CulturalFeaturedLatestNews

ଶାସ୍ତ୍ରୀୟ ତିଥି ଓ ସୂର୍ଯ୍ୟୋଦୟ କାଳକୁ ଆଧାର କରି ନିର୍ଦ୍ଧାରିତ ହେବ ମହାପ୍ରଭୁଙ୍କ ରଥଯାତ୍ରା

ପୁରୀ(ସଂକେତ ଟିଭି): ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ମୁକ୍ତିମଣ୍ଡପ ପଣ୍ଡିତସଭା ପକ୍ଷରୁ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହଦେବଙ୍କୁ ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା ଏବଂ ଶ୍ରୀଗୁଣ୍ଡିଚା ଯାତ୍ରାର ତିଥି ନିର୍ଣ୍ଣୟ ସମ୍ପର୍କରେ ଏକ ସ୍ପଷ୍ଟ ଶାସ୍ତ୍ରୀୟ ବ୍ୟବସ୍ଥା ପତ୍ର ପ୍ରଦାନ କରାଯାଇଛି। ସ୍କନ୍ଦ ପୁରାଣ, ବ୍ରହ୍ମ ପୁରାଣ, ପଦ୍ମ ପୁରାଣ, ନୀଳାଦ୍ରି ମହୋତ୍ସବ ଏବଂ ବାମଦେବ ସଂହିତା ଭଳି ପ୍ରାମାଣିକ ଶାସ୍ତ୍ରକୁ ଆଧାର କରି ଏହି ନିଷ୍ପତ୍ତି ନିଆଯାଇଛି।

ସ୍କନ୍ଦ ପୁରାଣ ଅନୁଯାୟୀ, ଜ୍ୟେଷ୍ଠ-ପୂର୍ଣ୍ଣିମା ତିଥି ହିଁ ମହାପ୍ରଭୁଙ୍କର ପବିତ୍ର “ଜନ୍ମଦିନ” ଓ ଏହା ‘ମହା-ସ୍ନାନ’ ଭାବେ ପାଳିତ ହୁଏ। ଏହା କେବଳ ସୂର୍ଯ୍ୟୋଦୟ ସମୟକୁ ଭୋଗ କରୁଥିବା ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ହିଁ ଅନୁଷ୍ଠିତ ହେବ। ସେହିପରି, ମହାପ୍ରଭୁଙ୍କ ରଥଯାତ୍ରା ଏକ ଶାସ୍ତ୍ରୀୟ ‘ନବଦିନାତ୍ମକ ଯାତ୍ରା’। ଏହା ଆଷାଢ଼ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରୁ ଆରମ୍ଭ ହୋଇ ଆଷାଢ଼ ଶୁକ୍ଳ ଦଶମୀ ତିଥିରେ ବାହୁଡ଼ା ଯାତ୍ରା ସହ ସମାପ୍ତ ହୋଇଥାଏ।

ଯଦି କୌଣସି ତିଥି ଲଗାତାର ଦୁଇଦିନ ପଡ଼ିଥାଏ, ତେବେ ‘ନିର୍ଣ୍ଣୟ ସିନ୍ଧୁ’ ଅନୁସାରେ ଯେଉଁଦିନ ଉକ୍ତ ତିଥି ସୂର୍ଯ୍ୟୋଦୟ ଭୋଗକାଳକୁ ପ୍ରାପ୍ତ ହୁଏ, ସେହିଦିନ ହିଁ ଉତ୍ସବ ପାଳନ କରାଯିବା ଶାସ୍ତ୍ରସମ୍ମତ। ଲୋକଙ୍କ ସୁବିଧା ପାଇଁ ଶାସ୍ତ୍ରୀୟ ତିଥିର ବ୍ୟତିକ୍ରମ ଗ୍ରହଣୀୟ ନୁହେଁ ବୋଲି ପଣ୍ଡିତସଭା ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଏହି ତିଥି ନିର୍ଣ୍ଣୟ ପ୍ରକ୍ରିୟା ଭାରତ ଏବଂ ଭାରତ ବାହାରେ ପ୍ରତିଷ୍ଠିତ ସମସ୍ତ ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ବାଧ୍ୟତାମୂଳକ। ବିଶ୍ୱର ଯେକୌଣସି ସ୍ଥାନରେ ଯାତ୍ରା ହେଲେ ମଧ୍ୟ, ସେହି ସ୍ଥାନର ସୂର୍ଯ୍ୟୋଦୟ ସମୟର ଉଦୟକାଳୀନ ତିଥିକୁ ବିଚାରକୁ ନେଇ ସ୍ନାନ ଓ ରଥଯାତ୍ରାର ଦିନାଙ୍କ ନିର୍ଣ୍ଣୟ କରାଯିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *