FeaturedGeneralHealthLatest

ଭାରତରେ ଉପଲବ୍ଧ ହେଲା ସପ୍ତାହକୁ ଥରେ ଲାଗୁଥିବା ଇନସୁଲିନ୍ ଆୱିକ୍ଲି

ନୂଆଦିଲ୍ଲୀ(ସଂକେତ ଟିଭି): ମଧୁମେହ ରୋଗୀଙ୍କ ଚିନ୍ତାକୁ ଦୂର କରିବା ପାଇଁ ଭାରତରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଭାରତରେ ସପ୍ତାହକୁ ଥରେ କ୍ଲିନିକାଲ୍ ବ୍ୟବହାର ପାଇଁ ଅନୁମୋଦିତ ବାସାଲ୍ ଇନସୁଲିନ୍, ଆୱିକ୍ଲି (Awiqli) ପ୍ରଚଳନ ହୋଇଛି। ଏପରି କରିବାରେ ଭାରତ ଦୁନିଆର ପ୍ରଥମ ଦେଶ ପାଲଟିଛି।

ଫାର୍ମାସ୍ୟୁଟିକାଲ୍ କମ୍ପାନି ନୋଭୋ ନୋର୍ଡିସ୍କ (Novo Nordisk) ଦ୍ୱାରା ପ୍ରସ୍ତୁତ ଏହି ଇନସୁଲିନକୁ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମତି ମିଳିସାରିଛି। ଏହି ସେବା ପାଇବାରେ ଭାରତ ବିଶ୍ୱର ପ୍ରଥମ ଦେଶଗୁଡ଼ିକ ମଧ୍ୟରେ ସାମିଲ ହୋଇଛି।

ରଏଟର୍ସ ରିପୋର୍ଟ ଅନୁଯାୟୀ, ଭାରତରେ ଏହି ଇନସୁଲିନର ପ୍ରଚଳନ ଏଭଳି ସମୟରେ ଆରମ୍ଭ ହୋଇଛି, ଯେତେବେଳେ ବିଶ୍ୱର ସର୍ବାଧିକ ମଧୁମେହରେ ପୀଡିତ ଏହି ଦେଶରେ ରହୁଛନ୍ତି। ଭାରତରେ ୧୦୧ ନିୟୁତରୁ ଅଧିକ ଲୋକ ମଧୁମେହରେ ପୀଡିତ ଥିବା ବେଳେ ଆଉ ୧୩୬ ନିୟୁତ ଲୋକ ପ୍ରି-ଡାଇବେଟିସ୍ ରୋଗରେ ପୀଡିତ ବୋଲି ଆକଳନ କରାଯାଉଛି।

ସାଧାରଣତଃ ଡାଇବେଟିସ୍ ରୋଗୀଙ୍କୁ ପ୍ରତିଦିନ ଇନସୁଲିନ୍ ଇଞ୍ଜେକ୍ସନ୍ ନେବାକୁ ପଡ଼ିଥାଏ। ବର୍ଷକୁ ପ୍ରାୟ ୩୬୫ଟି ହୋଇଥାଏ। ମାତ୍ର ‘ଆୱିକ୍ଲି’ ଆସିବା ପରେ ରୋଗୀଙ୍କୁ ବର୍ଷକୁ ମାତ୍ର ୫୨ଟି ଇଞ୍ଜେକ୍ସନ୍ ନେବାକୁ ପଡ଼ିବ। ଏହା ପ୍ରତିଦିନ ନେଉଥିବା ଇନସୁଲିନ୍ ଭଳି କିମ୍ବା ତା’ଠାରୁ ଅଧିକ ଭଲ ଭାବରେ ବ୍ଲଡ୍ ସୁଗାର ସ୍ତରକୁ ନିୟନ୍ତ୍ରଣ କରିଥାଏ।

ଆୱିକ୍ଲି ହେଉଛି ଏକ ଦୀର୍ଘ-କାର୍ଯ୍ୟକାରୀ ବେସାଲ୍ ଇନସୁଲିନ୍। ଏହାକୁ ସପ୍ତାହ ଧରି ଇନସୁଲିନ୍ ସମର୍ଥନ ପ୍ରଦାନ କରିବା ପାଇଁ ଡିଜାଇନ୍ କରାଯାଇଛି। ଏକ ପ୍ରି-ଫିଲ୍ଡ ପେନ୍ ସାହାଯ୍ୟରେ ଏହାକୁ ସପ୍ତାହର ଗୋଟିଏ ନିର୍ଦ୍ଦିଷ୍ଟ ବାରରେ ପେଟ, ଜଙ୍ଘ କିମ୍ବା ହାତର ଚମଡ଼ା ତଳେ ନିଆଯାଇଥାଏ। ରୋଗୀଙ୍କ ରକ୍ତ ଶର୍କରା ସ୍ତର ଅନୁସାରେ ଡୋଜ୍ ଆଡଜଷ୍ଟ କରାଯାଏ।

ଟାଇପ୍-୨ ଡାଇବେଟିସ୍ ରୋଗୀ ଏହାକୁ ଏକାକୀ କିମ୍ବା ଅନ୍ୟ ଔଷଧ ସହ ନେଇପାରିବେ। କିନ୍ତୁ, ଟାଇପ୍-୧ ଡାଇବେଟିସ୍ ରୋଗୀଙ୍କ କ୍ଷେତ୍ରରେ ଏହା ସହିତ ଖାଇବା ସମୟରେ ନିଆଯାଉଥିବା ସ୍ୱଳ୍ପକାଳୀନ ଇନସୁଲିନ୍ ମଧ୍ୟ ଆବଶ୍ୟକ ହେବ।

ଏହି ଔଷଧରେ ଇନସୁଲିନ୍ ଆଇକୋଡେକ୍ ଅଛି, ଯାହା ବ୍ଲଡ୍ ପ୍ରୋଟିନ୍ ଆଲବୁମିନ୍ ସହିତ ମିଶି ରହିଥାଏ। ଏହା ଧୀରେ ଧୀରେ ଏବଂ ସ୍ଥିର ଭାବରେ ପୂରା ସପ୍ତାହ ଯାକ ଶରୀରକୁ ଇନସୁଲିନ୍ ଯୋଗାଇଥାଏ। ରକ୍ତ ପ୍ରବାହରୁ କୋଷଗୁଡ଼ିକୁ ଗ୍ଲୁକୋଜ୍ ସ୍ଥାନାନ୍ତର କରିବାରେ ସାହାଯ୍ୟ କରିଥାଏ ଏବଂ ରକ୍ତରେ ଶର୍କରା ସ୍ତରକୁ ହ୍ରାସ କରିଥାଏ।

ନୋଭୋ ନୋର୍ଡିସ୍କ ଇଣ୍ଡିଆର ଏମଡି ବିକ୍ରାନ୍ତ ଶ୍ରୋତ୍ରୀୟ କହିଛନ୍ତି, ଭାରତ ହେଉଛି ଆୱିକ୍ଲି ଲଞ୍ଚ କରିଥିବା ସପ୍ତମ ଦେଶ। ପ୍ରତିଦିନ ଇଞ୍ଜେକ୍ସନ ଭୟରେ ଅନେକ ରୋଗୀ ଇନସୁଲିନ୍ ନେବାକୁ ପଛଘୁଞ୍ଚା ଦେଇଥାନ୍ତି, ଏହି ନୂଆ ଇନସୁଲିନ୍ ସେମାନଙ୍କ ସେହି ଭୟ ଓ ମାନସିକ ଅସୁବିଧାକୁ ଦୂର କରିବ।