FeaturedGeneralLatest

ଇ-୨୦ ପେଟ୍ରୋଲରେ ଖରାପ ହେବ ନାହିଁ ଇଞ୍ଜିନ, ମାଇଲେଜ ସାମାନ୍ୟ କମିପାରେ: ଗଡ଼କରୀ

ନୂଆଦିଲ୍ଲୀ(ସଂକେତ ଟିଭି): ଦେଶରେ ପେଟ୍ରୋଲରେ ଇଥାନଲ୍ ମିଶ୍ରଣକୁ ନେଇ ସାଧାରଣ ଲୋକଙ୍କ ମନରେ ଅନେକ ଆଶଙ୍କା ରହିଛି। ବିଶେଷ କରି E20 ପେଟ୍ରୋଲ୍ ବ୍ୟବହାର ଦ୍ଵାରା ଗାଡ଼ିର ଇଞ୍ଜିନ ଖରାପ ହେଉଥିବା ଏବଂ ମାଇଲେଜ୍ କମିଯାଉଥିବା ନେଇ ସୋସିଆଲ ମିଡିଆରେ ଅନେକ ବିତର୍କ ଚାଲିଛି। ଏହି ସବୁ ଆଶଙ୍କା ଉପରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଏକ ଗୁରୁତ୍ଵପୂର୍ଣ୍ଣ ସ୍ପଷ୍ଟୀକରଣ ଦେଇଛନ୍ତି।

ଏକ ସାକ୍ଷାତକାରରେ ଗଡ଼କରୀ କହିଛନ୍ତି, ସୋସିଆଲ ମିଡିଆରେ E20 ପେଟ୍ରୋଲ୍କୁ ନେଇ ଯେଉଁସବୁ ଗୁଜବ ପ୍ରଚାର କରାଯାଉଛି, ତାହା ସମ୍ପୂର୍ଣ୍ଣ ଭୁଲ। ଦେଶରେ E20 ପେଟ୍ରୋଲ୍ ଲାଗୁ କରିବା ପୂର୍ବରୁ ପୁଣେ ସ୍ଥିତ ‘ଅଟୋମୋଟିଭ୍ ରିସର୍ଚ୍ଚ ଆସୋସିଏସନ ଅଫ୍ ଇଣ୍ଡିଆ’ ଏବଂ ପ୍ରମୁଖ ଗାଡ଼ି ନିର୍ମାତା କମ୍ପାନିଗୁଡ଼ିକ ଦ୍ଵାରା ବ୍ୟାପକ ପରୀକ୍ଷଣ କରାଯାଇଥିଲା। ସମସ୍ତ ସରକାରୀ ମଞ୍ଜୁରୀ ମିଳିବା ପରେ ହିଁ ଏହାକୁ ବଜାରକୁ ଅଣାଯାଇଛି।

କେନ୍ଦ୍ର ମନ୍ତ୍ରୀ ଗଡ଼କରୀ ସ୍ଵୀକାର କରିଛନ୍ତି ଯେ, ପେଟ୍ରୋଲ ତୁଳନାରେ ଇଥାନଲର କ୍ୟାଲୋରିଫିକ୍ ଭାଲ୍ୟୁ (Calorific Value) ବା ଶକ୍ତି ଉତ୍ପାଦନ କ୍ଷମତା କମ୍ ଥାଏ। ତେଣୁ ପେଟ୍ରୋଲରେ ଇଥାନଲ୍ ମିଶ୍ରଣ ବଢ଼ିଲେ ଗାଡ଼ିର ମାଇଲେଜରେ ସାମାନ୍ୟ ହ୍ରାସ ଘଟିପାରେ, କିନ୍ତୁ ବଡ଼ ପାର୍ଥକ୍ୟ ଆସେ ନାହିଁ।

ଏହାସହ ସେ କହିଛନ୍ତି ଯେ, ଗାଡ଼ିର ମାଇଲେଜ୍ କେବଳ ଇନ୍ଧନ ଉପରେ ନିର୍ଭର କରେନାହିଁ, ବରଂ ରାସ୍ତା ଏବଂ ଟ୍ରାଫିକ୍ ପରିସ୍ଥିତି ଉପରେ ମଧ୍ୟ ନିର୍ଭର କରେ। ଦିଲ୍ଲୀ କିମ୍ବା ମୁମ୍ବାଇ ଭଳି ବଡ଼ ସହରରେ ପ୍ରବଳ ଟ୍ରାଫିକ୍ ଯୋଗୁଁ ଗାଡ଼ିଗୁଡ଼ିକ ବାରମ୍ବାର ଲୋ-ଗିୟରରେ ଚାଲିଥାଏ, ଯାହା ମାଇଲେଜ୍ କମିବାର ଅନ୍ୟ ଏକ ବଡ଼ କାରଣ।

E20 ପେଟ୍ରୋଲ ବ୍ୟବହାର ଦ୍ୱାରା ଇଞ୍ଜିନ ନଷ୍ଟ ହେବା ନେଇ ଯେଉଁ ଦାବି କରାଯାଉଛି, ତାହାକୁ ସେ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଗାଡ଼ି କମ୍ପାନିଗୁଡ଼ିକୁ ଏହିପରି ଅଭିଯୋଗର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଯାଞ୍ଚରେ ଗାଡ଼ି ଖରାପ ପଛରେ ଭେଜାଲ ଇନ୍ଧନ ଦାୟୀ ଥିବହା ଜଣାପଡ଼ିଥିଲା।

ସେପଟେ ମନ୍ତ୍ରୀ କହିଛନ୍ତି, ପୁରୁଣା ଗାଡ଼ିଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ସରକାର ଅଟୋମୋବାଇଲ୍ କମ୍ପାନୀଗୁଡ଼ିକୁ ଏକ ନିର୍ଦ୍ଦେଶ ଦେଇଛନ୍ତି। ଯେତେବେଳେ ପୁରୁଣା ଗାଡ଼ି ସର୍ଭିସିଂ ପାଇଁ ଆସିବ, ସେତେବେଳେ ସେଗୁଡ଼ିକରେ ଥିବା ପୁରୁଣା ମେଟାଲ୍ ୱାଶର୍ ବଦଳରେ ନୂଆ ରବର ୱାଶର୍ ବିନା କୌଣସି ଅତିରିକ୍ତ ମୂଲ୍ୟରେ ଲଗାଯିବ। ରବର ୱାଶର୍ ଇଥାନଲ୍ ଯୁକ୍ତ ପେଟ୍ରୋଲ୍ ପାଇଁ ଅଧିକ ଉପଯୋଗୀ।

Leave a Reply

Your email address will not be published. Required fields are marked *