ରକଳ୍ପ ହାତକୁ ନିଆଯାଇଥିଲା। ଏଥିରୁ ୧୩୩ଟି ପ୍ରକଳ୍ପ ଜଳ ଜୀବନ ମିଶନ ଅଧୀନରେ ଥିଲା। ଜୁନ୍ ୨୦୨୪ ସୁଦ୍ଧା ବୃହତ ଜଳ ଯୋଗାଣ ପ୍ରକଳ୍ପ ମଧ୍ୟରୁ ମାତ୍ର ୨ଟି ସମ୍ପୂର୍ଣ୍ଣ ହୋଇପାରିଥିଲା ବୋଲି ଏଜି କହିଛନ୍ତି।
୨୦୨୪ ସୁଦ୍ଧା ସମସ୍ତ ପରିବାରକୁ ଜଳ ସଂଯୋଗ ଯୋଗାଇବାରେ ସରକାର ଅସମର୍ଥ ଥିବା କୁହାଯାଇଛି। ଏବେ ବି ରାଜ୍ୟର ୩୧ ପ୍ରତିଶତ ପରିବାର ପାନୀୟ ଜଳ ସୁବିଧା ପାଇବାରୁ ବଞ୍ଚିତ ଅଛନ୍ତି। ନମୁନା ଯାଞ୍ଚ ହୋଇଥିବା ୫ ଜିଲ୍ଲାରୁ କନ୍ଧମାଳ ସର୍ବାଧିକ ୬୯.୬୫ ପ୍ରତିଶତ ଜଳ ଯୋଗାଣ ହୋଇଥିବା ବେଳେ ମାଲକାନଗିରିରେ ସର୍ବନିମ୍ନ ୧୧.୨୦ ପ୍ରତିଶତ ରହିଛି।
ସେହିପରି ରାଜ୍ୟରେ ୫ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣରେ ଅନିୟମିତତା ଦେଖିଛନ୍ତି ଏଜି। ବେସରକାରୀ ଶିକ୍ଷାନୁଷ୍ଠାନରେ ଖର୍ଚ୍ଚ ହୋଇଛି ଲକ୍ଷାଧିକ ଟଙ୍କା। ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ ଆସୁନଥିଲେ ମଧ୍ୟ ରୂପାନ୍ତରଣ ହୋଇଛି ବିଦ୍ୟାଳୟ।
ଓସେପା ଓ ଜିଲ୍ଲା ମଧ୍ୟରେ ସମନ୍ୱୟ ଅଭାବ ହେତୁ ଇ-ବିଷୟବସ୍ତୁ ଦୁଇ ଥର ଲେଖା କିଣା ଯାଇ କୋଟି କୋଟି ଟଙ୍କା ଅନାବଶ୍ୟକ ବ୍ୟୟ କରାଯାଇଥିବା ଦେଖିଛନ୍ତି ଏଜି। ମୌଳିକ ସୁବିଧା ନଥିବାରୁ ରୂପାନ୍ତରିତ ଶ୍ରେଣୀଗୃହ ଓ ବିଜ୍ଞାନଗାର ଅକାମୀ ହୋଇ ପଡ଼ିଥିବା ଦେଖିଛନ୍ତି ଏଜି।
ବ୍ଲୁ ଇକୋନୋମି ତଥା ଉପକୂଳବର୍ତ୍ତୀ ପର୍ଯ୍ୟଟନ ବିକାଶ କ୍ଷେତ୍ରରେ କୌଣସି ଆଖିଦୃଶିଆ ପଦକ୍ଷେପ ନେଇନଥିଲେ ପୂର୍ବ ସରକାର। ପ୍ରଶାସନିକ ଅନୁମୋଦନ, ଜମି ଅଧିଗ୍ରହଣ ଭଳି ବିଭିନ୍ନ କାରଣ ପାଇଁ ୮୯୮ କୋଟି ଟଙ୍କା ପର୍ଯ୍ୟଟନ ପାଣ୍ଠିରେ ଜମା ହୋଇ ରହିଥିଲା। ଏପରିକି ଖର୍ଚ୍ଚ ନହେବା କାରଣରୁ ୧୦୩ କୋଟି ଟଙ୍କା ଫେରସ୍ତ କରାଯାଇଥିଲା। ଏହି ଟଙ୍କା ପାଞ୍ଚ ବର୍ଷ ଧରି ଓଟିଡିସି ଆକାଉଣ୍ଟରେ ଜମା ହୋଇ ରହିଥିଲା। ସରକାର ଯେଉଁ ଅର୍ଥ ଖର୍ଚ୍ଚ କରିଥିଲେ ସେଥିରୁ ଅଧିକାଂଶ ଅନାବଶ୍ୟକ ଥିବା ଧରିଛନ୍ତି ଏଜି।
