FeaturedLatestNews

୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରାକ୍-ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ୨୦୨୭ ମସିହାରେ ଅନୁଷ୍ଠିତ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ଏବଂ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ କମିଶନ ପ୍ରାକ୍-ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି କ୍ରମରେ ଆସନ୍ତା ୨୧ ଜୁଲାଇ ତାରିଖରେ ରାଜ୍ୟ ନିର୍ବାଚନ କମିଶନଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ଭିଡିଓ କନଫରେନ୍ସ ଅନୁଷ୍ଠିତ ହେବ। ଏହି ବୈଠକ ପାଇଁ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କୁ ଚିଠି ଲେଖି ଅବଗତ କରାଯାଇଛି।

ଓସୱାନ (OSWAN) ପ୍ଲାଟଫର୍ମ ମାଧ୍ୟମରେ ଆୟୋଜିତ ଏହି ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟତଃ ଦୁଇଟି ପ୍ରସଙ୍ଗ ଉପରେ ଗଭୀର ଆଲୋଚନା ଓ ସମୀକ୍ଷା କରାଯିବ। ପ୍ରଥମତଃ, ୨୦୨୭ ଆଗାମୀ ସାଧାରଣ ନିର୍ବାଚନ ପାଇଁ ବୁଥ୍ ଭିତ୍ତିକ ଭୋଟର ତାଲିକା ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ପ୍ରସ୍ତାବିତ ଘରକୁ ଘର ବୁଲି ସର୍ଭେ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହେବ। ଏହାବ୍ୟତୀତ, ଗତ ୨୦୨୨ ମସିହାରେ ହୋଇଥିବା ପୌର ନିର୍ବାଚନ ସମ୍ପର୍କିତ ବାକି ରହିଥିବା ଡିସି ବିଲ୍ ଏବଂ ଉପଯୋଗିତା ପ୍ରମାଣପତ୍ର ଦାଖଲ ପ୍ରକ୍ରିୟାର ସ୍ଥିତି ଉପରେ ମଧ୍ୟ ସମୀକ୍ଷା କରାଯିବ।

ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ (ଯେଉଁମାନେ ପୌର ନିର୍ବାଚନର ନୋଡାଲ ଅଫିସର), ସମସ୍ତ ERO ଓ AERO ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସାଧାରଣ ବିଭିଧ ସେକ୍ସନର ଡେପୁଟି କଲେକ୍ଟର କିମ୍ବା ଆସିଷ୍ଟାଣ୍ଟ କଲେକ୍ଟରମାନଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେମାନେ ନିଜ ନିଜ ଜିଲ୍ଲାର ଓସୱାନ କେନ୍ଦ୍ରରୁ ଏହି ଭିଡିଓ କନଫରେନ୍ସରେ ଯୋଗ ଦେବେ ଏବଂ ଆଗାମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତି ଉପରେ ମତବିନିମୟ କରିବେ।