ବୈଧ ଫିଟନେସ୍ ବିନା ବାରମ୍ବାର ଧରାପଡ଼ିଲେ ଆରସି ବାତିଲ୍, ପରମିଟ୍ ରଦ୍ଦ
ଭୁବନେଶ୍ୱର (ସଂକେତ ଟିଭି): ବୈଧ ଫିଟନେସ୍ ସାର୍ଟିଫିକେଟ୍ ବିନା ବାରମ୍ବାର ରାଜପଥରେ ଚଳାଚଳ କରୁଥିବା ବାଣିଜ୍ୟିକ ଗାଡ଼ି ବିରୋଧରେ ପରିବହନ ବିଭାଗ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । ଏଣିକି କେବଳ ଇ-ଚାଲାଣ ଜାରି କରି କର୍ତ୍ତବ୍ୟ ସାରିଦିଆଯିବ ନାହିଁ, ବରଂ ଏଭଳି ଗାଡ଼ିକୁ ଚିହ୍ନଟ କରି ସିଧାସଳଖ ଜବତ କରାଯିବା ସହ ପଞ୍ଜୀକରଣ ପ୍ରମାଣପତ୍ର (ଆରସି) ନିଲମ୍ବନ କିମ୍ବା ବାତିଲ୍ କରାଯିବ ଏବଂ ପରମିଟ୍ ରଦ୍ଦ କରାଯିବ ବୋଲି ପରିବହନ କମିଶନର ନିର୍ଦ୍ଦେଶ ଦେଇଛନ୍ତି ।
ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ (RTO), ଅତିରିକ୍ତ RTO ଏବଂ ଉପ-ପରିବହନ କମିଶନରମାନଙ୍କୁ ଏହି ନିର୍ଦ୍ଦେଶ ପ୍ରଦାନ କରାଯାଇଛି । ଏପ୍ରିଲ୍ ୧ ତାରିଖରୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଇ-ଡିଟେକ୍ସନ ପୋର୍ଟାଲର ତଥ୍ୟ ବିଶ୍ଳେଷଣ କରାଯାଉଛି । ଏହି ତିନି ମାସ ମଧ୍ୟରେ ବୈଧ ଫିଟନେସ୍ ସାର୍ଟିଫିକେଟ୍ ନଥିବା ୧୧ ହଜାର ୪୦୧ଟି ସ୍ୱତନ୍ତ୍ର ଗାଡ଼ି ବିରୋଧରେ ୪୩ ହଜାର ୬୯୬ଟି ଇ-ଚାଲାଣ ଜାରି ହୋଇଛି ।
ଏହି ପରିସଂଖ୍ୟାନ ଅଧିକ ଚିନ୍ତାଜନକ ହୋଇଥାଏ ଯେତେବେଳେ ଜଣାପଡ଼େ ଯେ ୬ ହଜାର ୬୩୫ଟି ଗାଡ଼ି ଏକାଧିକ ଥର, ୨ ହଜାର ୧୯୧ଟି ଗାଡ଼ି ୫ କିମ୍ବା ତା’ଠାରୁ ଅଧିକ ଥର, ୯୬୦ଟି ଗାଡ଼ି ୧୦ରୁ ଅଧିକ ଥର, ୩୫୯ଟି ଗାଡ଼ି ୨୦ରୁ ଅଧିକ ଥର ଏବଂ ୩୭ଟି ଗାଡ଼ି ୫୦ରୁ ଅଧିକ ଥର ଧରାପଡ଼ିଛି । ଏପରିକି ଚାଲାଣ କଟିବା ପରେ ମଧ୍ୟ ଅନେକ ଗାଡ଼ି ମାଲିକ ନିଜ ଗାଡ଼ିର ଫିଟନେସ୍ ସାର୍ଟିଫିକେଟ୍ ନବୀକରଣ କରି ନଥିବା ତଥ୍ୟରୁ ସ୍ପଷ୍ଟ ହୋଇଛି ।
ସର୍ବାଧିକ ଉଲ୍ଲଂଘନ ବିଭିନ୍ନ ଟୋଲ୍ ପ୍ଲାଜାରେ ଚିହ୍ନଟ ହୋଇଛି । ବନ୍ଦାଳ ଟୋଲ୍ ପ୍ଲାଜାରେ ୫ ହଜାର ୨୮୧ଟି, ପିପିଲି ଟୋଲ୍ ପ୍ଲାଜାରେ ୪ ହଜାର ୮୧୬ଟି, ସେରଗଡ଼ରେ ୩ ହଜାର ୭୬୯ଟି, ଗୁଡ଼ିପଡ଼ା-ଗଙ୍ଗାପଡ଼ାରେ ୨ ହଜାର ୮୦୭ଟି, ସମ୍ବଲପୁର-ବରଗଡ଼ରେ ୨ ହଜାର ୩୩୮ଟି, ଭଗବଡ଼ା-ନାରାୟଣପୁରରେ ୨ ହଜାର ୧୪୧ଟି, କନ୍ଦ୍ରାରେ ୧ ହଜାର ୬୨୯ଟି, ଗୁରାପାଲିରେ ୧ ହଜାର ୫୭୯ଟି, କରାପଡ଼ାରେ ୧ ହଜାର ୫୨୩ଟି ଏବଂ ଦାର୍ଜିଙ୍ଗ ଟୋଲ୍ ପ୍ଲାଜାରେ ୧ ହଜାର ୫୦୨ଟି ଉଲ୍ଲଂଘନ ମାମଲା ସାମ୍ନାକୁ ଆସିଛି ।
ପରିବହନ କମିଶନରଙ୍କ ନିର୍ଦ୍ଦେଶ ଅନୁଯାୟୀ, ବିଭିନ୍ନ ସ୍ତରର ଉଲ୍ଲଂଘନ ପାଇଁ ଭିନ୍ନ ଭିନ୍ନ ସମୟସୀମା ଧାର୍ଯ୍ୟ କରାଯାଇଛି । ୧୦ କିମ୍ବା ତା’ଠାରୁ ଅଧିକ ଥର ଧରାପଡ଼ିଥିବା ଗାଡ଼ି ବିରୋଧରେ ୭ ଦିନ ମଧ୍ୟରେ, ୫ରୁ ୯ ଥର ଧରାପଡ଼ିଥିବା ଗାଡ଼ି ବିରୋଧରେ ୧୫ ଦିନ ମଧ୍ୟରେ ଏବଂ ୨ରୁ ୪ ଥର ଧରାପଡ଼ିଥିବା ଗାଡ଼ି ବିରୋଧରେ ୩୦ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏଥିପାଇଁ ସମ୍ପୃକ୍ତ ଟୋଲ୍ ପ୍ଲାଜାଗୁଡ଼ିକରେ ସ୍ୱତନ୍ତ୍ର ଧରପଗଡ଼ ଅଭିଯାନ ଚାଲିବ । ଯାଞ୍ଚ ସମୟରେ ଗାଡ଼ିର ଫିଟନେସ୍, ପରମିଟ୍, ବୀମା ଓ ଟିକସ ଦସ୍ତାବିଜ ଯାଞ୍ଚ କରାଯିବ । ଯଦି ଫିଟନେସ୍ ସାର୍ଟିଫିକେଟ୍ ନଥାଏ, ତେବେ ମୋଟର ଯାନ ଆଇନର ଧାରା ୨୦୭ ଅନୁଯାୟୀ ଗାଡ଼ିକୁ ଜବତ କରାଯିବ । ବାରମ୍ବାର ନିୟମ ଭଙ୍ଗ କରୁଥିବା ଗାଡ଼ି ମାଲିକଙ୍କ ବିରୋଧରେ ପଞ୍ଜୀକରଣ ପ୍ରମାଣପତ୍ର ନିଲମ୍ବନ କିମ୍ବା ବାତିଲ୍ କରିବା ସହ ପରମିଟ୍ ରଦ୍ଦ ପାଇଁ ମଧ୍ୟ ପଦକ୍ଷେପ ନିଆଯିବ । ସମସ୍ତ RTOଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟାନୁଷ୍ଠାନର ଅଗ୍ରଗତି ରିପୋର୍ଟ ପଠାଇବାକୁ ପରିବହନ କମିଶନର ନିର୍ଦ୍ଦେଶ ଦେଇଛନ୍ତି ।
