CrimeFeaturedLatestNews

୨୫ ଲକ୍ଷ ଟଙ୍କାର ସରକାରୀ ଅର୍ଥ ହଡ଼ପ ଅଭିଯୋଗ: ବାଲେଶ୍ୱର ସିଡିଏଓଙ୍କ ସମେତ ୩ ଗିରଫ

ବାଲେଶ୍ବର (ସଂକେତ ଟିଭି): ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ବୁଧବାର ବାଲେଶ୍ୱର ଜିଲ୍ଲାର ଦୁଇ ବରିଷ୍ଠ କୃଷି ଅଧିକାରୀ ଏବଂ ଏକ ସ୍ୱେଚ୍ଛାସେବୀ ସଂଗଠନର ନିର୍ଦ୍ଦେଶକଙ୍କୁ ଗିରଫ କରିଛି। କମ୍ପ୍ରିହେନସିଭ୍ ରାଇସ୍ ଫାଲୋ ମ୍ୟାନେଜମେଣ୍ଟ (ସିଆରଏଫଏମ୍) ଯୋଜନାରେ ୨୫ ଲକ୍ଷ ୩ ହଜାର ୨୪୯ ଟଙ୍କାର ସରକାରୀ ଅର୍ଥ ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି।

ଗିରଫ ଅଧିକାରୀମାନେ ହେଲେ ବାଲେଶ୍ୱରର ବର୍ତ୍ତମାନର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ (ସିଡିଏଓ) ବିଶ୍ୱଜିତ ପଣ୍ଡା ଏବଂ ପୂର୍ବତନ କୃଷି ଜିଲ୍ଲା ଅଧିକାରୀ (ଏଡିଓ) ସରୋଜ କୁମାର ଗିରି। ଅନ୍ୟ ଅଭିଯୁକ୍ତ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ବାରିପଦାସ୍ଥିତ ‘ଶକ୍ତି ଶିକ୍ଷା ଡେଭଲପମେଣ୍ଟ ସୋସାଇଟି’ର ନିର୍ଦ୍ଦେଶକ ତୁଷାରକାନ୍ତ ବେହେରା।

ଭିଜିଲାନ୍ସ ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲାରେ ସିଆରଏଫଏମ୍ ଯୋଜନାରେ ହୋଇଥିବା ଅର୍ଥ ହେରଫେର ସମ୍ପର୍କରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଥିଲା। ଏହି ଯୋଜନାରେ ଜିଲ୍ଲାର ୧୨ ହଜାର ହେକ୍ଟର ଜମିରେ ମୁଗ ଏବଂ ୩,୫୦୦ ହେକ୍ଟର ଜମିରେ ବିରି ଚାଷ ପାଇଁ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା।

ଏହି ଯୋଜନାରେ ବାଲେଶ୍ୱର ଜିଲ୍ଲା ପାଇଁ ବାରିପଦାର ଶକ୍ତି ଶିକ୍ଷା ଡେଭଲପମେଣ୍ଟ ସୋସାଇଟିକୁ ପ୍ରଫେସନାଲ ଏଜେନ୍ସି ଭାବେ ଚୟନ କରାଯାଇ ଚୁକ୍ତିନାମା କରାଯାଇଥିଲା। ଯୋଜନାର ନିୟମ ଅନୁଯାୟୀ, ଏହି ସଂସ୍ଥା ଚାଷୀ ଓ ହିତାଧିକାରୀ ଚୟନ, କ୍ଲଷ୍ଟର ଗଠନ, ସଚେତନତା କାର୍ଯ୍ୟକ୍ରମ, ଚାଷୀଙ୍କୁ ସଂଗଠିତ କରିବା ଏବଂ କୃଷି ସାମଗ୍ରୀର ବ୍ୟବହାର ତଦାରଖ କରିବା ଦାୟିତ୍ୱରେ ଥିଲା।

ମାତ୍ର ଭିଜିଲାନ୍ସ ତଦନ୍ତ ଓ କ୍ଷେତ୍ରସ୍ତରୀୟ ଯାଞ୍ଚରୁ ସଂସ୍ଥା ପକ୍ଷରୁ ଏଭଳି କୌଣସି କାର୍ଯ୍ୟ କରାଯାଇ ନଥିବା ଜଣାପଡ଼ିଥିଲା। ଜିଲ୍ଲାର ସମସ୍ତ ୧୨ଟି ବ୍ଲକର କୃଷି ଅଧିକାରୀ ମଧ୍ୟ ସଂସ୍ଥା ପକ୍ଷରୁ କୌଣସି କାର୍ଯ୍ୟ ହୋଇନଥିବା ତଦନ୍ତକାରୀ ଅଧିକାରୀଙ୍କୁ କହିଥିଲେ।

ଏହି ଯୋଜନାରେ କୌଣସି କ୍ଷେତ୍ରସ୍ତରୀୟ ଯାଞ୍ଚ କିମ୍ବା ପ୍ରମାଣପତ୍ର ନଥାଇ ସଂସ୍ଥା ପକ୍ଷରୁ ଜାଲ୍ ବିଲ୍ ପ୍ରସ୍ତୁତ କରାଯାଇଥିଲା। ଏହାକୁ ଦୁଇ କୃଷି ଅଧିକାରୀ ପ୍ରକ୍ରିୟାକରଣ କରି ଅର୍ଥ ମଞ୍ଜୁର କରିଥିବା ଭିଜିଲାନ୍ସ ଅଭିଯୋଗ କରିଛି। ତିନି ଅଭିଯୁକ୍ତଙ୍କ ମଧ୍ୟରେ ଅପରାଧିକ ଷଡ଼ଯନ୍ତ୍ର ହୋଇଥିବା ଏବଂ ସରକାରୀ ପଦବୀର ଅପବ୍ୟବହାର କରି ରାଜକୋଷକୁ ୨୫,୦୩,୨୪୯ ଟଙ୍କାର କ୍ଷତି ପହଞ୍ଚାଯାଇଥିବା ତଦନ୍ତରୁ ଜଣାପଡ଼ିଛି।

ଏହି ଘଟଣାରେ ବାଲେଶ୍ୱର ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୨୭/୨୦୨୬ ରୁଜୁ କରାଯାଇଛି। ତିନି ଅଭିଯୁକ୍ତଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ଏବଂ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍)ର ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି। ସମସ୍ତଙ୍କୁ ବାଲେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ହାଜର କରାଯିବ। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *