FeaturedLatestNews

ଭୂଦାନ ଜମି ବଣ୍ଟନ ଓ ମ୍ୟୁଟେସନ ଉପରେ ରାଜ୍ୟ ସରକାରଙ୍କ ସ୍ଥଗିତାଦେଶ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ଭୂଦାନ ଜମିର ବଣ୍ଟନ ଓ ମ୍ୟୁଟେସନ ପ୍ରକ୍ରିୟାକୁ ତୁରନ୍ତ ସ୍ଥଗିତ ରଖିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଚଳିତ ନିୟମାବଳୀର ଉଲଂଘନ ଓ ଜମି ଅଭିଲେଖର ଯଥାର୍ଥ ଯାଞ୍ଚ ବିନା ହିତାଧିକାରୀଙ୍କୁ ବଣ୍ଟନ କରାଯାଉଥିବା ଘଟଣା ସରକାରଙ୍କ ଦୃଷ୍ଟିଗୋଚର ହୋଇଛି। ଏହି ଅବ୍ୟବସ୍ଥା ଯୋଗୁଁ ପରବର୍ତ୍ତୀ ସମୟରେ ମ୍ୟୁଟେସନ ଓ ଜମିପଟ୍ଟାରେ ଅନ୍ତର୍ଭୁକ୍ତି ବେଳେ ଗୁରୁତର ଆଇନଗତ ଜଟିଳତା ସୃଷ୍ଟି ହେବାର ଆଶଙ୍କା ରହିଛି। ତେଣୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଭୂଦାନ ଜମି ସମ୍ବନ୍ଧୀୟ ସମସ୍ତ ବଣ୍ଟନ, ମ୍ୟୁଟେସନ ଓ ପଞ୍ଜୀକରଣ କାର୍ଯ୍ୟ ବନ୍ଦ ରଖିବାକୁ ବିଭାଗ ନିଷ୍ପତ୍ତି ନେଇଛି।

ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ଏହି ସମ୍ପର୍କରେ ସମସ୍ତ ଆରଡିସି, ଜିଲ୍ଲାପାଳ, ପଞ୍ଜୀକରଣ ମହାନିରୀକ୍ଷକ (ଆଇଜିଆର) ଏବଂ ଜମିଜମା ରେକର୍ଡ ଓ ସର୍ଭେ ନିର୍ଦ୍ଦେଶାଳୟକୁ ପୃଥକ ଚିଠି ଲେଖି କଠୋର ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ସେମାନଙ୍କୁ ଏହି ନିର୍ଦ୍ଦେଶ ତୁରନ୍ତ କାର୍ଯ୍ୟକାରୀ କରିବା ଏବଂ ଅଧୀନସ୍ଥ ସମସ୍ତ ତହସିଲଦାର, ଉପଜିଲ୍ଲାପାଳ ଓ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କୁ ଅବଗତ କରାଇବାକୁ କୁହାଯାଇଛି।

ଏହାସହିତ ପୂର୍ବରୁ ବଣ୍ଟନ ହୋଇ ମ୍ୟୁଟେସନ ସମ୍ପନ୍ନ ହୋଇଥିବା ଭୂଦାନ ଜମିର କୌଣସି ପ୍ରକାର ହସ୍ତାନ୍ତର (ଟ୍ରାନ୍ସଫର)କୁ ପଞ୍ଜୀକରଣ ଅଧିକାରୀମାନେ ତତ୍କାଳ ପ୍ରଭାବରୁ ପଞ୍ଜୀକୃତ କରିବେ ନାହିଁ ବୋଲି ଦୃଢ଼ ନିର୍ଦ୍ଦେଶ ଦିଆଯାଇଛି। ଏହା ଦ୍ୱାରା ଇତିମଧ୍ୟରେ ହୋଇସାରିଥିବା କାର୍ଯ୍ୟକୁ ମଧ୍ୟ ନିୟନ୍ତ୍ରଣ କରାଯିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି।

ରାଜ୍ୟ ସରକାର ଏହି ପ୍ରସଙ୍ଗକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ଏକ ମାସ ମଧ୍ୟରେ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ରିପୋର୍ଟରେ ଭୂଦାନ ଯଜ୍ଞ ସମିତିକୁ ଦାନ କରାଯାଇଥିବା ଜମି, ବଣ୍ଟନ କରାଯାଇଥିବା ଜମି, ହାଲ ଜମିପଟ୍ଟାରେ ରେକର୍ଡ ହୋଇଥିବା ଜମି ଏବଂ ହିତାଧିକାରୀଙ୍କୁ ଜାରି ହୋଇଥିବା ଜମି ସମ୍ବନ୍ଧୀୟ ସମସ୍ତ ପ୍ରମାଣିତ ତଥ୍ୟ ଉଲ୍ଲେଖ କରାଯିବ। ଏହି ପଦକ୍ଷେପ ଭୂଦାନ ଜମି ବଣ୍ଟନର ସ୍ୱଚ୍ଛତା ଓ ଆଇନଗତ ବୈଧତା ସୁନିଶ୍ଚିତ କରିବ ବୋଲି ବିଭାଗ ଆଶା କରିଛି।

Leave a Reply

Your email address will not be published. Required fields are marked *