ବାତ୍ୟା ‘ଅକୱାନ’ ଓଡ଼ିଶା ମୁହାଁ: ୨୦ରେ ପୁରୀ-ନରସାପୁର ଦେଇ ସ୍ଥଳଭାଗ ଅତିକ୍ରମ ଆଶଙ୍କା
ଭୁବନେଶ୍ୱର (ସଂକେତ ଟିଭି): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୟଙ୍କର ବାତ୍ୟା ‘ଅକୱାନ’ ଏବେ ଓଡ଼ିଶା ମୁହାଁ ହେଉଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ସଦ୍ୟତମ ସୂଚନା ଅନୁଯାୟୀ, ଏହି ବାତ୍ୟା ଆସନ୍ତା ନଭେମ୍ବର ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ଓଡ଼ିଶାର ପୁରୀ ଏବଂ ଆନ୍ଧ୍ରପ୍ରଦେଶର ନରସାପୁର ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି।
ଐଖଉର ସଂଶୋଧିତ ପୂର୍ବାନୁମାନ ଅନୁଯାୟୀ, ବାତ୍ୟା ଦକ୍ଷିଣ ଓ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି ଏବଂ ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ସ୍ଥଳଭାଗ ଛୁଇଁବା ସମୟରେ ପବନର ସର୍ବାଧିକ ବେଗ ଘଣ୍ଟାପ୍ରତି ୯୦-୧୦୦ କିଲୋମିଟର ରହିବ, ଯାହାକି ପରେ ୧୧୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଆଜି ସକାଳ ୮.୩୦ ସୁଦ୍ଧା ବାତ୍ୟା ଗୋପାଳପୁରଠାରୁ ପ୍ରାୟ ୭୧୦ କିଲୋମିଟର ଏବଂ ପୁରୀଠାରୁ ୭୭୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି।
ବାତ୍ୟା ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ବିଶେଷକରି ନଭେମ୍ବର ୧୯ ଏବଂ ୨୦ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ୨୧ ସେଣ୍ଟିମିଟରରୁ ଅଧିକ ବର୍ଷା ହୋଇପାରେ ବୋଲି ଚେତାବନୀ ଦିଆଯାଇଛି। ଏହି ବର୍ଷା ନଭେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଜାରି ରହିପାରେ।
ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଦକ୍ଷିଣ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳରେ ସତର୍କତା ବଢ଼ାଯାଇଛି। ଲଗାଣ ବର୍ଷାରେ ତଳିଆ ଅଞ୍ଚଳରେ ଜଳବନ୍ଦୀ, ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଏବଂ ଦୁର୍ବଳ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ସମୁଦ୍ର ଅଶାନ୍ତରୁ ଅତି ଅଶାନ୍ତ ରହିପାରେ, ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି।
ସ୍ୱତନ୍ତ୍ର ରିଲିଫ୍ କମିଶନର (ଜଛଈ) କାର୍ଯ୍ୟାଳୟ ପକ୍ଷରୁ ପର୍ଯ୍ୟଟନ ଓ ପରିବହନ ବିଭାଗକୁ ଜାରି ନିର୍ଦ୍ଦେଶରେ, ପରିସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ ସମୁଦ୍ର ସ୍ନାନ, ବୋଟିଂ, ୱାଟର ସ୍ପୋର୍ଟସ୍ ଏବଂ ପ୍ଲେଜର କ୍ରୁଜ୍ ସମ୍ପୂର୍ଣ୍ଣ ବନ୍ଦ ରଖାଯିବ। ଅସୁରକ୍ଷିତ ବେଳାଭୂମି ଓ ଉପକୌଳବର୍ତ୍ତୀ ପର୍ଯ୍ୟଟନ ସ୍ଥଳୀରେ ପ୍ରବେଶ ଉପରେ କଟକଣା ଲଗାଯିବା ସହ ବ୍ୟାରିକେଡ୍ ଓ ସତର୍କତା ଫଳକ ଲଗାଯିବ। ହୋଟେଲ, ରିସର୍ଟ ଓ ଟୁର ଅପରେଟରମାନେ ଅତିଥିମାନଙ୍କୁ ସତର୍କ କରାଇବେ।
ପରିବହନ ସୁରକ୍ଷା ପାଇଁ ତଳିଆ ଓ ଦୁର୍ଘଟଣା ପ୍ରବଣ ରାସ୍ତାରେ ରାତ୍ରିକାଳୀନ ପାଟ୍ରୋଲିଂ ବୃଦ୍ଧି, ରିଫ୍ଲେକ୍ଟିଭ୍ ସାଇନେଜ୍ ଲଗାଇବା ଏବଂ କ୍ରେନ୍ ଓ ରିକଭରି ଭ୍ୟାନ୍ ମୁତୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିପଦସଙ୍କୁଳ ରାସ୍ତାରେ ଟ୍ରାଫିକ୍ ଡାଇଭର୍ସନ କିମ୍ବା ଯାତାୟାତ ସାମୟିକ ସ୍ଥଗିତ ରଖାଯିବ। ଜଊଘଈ ଓ ଜିଲ୍ଲା କଣ୍ଟ୍ରୋଲ୍ ରୁମ୍ ସହ ୨୪ ଘଣ୍ଟିଆ ସମନ୍ୱୟ ରଖାଯିବ ଏବଂ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି।
